
ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି ୟାରାଜି ୧୦୦ ମିଟର ହର୍ଡଲସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ କ୍ରୀଡ଼ାବିତ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲ ପ୍ରତିଯୋଗିତାରେ ଜ୍ୟୋତି ୧୩.୦୯ ସେକେଣ୍ଡ ସମୟରେ ଦୌଡ଼ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ଲାଭ କରିଥିବା ଜ୍ୟୋତିଙ୍କୁ ଏହି ସଫଳତା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଅଭିନନ୍ଦନ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଜ୍ୟୋତିଙ୍କ ଏହି ସଫଳତା ଦେଶକୁ ଗୌରବାନ୍ୱିତ କରିବା ସହ ସମସ୍ତ ଯୁବ କ୍ରୀଡ଼ାବିତ, ବିଶେଷ କରି କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲର ସ୍ୱପ୍ନ ଦେଖୁଥିବା ବାଳିକା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ଜ୍ୟୋତିଙ୍କ ସଫଳତା ରିଲାଏନ୍ସ ଫାଉଣ୍ଡେସନ ପାଇଁ ଗର୍ବର ବିଷୟ ଭାବେ ବର୍ଣ୍ଣନା କରିବା ସହିତ ଯୁବପିଢ଼ିକୁ କ୍ରୀଡା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ମନରେ କ୍ରୀଡା ପାଇଁ ରହିଥିବା ଆଗ୍ରହକୁ ଆଗକୁ ବଢାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି ନୀତା ଅମ୍ବାନି। ଏଥି ସହିତ ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସମସ୍ତ ଭାରତୀୟ କ୍ରୀଡ଼ାବିତ ଓ ରିଲାଏନ୍ସ ଫାଉଣ୍ଡେସନ କ୍ରୀଡ଼ାବିତ ମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି।
ଫାଇନାଲରେ ଶୀର୍ଷ ପ୍ରଦର୍ଶନ ପରେ ଜ୍ୟୋତି ୟାରାଜି ବିଶ୍ୱ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ନିକଟରେ ସମସ୍ତ ପ୍ରତିଯୋଗିତାରେ କ୍ରମାଗତ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିପାରିଥିବାରୁ ଖୁସି ଜାହିର କରିଛନ୍ତି। ଜାପାନର ପ୍ରତିଯୋଗୀମାନଙ୍କ ଠାରୁ ସେ ପ୍ରତିଦ୍ୱନ୍ଦିତା ଆଶା କରିଥିଲେ ମଧ୍ୟ ମେଡାଲ ବିଷୟରେ ଅଧିକ ଭାବନା ଛାଡି ନିଜ ଟାଇମିଂକୁ ଉନ୍ନତ କରିବା ଦିଗରେ ସେ ଧ୍ୟାନ କେନ୍ଦ୍ରିତ କରିଥିବା କହିଛନ୍ତି। ସେ କ୍ରମାଗତ ଭାବେ ୧୩ ସେକେଣ୍ଡ ସମୟ ହାସଲ କରିଥିବାରୁ ଆଗକୁ ନିଜର ଲକ୍ଷ୍ୟ ମୁତାବକ ୧୨.୯, ୧୨.୮ ଏବଂ ୧୨.୭ ସେକେଣ୍ଡ ସମୟରେ ପହଞ୍ଚିବା ନେଇ ସେ ଦୃଢ ଆଶାବାଦୀ ଥିବା ଜ୍ୟୋତି କହିଛନ୍ତି।