ଦିନିକିଆ ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ବାଦ ପଡିଲେ ମହମ୍ମଦ ସିରାଜ

Published: Jul 27, 2023, 5:10 pm IST

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ପୂର୍ବରୁ ଖବର ଆସିଛି ​​ଯେ, ମହମ୍ମଦ ସିରାଜ ଏକଦିବସୀୟ ସିରିଜରେ ଖେଳିବେ ନାହିଁ। ସେ ଭାରତ ଫେରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, କାର୍ଯ୍ୟ ଭାର କାରଣରୁ ସିରାଜଙ୍କୁ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି। ତେବେ ଏବେ ବିସିସିଆଇ ନିଜେ ସିରାଜଙ୍କୁ ଦିନିକିଆ ସିରିଜରୁ ବାଦ ଦେବାର କାରଣ କହିଛି।

ବିସିସିଆଇ ଅନୁଯାୟୀ ମହମ୍ମଦ ସିରାଜ ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି। ତେବେ ତାଙ୍କ ବଦଳି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ମୁକ୍ତ କରାଯାଇଛି। ସିରାଜଙ୍କ ଗୋଡରେ ଯନ୍ତ୍ରଣା ହେଉଛି ଏବଂ ସତର୍କତା ଅନୁଯାୟୀ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ସିରାଜଙ୍କ ବାଦ ପରେ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ରିତୁରାଜ ଗାଇକ୍ଵାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ଉମ୍ରାନ ମଲିକ ଏବଂ ମୁକେଶ କୁମାର।

ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ-

ପ୍ରଥମ ଦିନିକିଆ- ଜୁଲାଇ ୨୭ ତାରିଖ- କେନ୍ସିଙ୍ଗଟନ୍ ଓଭଲ୍, ବାରବାଡୋସ୍

ଦ୍ୱିତୀୟ ଦିନିକିଆ- ଜୁଲାଇ ୨୯ ତାରିଖ- କେନ୍ସିଙ୍ଗଟନ୍ ଓଭଲ୍, ବାରବାଡୋସ୍

ତୃତୀୟ ଦିନିକିଆ- ଅଗଷ୍ଟ ୧ ତାରିଖ- ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ, ତ୍ରିନିଦାଦ।

Related posts