
ନୂଆଦିଲ୍ଲୀ: ଭାରତୀୟ ଦଳର ଚାଇନା ମ୍ୟାନ ବାମହାତୀ ସ୍ପିନ୍ ବୋଲର କୁଲଦୀପ ଯାଦବଙ୍କ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା ପରେ କୁଲଦୀପ ଟି -୨୦ ସିରିଜରେ ମଧ୍ୟ ସୁନ୍ଦର ପ୍ରଦର୍ଶନ ଜାରି ରଖିଛନ୍ତି | ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳ ୭ ୱିକେଟରେ ଜିତିଛି। ଯେଉଁଠାରେ ସୁର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେହିଭଳି କୁଲଦୀପ ବୋଲିଂରେ ନିଜର ୪ ଓଭରରେ ୩ ୱିକେଟ୍ ନେଇଥିଲେ। ଏହା ସହ ସେ ଟି -୨୦ ଇଣ୍ଟରନ୍ୟାସନାଲରେ ୫୦ ୱିକେଟ୍ ପୂରଣ କରିବାରେ ସଫଳ ହୋଇଥିଲେ।
ଆହତ କାରଣରୁ ଏହି ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ କୁଲଦୀପ ଯାଦବ ଖେଳିପାରିନଥିଲେ। ଏହା ପରେ, ତୃତୀୟ ମ୍ୟାଚ୍ ରେ ସମ୍ପୂର୍ଣ୍ଣ ଫିଟ୍ ହେବା ସହ ବୋଲିଂରେ କମାଲ କରିଥିଲେ। ଏହି ମ୍ୟାଚରେ କୁଲଦୀପ ଜନସନ ଚାର୍ଲ୍ସ, ବ୍ରେଣ୍ଡନ କିଙ୍ଗ ଏବଂ ନିକୋଲାସ ପୁରାନଙ୍କୁ ତାଙ୍କର ଶିକାର କରିଥିଲେ।
ଭାରତୀୟ ଦଳ ପାଇଁ ଏପର୍ଯ୍ୟନ୍ତ ୩୦ ଟି -୨୦ ମ୍ୟାଚ୍ ଖେଳିଥିବା କୁଲଦୀପ ୧୪.୨୮ ହାରରେ ୫୦ ୱିକେଟ୍ ନେଇଛନ୍ତି। ଏହା ସହ ସେ ବର୍ତ୍ତମାନ ଭାରତ ପାଇଁ ଏହି ଫର୍ମାଟରେ ୫୦ ୱିକେଟ୍ ନେବାରେ ଦ୍ରୁତତମ ବୋଲର ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଥିଲା, ଯିଏକି ୨୦୧୯ ରେ ୩୪ ତମ ଟି -୨୦ ଇଣ୍ଟରନ୍ୟାସନାଲରେ ୫୦ ୱିକେଟ୍ ନେଇଥିଲେ।
୨୦୨୩ ମସିହାରେ ଦିନିକିଆରେ କୁଲଦୀପଙ୍କ ଚମତ୍କାର ପ୍ରଦର୍ଶନ:
୨୦୨୩ ଦିନିକିଆ ଫର୍ମାଟରେ କୁଲଦୀପ ଯାଦବଙ୍କ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଏବଂ ସେ ଦଳ ପାଇଁ ମ୍ୟାଚ୍ ବିଜେତା ବୋଲି ପ୍ରମାଣିତ ହୋଇଛନ୍ତି। ଚଳିତ ବର୍ଷ କୁଲଦୀପ ୧୭.୧୮ ହାରରେ ୧୧ ଟି ମ୍ୟାଚରେ ୨୨ ଟି ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଟିଏ ମ୍ୟାଚ୍ରେ ୪ ଟି ୱିକେଟ୍ ନେଇଛନ୍ତି।