
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଅବସ୍ଥିତ ଦ୍ଵିତୀକୃଷ୍ଣ ସାହୁଙ୍କ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ବୋମାମାଡ ଘଟିଥିଲା। ଏହି ଘଟଣାରେ ଗତ ମେ ମାସରେ ମୁନା ଗୌଡ଼ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋଦଳା ପୋଲିସ କୋର୍ଟ ଚାଲାଣ କରିଛି।
ଘଟଣାରୁ ପ୍ରକାଶ ଯେ, ଗତ ଏପ୍ରିଲ ୧୭ ତାରିଖରେ ଅଭିଯୁକ୍ତ ୩ ଯୁବକ ଉକ୍ତ ଫାର୍ମର ମାଲିକ ଓ କର୍ମଚାରୀଙ୍କୁ ଦାଦା ବଟି ମାଗିଥିଲେ। ନହେଲେ ବୋମା ମାଡ଼ କରି ସମସ୍ତଙ୍କୁ ଉଡାଇଦେବୁ ବୋଲି କହି ପଳାଇଥିଲେ। କିନ୍ତୁ ପରେ ୧୯ ତାରିଖ ରାତିରେ ଉକ୍ତ ଯୁବକ ମାନେ ଫାର୍ମ ଉପରେ ବୋମାମାଡ କରି ଫେରାର ହୋଇଯାଇଥିଲେ।
ମାଲିକ କୋଦଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା ନଂ ୧୭୩/୩୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ତେବେ ଶୁକ୍ରବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ୍, ୬ ଟି ଗୁଳି, ଗୋଟିଏ ମୋଟରସାଇକେଲ ଓ କିଛି ମୋବାଇଲ ଫୋନ ଜବତ କରିଛି।