ଟିମ୍ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନ!, ବୁମରାଙ୍କୁ ମିଳିବ ନୂଆ ଦାୟିତ୍ଵ

Published: Aug 21, 2023, 10:45 am IST

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା କରାଯିବ। ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ଏକ ବଡ ପରିବର୍ତ୍ତନ ହେବା ନିଶ୍ଚିତ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ହରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ପଦବୀରୁ ହଟାଯାଇପାରେ। ଆୟର୍ଲାଣ୍ଡରେ ଟିମ୍ ଇଣ୍ଡିଆର ନେତୃତ୍ଵ ନେଉଥିବା ଜସପ୍ରୀତ ବୁମ୍ରା ନୂତନ ଉପ-ଅଧିନାୟକ ହେବାର ସମ୍ଭାବନା ରହିଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟାର୍ଗେଟରେ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠିଥିଲା। କେବଳ ଏତିକି ନୁହେଁ ନିଜର ପ୍ରଦର୍ଶନରେ ଅଧିନାୟକର ଚାପ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଧିନାୟକତ୍ୱ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଉଭୟ ବ୍ୟାଟ୍ ଏବଂ ବଲ୍ ରେ ନେଇ ନିରାଶ କରିଥିଲେ। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବୃତ୍ତି ଉପରେ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା।

ଅଧିନାୟକତ୍ୱରେ ବୁମ୍ରା ପ୍ରଭାବିତ କରିଛନ୍ତି:

ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଜସପ୍ରୀତ ବୁମ୍ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ସହିତ ତାଙ୍କୁ ପୁନର୍ବାର ଉପ-ଅଧିନାୟକ ଦାୟିତ୍ଵ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ଯେତେବେଳେ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଥିଲା, ଚୟନକର୍ତ୍ତାମାନେ ଏକ ବିବୃତ୍ତି ଦେଇଥିଲେ ଯେ ଜସପ୍ରୀତ ବୁମ୍ରା, କେ.ଏଲ୍ ରାହୁଲ ଏବଂ ଋଷଭ ପନ୍ତ ନେତୃତ୍ୱ ଗ୍ରୁପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବେ। ଗତ ବର୍ଷ ଇଂଲଣ୍ଡରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ମଧ୍ୟ ପଞ୍ଚମ ଟେଷ୍ଟରେ ଟିମ୍ ଇଣ୍ଡିଆର ନେତୃତ୍ଵ ନେଇଥିଲେ।

ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଯୁବ ଖେଳାଳିଙ୍କ ସହ ଜସପ୍ରୀତ ବୁମ୍ରା ଭଲ ସମନ୍ୱୟ ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଟି -୨୦ ମ୍ୟାଚରେ ମଧ୍ୟ ବୁମରା ଏପରି ନିଷ୍ପତ୍ତି ନେଇଥିଲେ ଯେଉଁଥିପାଇଁ ଟିମ୍ ଇଣ୍ଡିଆ ମ୍ୟାଚ୍ ହାତରୁ ଖସିବା ଯିବାକୁ ଦେଇନଥିଲା। ବୋଲର ବ୍ୟବହାର ପ୍ରସଙ୍ଗରେ ମଧ୍ୟ ବୁମରା ବହୁତ ବୁଦ୍ଧିମାନ ନିଷ୍ପତ୍ତି ନେଇଥିଲେ। ଗୁରୁତ୍ୱପୂର୍ଣ୍ଣ ଅବସରରେ, ବୁମ୍ରା ବଲ୍ ଦ୍ଵାରା ଚମତ୍କାର ମଧ୍ୟ କରିଛନ୍ତି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ ଏବଂ ଦ୍ୱିତୀୟ ମ୍ୟାଚ୍‌ର ଶେଷ ଓଭରରେ ୱିକେଟ୍ ସହ କୌଣସି ରନ ଦେଇନଥିଲେ।

Related posts