
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଊନବିଂଶ ଏସୀୟ ଖେଳ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ପୁରୁଷ କ୍ରିକେଟ୍ ଦଳର ନାମ ବିସିସିଆଇ ଘୋଷଣା କରିଛି। ଯୁବ ଖେଳାଳି ରିତୁରାଜ ଗାଇକ୍ଵାଡଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଏଥି ସହିତ, ଆଇପିଏଲର ଗତ କିଛି ସଂସ୍କରଣରେ କ୍ରମାଗତ ଭଲ ପ୍ରଦର୍ଶନ କରିଥିବା ରିଙ୍କୁ ସିଂଙ୍କ ସମେତ ଅନେକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।
ଏସିଆନ୍ ଗେମ୍ସରେ କ୍ରିକେଟ୍ ଇଭେଣ୍ଟଗୁଡିକ ୨୮ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଟି -୨୦ ଫର୍ମାଟରେ ଖେଳାଯିବ। ଅକ୍ଟୋବର ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୁବ ଖେଳାଳିଙ୍କ ଦଳ ପଠାଯାଉଛି। ଏହି ଦଳରେ ଋତୁରାଜ ଗାଇକ୍ଵାଡଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ଵାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା ଏବଂ ରିଙ୍କୁ ସିଂ ମଧ୍ୟ ଦଳର ଏକ ଅଂଶ।
ଦ୍ରୁତ ବୋଲିଂ ଆକ୍ରମଣରେ ଆର୍ଶଦୀପ ନେତୃତ୍ୱ ନେବେ:
ଅରଶଦୀପ ସିଂଙ୍କ ବ୍ୟତୀତ ମୁକେଶ କୁମାର, ଆବେଶ ଖାନ, ଶିବମ ମାଭିଙ୍କୁ ଭାରତର ଏହି ଦଳରେ ଦ୍ରୁତ ବୋଲର ଭାବେ ସାମିଲ କରାଯାଇଛି। ରବି ବିଶ୍ନୋଇ ଏବଂ ଶାହବାଜ ଅହମ୍ମଦଙ୍କୁ ଏହି ଦଳରେ ସ୍ପିନର ଭାବେ ସାମିଲ କରାଯାଇଛି । ଏଥି ସହିତ ୱାଶିଂଟନ୍ ସୁନ୍ଦରଙ୍କୁ ଅଲରାଉଣ୍ଡର ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।
ତୃତୀୟ ଥର ପାଇଁ ଚାଇନାରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ସହିତ ତୃତୀୟ ଥର ପାଇଁ କ୍ରିକେଟ୍ ଇଭେଣ୍ଟ ମଧ୍ୟ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ରେ ଏସିଆନ ଗେମ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏସିଆନ୍ ଗେମ୍ସ ପାଇଁ ଭାରତୀୟ ପୁରୁଷ ଦଳ:
ରିତୁରାଜ ଗାଇକ୍ଵାଡ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ଆବେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ମାବି, ଶିବମ ଡୁବେ, ପ୍ରଭସିମରନ ସିଂହ (ୱିକେଟ୍ ରକ୍ଷକ)।
ଷ୍ଟାଣ୍ଡବାଇ ଖେଳାଳି: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡା, ସାଇ ସୁଦର୍ଶନ।