ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍ ଙ୍କ ଗତକାଲି ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଜିମ୍ବାୱେ ପାଇଁ ହିଥ ଷ୍ଟ୍ରିକ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୬୫ ଟି ଟେଷ୍ଟ ଏବଂ ୧୮୯ ଟି ODI ଖେଳିଛନ୍ତି। କୋଲନ୍ ଏବଂ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।
ଆନ୍ତର୍ଜାତୀୟ କ୍ରିକେଟରେ ଅଲରାଉଣ୍ଡର ଭାବରେ ଖେଳୁଥିବା ହିଥ ଷ୍ଟ୍ରିକ୍ ଟେଷ୍ଟ କ୍ରିକେଟ୍ ରେ ମୋଟ ୨୧୬ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬ ଥର ଗୋଟିଏ ଇନିଂସରେ ୪ ୱିକେଟ୍ ଏବଂ ୭ ଥର ଗୋଟିଏ ଇନିଂସରେ ୫ ୱିକେଟ୍ ନେଇଛନ୍ତି।
ହିଥ ଷ୍ଟ୍ରିକ୍ ହାରାହାରି ୨୯.୮୨ ରେ ୫୦ ଓଭର ଫର୍ମାଟରେ ୨୩୯ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ଇନିଂସରେ ୫ ୱିକେଟ୍ ନେଇଥିବା ବେଳେ ୭ ଥର ୪ ୱିକେଟ ନେଇଛନ୍ତି। ବ୍ୟାଟିଂରେ ମଧ୍ୟ ହିଥ୍ ଷ୍ଟ୍ରିକ୍ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟେଷ୍ଟରେ ୧୯୯୦ ରନ୍ କରିଥିବାବେଳେ ODI ରେ ୨୯୪୩ ରନ୍ କରିଛନ୍ତି। ଟେଷ୍ଟରେ ଷ୍ଟ୍ରିକ୍ ୧ ଟି ଶତକ ଏବଂ ୧୧ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ ସେ ODI ରେ ୧୩ ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।
ଅଧିନାୟକ ରେକର୍ଡ ଏହିପରି କିଛି ଥିଲା:
୨୦୦୦ ମସିହାରେ ଜିମ୍ବାୱେ କ୍ରିକେଟ୍ ବୋର୍ଡ ହିଥ ଷ୍ଟ୍ରିକ୍ ଙ୍କୁ ଉଭୟ ଟେଷ୍ଟ ଏବଂ ODI ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଷ୍ଟ୍ରିକ୍ ଅଧିନାୟକତ୍ୱରେ ଜିମ୍ବାୱେ ୨୧ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୪ ଟି ଜିତିଥିବାବେଳେ ୧୧ ଟି ହାରିଛି। ଏବଂ ୬ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ODI ରେ, ଷ୍ଟ୍ରିକ୍ ୬୮ ଟି ମ୍ୟାଚ୍ ରେ ଦଳର ଅଧିନାୟକତ୍ୱ କରିଥିଲେ ଏବଂ ଏଥିରୁ ୪୭ ଟି ମ୍ୟାଚ୍ ରେ ପରାଜୟ ହୋଇଥିଲା, ଦଳ ୧୮ ଟି ମ୍ୟାଚ୍ ଜିତିଥିଲା। ଷ୍ଟ୍ରିକ୍ ଙ୍କ ମୃତ୍ୟୁ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କ ସମେତ ଅନେକ ପୂର୍ବତନ ତଥା ବର୍ତ୍ତମାନର ଖେଳାଳି ତାଙ୍କୁ ଟ୍ୱିଟ୍ ମାଧ୍ୟମରେ ସ୍ମରଣ କରିଛନ୍ତି।