
କୁଜଙ୍ଗ: କୁଜଙ୍ଗ ପୋଲିସ୍ ଏକ ରାହାଜାନି ଓ ମାଡ଼ ମାରିଥିବା ଘଟଣାରେ ହାର୍ଡକୋର କ୍ରିମିନାଲକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିବା ଜଣାପଡିଛି। କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍ରୁ ୩୦ ହଜାର ଟଙ୍କା ଉଠାଇ ଆଣିଆସୁଥିବା ବେଳେ ବଳରାମପୁର ଅଂଚଳରେ ପେଷାଦାର ଅପରାଧି ମହମ୍ମଦ ଇମ୍ରାନ୍ ଓରଫ ଇମା ଓ ତାର ସହଯୋଗୀ ସେହି ବ୍ୟକ୍ତିକୁ ମାଡ଼ ମାରିବା ସହିତ ୩୦ ହଜାର ଟଙ୍କା ଛଡାଇନେଇଥିଲେ।
ଏହି ଘଟଣାରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ରେ ମାମଲା ରୁଜ୍ଜୁ କରିଥିଲା। ଅନ୍ୟପକ୍ଷରେ ଇମା କେଉଁଆଡେ ଫେରାର ହୋଇଯାଇଥିବା ବେଳେ ଗତକାଲି ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ତତ୍ୱାବଧାନ ଓ ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଇମାକୁ ଗିରଫ କରିବାରେ ସଫଳ ହୋଇଥିଲେ। କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଏହି ଯୁବକ ଏକ ଗ୍ୟାଙ୍ଗ କରି ବିଭିନ୍ନ ଚୋରି ଓ ବ୍ରାଉନ୍ ସୁଗାର, ବିଭିନ୍ନ ଅପରାଧିକ ଘଟଣା ଘଟାଇ ଆସୁଥିଲା। ଏପରିକି ତା ନାମରେ ୧୫ ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ଓ ଚୋରା ଧଳା ଜହର ବେପାର ସହ ସମ୍ପୃକ୍ତ ଥିବା ପୁଲିସ କହିଛି।
ଏହି ଘଟଣାରେ ପୁଲିସ ଛାନ୍ଭିନ୍ କରି ତାକୁ ଗିରଫ କରିଥିବା ବେଳେ ତାର ନାମରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ। ଗତ ୩ ଦିନ ମଧ୍ୟରେ କୁଜଙ୍ଗରେ ବିଭିନ୍ନ ମାମଲରେ ମୋଟ ୨୩ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଅପରାଧିକ ଘଟଣା ଓ ଚୋରି ଘଟଣାରେ ଅଦାଲତ ଚାଲଣ କରାଯାଇଥିବା ଜଣାପଡିଛି। କୁଜଙ୍ଗ ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ଏବେ ଅପରାଧିକ ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିଦ ହଜିଯାଇଛି।