୩ ଆନ୍ତଜିଲ୍ଲା ଅପରାଧୀଙ୍କୁ ଗିରଫ କଲା ଖୋର୍ଦ୍ଧା ଜିଲ୍ଲା ପୋଲିସ, ୧୦୦ରୁ ଊର୍ଦ୍ଧ୍ଵ ଡକାୟତିରେ ଅଛନ୍ତି ସାମିଲ

Published: Jul 27, 2023, 3:37 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ଵ ଡକାୟତିରେ ସାମିଲ ଥିବା ପୋଲିସ କହିଛି। ଉକ୍ତ ଗ୍ୟାଙ୍ଗ ବେଆଇନ ବନ୍ୟଜନ୍ତୁ ଶିକାରରେ ମଧ୍ୟ ସାମିଲ ଥିବା ଜଣାପଡିଛି।

ଆଜି ଏହି ଗ୍ୟାଙ୍ଗର ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଏସପି ଙ୍କ ସୂଚନା ମୁତାବକ ଗତ ୧୯ ତାରିଖରେ ବୋଲଗଡ ଥାନା ମାଣିକଗୋଡ଼ା କୁମୁଟି ସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ବୋଲଗଡ଼ ଥାନାରେ କେସ ନମ୍ବର ୧୯୪/୨୩ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଥିଲେ। ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲାର କାନପୁର ଥାନା ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର (୩୫), ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳର ରାହୁଲ ପ୍ରଧାନ (୨୦) ଏବଂ ନୟାଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ପ୍ରଶାନ୍ତ ନାୟକ (୩୦)। ଅଭିଯୁକ୍ତଙ୍କୁ ବିଭିନ୍ନ ଜିଲ୍ଲାର ପୋଲିସ ପଚରାଉଚୁରା କରିବାରୁ ଉକ୍ତ ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ଵ ଡକାୟତିରେ ସାମିଲ ଥିବା ଜଣାପଡିଥିଲା।

ତେବେ ଏହି ଗ୍ୟାଙ୍ଗ ର ଆହୁରି ୧୨ ରୁ ୧୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।  ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘର ଚୋରି ଜିନିଷ ଏବଂ ଏକ ମୃତ ବଜ୍ରକାପ୍ତା ଜବତ କରିଛି। ବୋଲଗଡ଼ ଥାନା, ଟାଉନ ଥାନା, ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସାଇବର ଟିମ ର ଏକାଧିକ ପୋଲିସ ଅଧିକାରୀମାନେ ଉକ୍ତ ଅପେରସନ ରେ ସାମିଲ ଥିଲେ।

Related posts