କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ୍‌ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି

Published: Jul 26, 2023, 9:08 pm IST

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩)ରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଡାକ୍ତରୀ ପେସା ହେଉଛି ସେବାର ଏକ ସଂକଳ୍ପ। ସେବା ପ୍ରତି ନିଷ୍ଠା ଏବଂ ସମାଜ ପାଇଁ ପ୍ରତିବଦ୍ଧତା ନଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ।

ରାଷ୍ଟ୍ରପତି କହିଛନ୍ତି, ଯେକୌଣସି ସମାଜ ପାଇଁ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ, ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ, ଆମେ ମୂଲ୍ୟବାନ ଜୀବନରକ୍ଷାରେ ସକ୍ଷମ ହୋଇପାରିଛୁ। ଗବେଷଣା ଉପରେ ଧ୍ୟାନ ଦେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ପୁରୁଣା ଔଷଧ ପାଇଁ ସୁପାରିସ କରିବା ସହିତ ନୂଆ ଔଷଧ ବିକଶିତ କରିବା ମଧ୍ୟ ଜରୁରୀ। ସେ ଆହୁରି କହିଛନ୍ତି ଯେ, ଗବେଷଣା ଭାରତୀୟ ଚିକିତ୍ସା ବିଜ୍ଞାନୀମାନଙ୍କୁ ଏକ ନୂଆ ପରିଚୟ ଦେବ।

ଛୋଟ ଯାତ୍ରୀ ଡାକ୍ତରଖାନାରୁ ଆରମ୍ଭ ହୋଇ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ପରିଣତ ହେବା ନେଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି ଡାକ୍ତରଖାନା କେବଳ ଓଡ଼ିଶାବାସୀଙ୍କୁ ନୁହେଁ ବରଂ ପୂର୍ବ ଭାରତର ଅନ୍ୟ ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି। ସେ କହିଛନ୍ତି ଯେ, ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିବା ସହିତ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଗକୁ ମଧ୍ୟ ମାନବତାର ସେବା ଜାରି ରଖିବା ସହିତ ରାଷ୍ଟ୍ରର ଗୌରବ ବଢ଼ାଇବାରେ ସକ୍ଷମ ହୋଇପାରିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ।

Related posts