Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ: ଅଧିନାୟକ ହେଲେ ଋତୁରାଜ, ରିଙ୍କୁ ସିଂଙ୍କୁ ସୁଯୋଗ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଊନବିଂଶ ଏସୀୟ ଖେଳ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ପୁରୁଷ କ୍ରିକେଟ୍ ଦଳର ନାମ ବିସିସିଆଇ ଘୋଷଣା କରିଛି। ଯୁବ ଖେଳାଳି ରିତୁରାଜ ଗାଇକ୍ଵାଡଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଏଥି ସହିତ, ଆଇପିଏଲର ଗତ କିଛି ସଂସ୍କରଣରେ କ୍ରମାଗତ ଭଲ ପ୍ରଦର୍ଶନ କରିଥିବା ରିଙ୍କୁ ସିଂଙ୍କ ସମେତ ଅନେକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ଏସିଆନ୍ ଗେମ୍ସରେ କ୍ରିକେଟ୍ ଇଭେଣ୍ଟଗୁଡିକ ୨୮ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଟି -୨୦ ଫର୍ମାଟରେ ଖେଳାଯିବ। ଅକ୍ଟୋବର ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୁବ ଖେଳାଳିଙ୍କ ଦଳ ପଠାଯାଉଛି। ଏହି ଦଳରେ ଋତୁରାଜ ଗାଇକ୍ଵାଡଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ଵାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା ଏବଂ ରିଙ୍କୁ ସିଂ ମଧ୍ୟ ଦଳର ଏକ ଅଂଶ।

ଦ୍ରୁତ ବୋଲିଂ ଆକ୍ରମଣରେ ଆର୍ଶଦୀପ ନେତୃତ୍ୱ ନେବେ:

ଅରଶଦୀପ ସିଂଙ୍କ ବ୍ୟତୀତ ମୁକେଶ କୁମାର, ଆବେଶ ଖାନ, ଶିବମ ମାଭିଙ୍କୁ ଭାରତର ଏହି ଦଳରେ ଦ୍ରୁତ ବୋଲର ଭାବେ ସାମିଲ କରାଯାଇଛି। ରବି ବିଶ୍ନୋଇ ଏବଂ ଶାହବାଜ ଅହମ୍ମଦଙ୍କୁ ଏହି ଦଳରେ ସ୍ପିନର ଭାବେ ସାମିଲ କରାଯାଇଛି । ଏଥି ସହିତ ୱାଶିଂଟନ୍ ସୁନ୍ଦରଙ୍କୁ ଅଲରାଉଣ୍ଡର ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

ତୃତୀୟ ଥର ପାଇଁ ଚାଇନାରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ସହିତ ତୃତୀୟ ଥର ପାଇଁ କ୍ରିକେଟ୍ ଇଭେଣ୍ଟ ମଧ୍ୟ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ରେ ଏସିଆନ ଗେମ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରାଯାଇଥିଲା।

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ପୁରୁଷ ଦଳ:

ରିତୁରାଜ ଗାଇକ୍ଵାଡ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ଆବେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ମାବି, ଶିବମ ଡୁବେ, ପ୍ରଭସିମରନ ସିଂହ (ୱିକେଟ୍ ରକ୍ଷକ)।

ଷ୍ଟାଣ୍ଡବାଇ ଖେଳାଳି: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡା, ସାଇ ସୁଦର୍ଶନ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରିତୁରାଜ-ସରଫରାଜ ମଧ୍ୟରେ କିଏ ଭଲ?, ଜାଣନ୍ତୁ କ’ଣ କହୁଛି ଉଭୟଙ୍କ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହା ବ୍ୟତୀତ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଓ ଟି -୨୦ ସିରିଜ ଖେଳାଯିବ। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ଖେଳାଳିଙ୍କ ବ୍ୟତୀତ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆରେ ଅନେକ ଯୁବ ଚେହେରା ସ୍ଥାନ ପାଇଛନ୍ତି, କିନ୍ତୁ ଏହି ଦଳ ଚୟନ ପରେ ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କ ନାମ ନିରନ୍ତର ଚର୍ଚ୍ଚାରେ ରହିଛି।

ସରଫରାଜ ଖାନଙ୍କ ରେକର୍ଡ କ’ଣ କହୁଛି?:

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସରଫରାଜ ଖାନଙ୍କୁ ଚୟନ କରାଯାଇ ନାହିଁ। ତେବେ ଘରୋଇ କ୍ରିକେଟରେ ଏହି ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଶ୍ଵାସ କରାଯାଉଥିଲା ଯେ, ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ସରଫରାଜ ଖାନ୍ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରିବେ, କିନ୍ତୁ ମୁମ୍ବାଇର ଏହି ଯୁବ ବ୍ୟାଟ୍ସମ୍ୟାନ୍ ଙ୍କୁ ନିରାଶ ହେବାକୁ ପଡିଛି। ପରିସଂଖ୍ୟାନ ଦର୍ଶାଉଛି ଯେ, ରଣଜୀ ଟ୍ରଫିର ୨୦୧୯ ବର୍ଷ ପରେ ସରଫରାଜ ଖାନ ୮୦.୮୬ ହାରରେ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ସାମିଲ ହୋଇଥିବା ରିତୁରାଜ ଗାଇକ୍ଵାଡ ୫୬.୭୨ ହାରରେ ରନ୍ ସଂଗ୍ରହ କରିଛନ୍ତି।

ରଣଜୀ ଟ୍ରଫି ୨୦୨୩ ସିଜନରେ ସରଫରାଜ ଖାନଙ୍କ ପ୍ରଦର୍ଶନ କିପରି ଥିଲା?:

ତେବେ ଆଇପିଏଲରେ ରିତୁରାଜ ଗାଇକ୍ଵାଡଙ୍କ ପ୍ରଦର୍ଶନ ପ୍ରଶଂସନୀୟ। ତେବେ ସରଫରାଜ ଖାନଙ୍କ ଚୟନ ନହେବା ଉପରେ ସୋସିଆଲ ମିଡିଆ ପ୍ରଶଂସକମାନେ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି। ପରିସଂଖ୍ୟାନରୁ ଜଣାପଡିଛି ଯେ, ସରଫରାଜ ଖାନ ରଣଜୀ ଟ୍ରଫି ୨୦୨୩ ସିଜନର ୯ ଇନିଂସରେ ୫୫୬ ରନ୍ ସ୍କୋର କରିଥିଲେ। ଏହି ଋତୁରେ ସରଫରାଜ ଖାନ ୯୨.୬୬ ହାରରେ ରନ ସଂଗ୍ରହ କରିଛନ୍ତି। ଏହି ଯୁବ ବ୍ୟାଟ୍ସମ୍ୟାନ୍ ୭୨.୪୯ ଷ୍ଟ୍ରାଇକ୍ ହାରରେ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସରଫରାଜ ଖାନ ୩ ଥର ଶତକୀୟ ପାଳି ଖେଳିଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ରିତୁରାଜ ଗାଇକ୍ଵାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ମୁକେଶ କୁମାର।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ରିତୁରାଜ ଗାଇକ୍ଵାଡ, ବିରାଟ କୋହଲି, ଯଶସ୍ୱୀ ଜୟସ୍ଵାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ ଏବଂ ନବଦୀପ ସାଇନି।

Categories
ଜାତୀୟ ଖବର ରାଜ୍ୟ ଖବର

ବିଜୟ ହଜାରେ ଟ୍ରଫିରେ ରିତୁରାଜ ଗାଇକ୍ଵାଡଙ୍କ ଦମଦାର ପ୍ରଦର୍ଶନ: ଟୁର୍ଣ୍ଣାମେଣ୍ଟରେ ମାରିଲେ ୪ ଟି ଶତକ

ନୂଆଦିଲ୍ଲୀ: ଯୁବ ଓପନର୍ ରୁତୁରାଜ ଗାଇକ୍ଵାଡଙ୍କ ବ୍ୟାଟ୍ ଆଜିକାଲି ଭଲ ଚାଲିଛି। ମହାରାଷ୍ଟ୍ର ଅଧିନାୟକ ବିଜୟ ହଜାରେ ଟ୍ରଫିର ଫାଇନାଲରେ ସୌରାଷ୍ଟ୍ର ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଏହା ଗାଇକ୍ଵାଡଙ୍କ ଚତୁର୍ଥ ଶତକ। ସେ କ୍ୱାର୍ଟର ଫାଇନାଲରେ ଦ୍ୱିଶତକ ହାସଲ କରିଥିବାବେଳେ ସେମିଫାଇନାଲରେ ସେ ଏକ ଶତକ ହାସଲ କରିଥିଲେ।

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ରିତୁରାଜ ବିଜୟ ହଜାରେ ଟ୍ରଫିରେ ଦଳକୁ ଆଗେଇ ନେଉଥିବାର ନଜର ଆସିଛନ୍ତି। ସେ ଫାଇନାଲରେ ୧୩୧ ବଲରୁ ୧୦୮ ରନ ସ୍କୋର କରିଥିଲେ। ୨୫ ବର୍ଷ ବୟସ୍କ ଖେଳାଳି ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟର ୫ ଟି ମ୍ୟାଚରେ ହାରାହାରି ୨୨୦.୦୦ ରେ ମୋଟ ୬୬୦ ରନ୍ ସ୍କୋର କରିଛନ୍ତି। ଏହି ସମୟରେ ତାଙ୍କର ସର୍ବୋଧିକ ସ୍କୋର ୨୨୦ ଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଗୋଟିଏ ଓଭରରେ ୭ ଛକା ମାରି ବିଶ୍ଵ ରେକର୍ଡ ସୃଷ୍ଟି କଲେ ରିତୁରାଜ ଗାଇକ୍ଵାଡ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋମବାର କ୍ରିକେଟ୍ ପଡ଼ିଆରେ ରିତୁରାଜ ଗାଇକ୍ଵାଡ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲରେ ସେ ଗୋଟିଏ ଓଭରରେ ୭ ଛକା ମାରିଛନ୍ତି। ଏହିପରି ଭାବରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ୭ ଛକା ମାରି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧୫୯ ବଲରୁ ୨୨୦ ରନ୍ ସ୍କୋର କରିବା ପରେ ସେ ଅପରାଜିତ ରହିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏହା ତାଙ୍କର ପ୍ରଥମ ଦ୍ଵିଶତକ। ଏହାପୂର୍ବରୁ ତାଙ୍କର ସର୍ବୋତ୍ତମ ସ୍କୋର ଅପରାଜିତ ୧୮୭ ଥିଲା। ମ୍ୟାଚରେ ୟୁପି ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୫ ୱିକେଟ୍ ପାଇଁ ୩୩୦ ରନ୍ ସ୍କୋର କରିଥିଲା। ବିଜୟ ହଜାରେ ଟ୍ରଫିର ଶେଷ ୮ ଇନିଂସରେ ଏହା ମଧ୍ୟ ତାଙ୍କର ଷଷ୍ଠ ଶତକ।

୨୫ ବର୍ଷୀୟ ରିତୁରାଜ ଗାଇକ୍ଵାଡଙ୍କ ଶତକ ୧୦୯ ବଲରେ ଶେଷ ହୋଇଥିଲା। ମାତ୍ର ସେ ମାତ୍ର ୫୦ ବଲରେ ପରବର୍ତ୍ତୀ ୧୨୦ ରନ୍ ସ୍କୋର କରିଥିଲେ। ଇନିଂସର ୪୯ ତମ ଓଭରରେ ସେ ବାମହାତୀ ସ୍ପିନର ଶିବ ସିଂଙ୍କ ଉପରେ ୭ ଛକା ସମେତ ୪୩ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ବଲରେ ରିତୁରାଜ ଲଙ୍ଗ ଅନ ଉପରେ ଛକା ମାରିଥିଲେ। ଦ୍ୱିତୀୟ ବଲରେ ମଧ୍ୟ ଷ୍ଟ୍ରେଟ ଛକା ମାରିଥିଲେ। ତୃତୀୟ ବଲରେ ଲେଗ ସାଇଡରେ ଛକା ମାରି ହ୍ୟାଟ୍ରିକ୍ କରିଥିଲେ। ସେ ଚତୁର୍ଥ ଏବଂ ପଞ୍ଚମ ବଲରେ ମିଡଅପରେ ଛକା ମାରିଥିଲେ। ପଞ୍ଚମ ବଲ ନୋ ବଲ ଥିଲା। ସେହି ବଲରେ ମଧ୍ୟ ସେ ଛକା ମାରିଥିଲେ।

ଏହି ପରିଭାବେ ପରବର୍ତ୍ତୀ ଦୁଇଟି ବଲରେ ଦୁଇଟି ଛକା ମାରି ରିତୁରାଜ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ଓ ୧୬ ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏହା ସବୁଠାରୁ ମହଙ୍ଗା ଓଭର, ଯେଉଁଥିରେ ୪୩ ରନ୍ ସ୍କୋର କରାଯାଇଥିଲା। ଏହାପୂର୍ବରୁ ୨୦୧୮ରେ, ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ଫୋର୍ଡ ଟ୍ରଫିରେ ଦ୍ରୁତ ବୋଲର ୱିଲିୟମ୍ ଲୁଡିକ୍ ମଧ୍ୟ ଏକ ଓଭରରେ ୪୩ ରନ୍ ଦେଇଥିଲେ। ସେତେବେଳେ ସେ ୨ ଟି ନୋ ବଲ ବୋଲିଂ ଫିଙ୍ଗିଥିଲେ। ସେହି ଓଭରରେ ୬ ଟି ଛକା, ଗୋଟିଏ ଚୌକା ଏବଂ ଗୋଟିଏ ରନ କରାଯାଇଥିଲା।

ଏହାପୂର୍ବରୁ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଉପରେ ଭାରତର ଯୁବରାଜ ସିଂ ୬ ଟି ଛକା ମାରିଥିଲେ। ଏହା ସହିତ ରିତୁରାଜ ଦ୍ୱିଶତକ ହାସଲ କରିଥିବା ଭାରତୀୟଙ୍କ ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।