ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା: ଜବତ କଲା ୩୦ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର

Published: Jul 18, 2023, 10:59 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଧରଣର ବ୍ରାଉନ ସୁଗାର କାରବାରରେ ରୋକ ଲଗାଇବା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ।

ସୂଚନା ମୁତାବକ ସାମନ୍ତରାୟପୁର ସ୍ଵପ୍ନେଶ୍ଵର ସାହି ସ୍ଥିତ ଏକ ପରିତ୍ୟକ୍ତ ଘରେ ବ୍ରାଉନ ସୁଗର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ବିଳମ୍ବ ନକରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସି ଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଘରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଉକ୍ତ ଘରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର (୩୦୦ ଗ୍ରାମ) ଜବତ ହୋଇଥିବା ବେଳେ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସାମନ୍ତରାୟପୁର ସ୍ଵପ୍ନେଶ୍ଵର ସାହିର ସାରଥୀ ନାୟକ (୩୨) ଓ ଚିତ୍ତରଞ୍ଜନ ସାହୁ (୩୬), ଗଡ଼ଖୋର୍ଦ୍ଧା ପ୍ରଧାନ ସାହିର ଅନିଲ କୁମାର ବିଶ୍ୱାଳ (୧୯) ଏବଂ ତରତୁଆର ଶେଖ ତୈସୀମ (୩୪)। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Related posts