ରୁଦ୍ରାକ୍ଷ ଆର୍ନ୍ତଜାତିକ ସହଯୋଗ ଓ କନ୍‌ଭେନସନ୍ ସେଣ୍ଟରରେ ୱାଇ-୨୦ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ

Published: Aug 19, 2023, 9:37 am IST

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନ୍‌ଭେସସନ ସେଣ୍ଟର (ଆର୍‌ଆଇସିସିସି)ରେ ଶୁକ୍ରବାରଠାରୁ ଯୁବ-୨୦(ୱାଇ-୨୦) ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହୋଇଛି। ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଜି-୨୦ ଦେଶ ସମୂହ, ଅତିଥି ରାଷ୍ଟ୍ର ଓ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଷ୍ଠାନରୁ ଏଥିରେ ପ୍ରାୟ ୧୨୦ ପ୍ରତିନିଧି ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଉତ୍ତର ପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ଯାଦବ, ରାଜ୍ୟର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନିଲ ରାଜଭର, ଷ୍ଟାମ୍ପ ଓ କୋର୍ଟ ଫି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବୀନ୍ଦ୍ର ଜୟସ୍ୱାଲ, ଜଳଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ ସିଂହ, ସହରାଞ୍ଚଳ ବିକାଶ ଓ ଶକ୍ତିମନ୍ତ୍ରୀ ଶ୍ରୀ ଏ.କେ ଶର୍ମା, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ସଚିବ ସୁଶ୍ରୀ ମିତା ରାଜୀବଲୋଚନ ଏବଂ ୱାଇ ୨୦ର ଅଧ୍ୟକ୍ଷ ଶ୍ରୀ ଅନମୋଲ ମୋହିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଶ୍ରୀ ସୋଭିତଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା । ଏଥିରେ କେନ୍ଦ୍ର ଯୁବ ବ୍ୟାପାର ସଚିବ ସୁଶ୍ରୀ  ମିତା ରାଜୀବଲୋଚନ କହିଥିଲେ ଯେ ଯୁବବର୍ଗ ପରିବର୍ତ୍ତନର ବାହକ ଏବଂ ଭବିଷ୍ୟତକୁ ଉପଯୁକ୍ତ ଆକାର ଦେବାର ସାମର୍ଥ୍ୟ ସେମାନଙ୍କର ରହିଛି । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଇଥାନ୍ତି । କୌଣସି ଯୁବକ ଯୁବତୀ ଯେପରି ପଛରେ ପଡି ନ ଯାଆନ୍ତି ସେଥି ପାଇଁ ଏକ ଉପଯୁକ୍ତ ପରିବେଶ ଗଢି ତୋଳିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ଭାଷଣରେ ଯୁବ-୨୦ ଶିଖର ସମ୍ମିଳନୀ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ବାରାଣସୀ ଭାରତର ୧୦୦୦ ବର୍ଷର ପ୍ରାଚୀନ ସଭ୍ୟତାର କେନ୍ଦ୍ର ହୋଇଥିବାରୁ ଏଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ସେ ଉଲ୍ଲେଖ କରିଥିଲେ । ଏଥିରେ ବିଭିନ୍ନ ଦେଶର ଯୁବ ପ୍ରତିନିଧିମାନେ ପ୍ରତ୍ୟେକ ସମ୍ମୁଖୀନ ହେଉଥିବା ପ୍ରମୁଖ ଅର୍ଥନୀତିକ, ସାମାଜିକ, ପରିବେଶବଗତ ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ଏହାର ସମ୍ଭାବ୍ୟ ସମାଧାନ ପଥ ଉପରେ ମତ ରଖିବେ । ମିଳିତଭାବେ ସାଧାରଣ ସମସ୍ୟାବଳୀର ସମାଧାନ ପନ୍ଥା ବାହାର କରିବାକୁ ଏହା ଯୁବବର୍ଗଙ୍କ ପାଇଁ ଏକ ମଞ୍ଚ ବୋଲି ଶ୍ରୀ ଠାକୁର କହିଥିଲେ ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଲେ ଯେ ଯୁବବର୍ଗ ଭବିଷ୍ୟତରେ ନିର୍ମାତା । ଭବିଷ୍ୟତର ବିଶ୍ୱ ନିର୍ମାଣ ଏବଂ ସାମ୍ପ୍ରତିକ ସାଧାରଣ ବୈଶ୍ୱିକ ସମସ୍ୟାର ସମାଧାନ କ୍ଷେତ୍ରରେ କିପରି ମାର୍ଗ ବାହାରିବ ଏଭଳି ମଞ୍ଚ ସେମାନଙ୍କୁ ସୁଯୋଗ ଦେବ । ଯୁବାବସ୍ଥାରେ ଭାରତକୁ ବିଭିନ୍ନ କ୍ଷେତ୍ରରେ ଗୌତମ ବୁଦ୍ଧ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ରାମପ୍ରସାଦ ବିଶମିଲ୍‌, ଅସଫାକୁଲ୍ଲା ଖାଁ ଓ ଠାକୁର ରୋଶନ ସିଂହ କିପରି ନେତୃତ୍ୱ ଦେଇଥିଲେ । ତାହାର ଉଦାହରଣ ସେ ପ୍ରଦାନ କରିଥିଲେ ।

ଯୁବ ବ୍ୟାପାରର ବିଭାଗର ନିର୍ଦ୍ଦେଶକ ପଙ୍କଜ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଉଦ୍‌ଘାଟନ ଉତ୍ସବ ପରେ ବିଭିନ୍ନ ବିଷୟରେ ବିଶେଷଜ୍ଞଙ୍କୁ ନେଇ ଆଲୋଚନାଚକ୍ର ମାନ ଆୟୋଜିତ ହୋଇଥିଲା । ଏଥିରେ କାମର ଭବିଷ୍ୟତ ଓ ନିଯୁକ୍ତି ସୃଷ୍ଟି, ଏଣ୍ଟରପ୍ରିନିୟୋର ମେଣ୍ଟରିଂ, ସ୍କୁଲ ଓ କଲେଜ ପାଠ୍ୟକ୍ରମ, ପରିବେଶର ସୁରକ୍ଷା, ଶାସନ ଓ ଗଣତନ୍ତ୍ରରେ ଯୁବବର୍ଗ ଆଦି ପ୍ରସଙ୍ଗ ଉପରେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ବିଶେଷଜ୍ଞମାନେ ଉଦ୍‌ବୋଧନ ଦେଇଥିଲେ ।

Related posts