Categories
ଆଜିର ଖବର ଜାତୀୟ ଖବର

ସୁନୀଲ ଓଝାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବନଗରର ପୂର୍ବତନ ବିଧାୟକ ସୁନୀଲ ଓଝାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

ଭାରତୀୟ ଜନତା ପାର୍ଟି ତଥା ସମାଜ ସେବାରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ବାରାଣସୀରେ ତାଙ୍କ ପ୍ରଶଂସନୀୟ କାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି।

ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଭାବନଗର ପୂର୍ବତନ ବିଧାୟକ ସୁନୀଲଭାଇ ଓଝାଙ୍କ ନିଧନ ଖବର ଚକିତ କଲାଭଳି।

ଭାରତୀୟ ଜନତା ପାର୍ଟି ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ। ବାରାଣସୀରେ ବି ସୁନୀଲ ଭାଇଙ୍କ ସଙ୍ଗଠନାତ୍ମକ କାର୍ଯ୍ୟ ପ୍ରଶଂସନୀୟ।

ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ଦେହାନ୍ତରେ ଦୁଃଖିତ। ଜଣେ ପ୍ରକୃତ ପଥପ୍ରଦର୍ଶକ ଭାବେ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଅନେକ ବାଧାବିଘ୍ନକୁ ଦୂର କରିଛି ଏବଂ ମହିଳାଙ୍କୁ ବହୁତ ପ୍ରେରଣା ଦେଇଛି। ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ମନେ ରହିବ। ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା  ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକରେ ମୁଁ ଦୁଃଖିତ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ଲେଖା ଓ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ପାଇଁ ମଧ୍ୟ ସେ ଜଣାଶୁଣା। ସେ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ମଧ୍ୟ ବେଶ୍ ଆଗଭର ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସମଗ୍ର ପରିବାର ପ୍ରତି ମୋର ସମବେଦନା।’

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ଵର: ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି।

ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଭାବେ କାର୍ଯ୍ୟକରୁଥିଲେ। ସେ ଓଡିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ସହଯୋଗୀ ଭାବେ ବେଶ ଜଣାଶୁଣା।

ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ୍ ଙ୍କ ପରଲୋକ: କର୍କଟ ରୋଗ ସହ କରୁଥିଲେ ସଂଗ୍ରାମ

ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍ ଙ୍କ ଗତକାଲି ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଜିମ୍ବାୱେ ପାଇଁ ହିଥ ଷ୍ଟ୍ରିକ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୬୫ ଟି ଟେଷ୍ଟ ଏବଂ ୧୮୯ ଟି ODI ଖେଳିଛନ୍ତି। କୋଲନ୍ ଏବଂ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।

ଆନ୍ତର୍ଜାତୀୟ କ୍ରିକେଟରେ ଅଲରାଉଣ୍ଡର ଭାବରେ ଖେଳୁଥିବା ହିଥ ଷ୍ଟ୍ରିକ୍ ଟେଷ୍ଟ କ୍ରିକେଟ୍ ରେ ମୋଟ ୨୧୬ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬ ଥର ଗୋଟିଏ ଇନିଂସରେ ୪ ୱିକେଟ୍ ଏବଂ ୭ ଥର ଗୋଟିଏ ଇନିଂସରେ ୫ ୱିକେଟ୍ ନେଇଛନ୍ତି।

ହିଥ ଷ୍ଟ୍ରିକ୍ ହାରାହାରି ୨୯.୮୨ ରେ ୫୦ ଓଭର ଫର୍ମାଟରେ ୨୩୯ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ଇନିଂସରେ ୫ ୱିକେଟ୍ ନେଇଥିବା ବେଳେ ୭ ଥର ୪ ୱିକେଟ ନେଇଛନ୍ତି। ବ୍ୟାଟିଂରେ ମଧ୍ୟ ହିଥ୍ ଷ୍ଟ୍ରିକ୍ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟେଷ୍ଟରେ ୧୯୯୦ ରନ୍ କରିଥିବାବେଳେ ODI ରେ ୨୯୪୩ ରନ୍ କରିଛନ୍ତି। ଟେଷ୍ଟରେ ଷ୍ଟ୍ରିକ୍ ୧ ଟି ଶତକ ଏବଂ ୧୧ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ ସେ ODI ରେ ୧୩ ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।

ଅଧିନାୟକ ରେକର୍ଡ ଏହିପରି କିଛି ଥିଲା:

୨୦୦୦ ମସିହାରେ ଜିମ୍ବାୱେ କ୍ରିକେଟ୍ ବୋର୍ଡ ହିଥ ଷ୍ଟ୍ରିକ୍ ଙ୍କୁ ଉଭୟ ଟେଷ୍ଟ ଏବଂ ODI ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଷ୍ଟ୍ରିକ୍ ଅଧିନାୟକତ୍ୱରେ ଜିମ୍ବାୱେ ୨୧ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୪ ଟି ଜିତିଥିବାବେଳେ ୧୧ ଟି ହାରିଛି। ଏବଂ ୬ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ODI ରେ, ଷ୍ଟ୍ରିକ୍ ୬୮ ଟି ମ୍ୟାଚ୍ ରେ ଦଳର ଅଧିନାୟକତ୍ୱ କରିଥିଲେ ଏବଂ ଏଥିରୁ ୪୭ ଟି ମ୍ୟାଚ୍ ରେ ପରାଜୟ ହୋଇଥିଲା, ଦଳ ୧୮ ଟି ମ୍ୟାଚ୍ ଜିତିଥିଲା। ​​ଷ୍ଟ୍ରିକ୍ ଙ୍କ ମୃତ୍ୟୁ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କ ସମେତ ଅନେକ ପୂର୍ବତନ ତଥା ବର୍ତ୍ତମାନର ଖେଳାଳି ତାଙ୍କୁ ଟ୍ୱିଟ୍ ମାଧ୍ୟମରେ ସ୍ମରଣ କରିଛନ୍ତି।

Categories
ଆଞ୍ଚଳିକ

ନାନାବାୟା ପ୍ରତିଷ୍ଠାତାଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି

କୁଜଙ୍ଗ: ମାସିକ ଶିଶୁ କିଶୋର ପତ୍ରିକା ନାନା ବାୟାର ପ୍ରତିଷ୍ଠାତା ଡାକ୍ତର ଲକ୍ଷଣ କୁମାର ବେହେରାଙ୍କ ପରଲୋକରେ ଅଗ୍ରଦୂତ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କୁଜଙ୍ଗର ଏହି ସୁପୁତ୍ରଙ୍କ ବିୟୋଗରେ କୁଜଙ୍ଗ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଦୂତ ସଭାପତି ବାବୁରାମ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ ମୁଖ୍ୟ ଅତିଥି ଓ ପ୍ରିୟ ବନ୍ଧୁର ସଭାପତି ନାଟ୍ୟକାର ରଘୁନାଥ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡାକ୍ତର ବେହେରାଙ୍କ ସାହିତ୍ୟ ପ୍ରତି ଥିବା ଅନୁରାଗକୁ ସ୍ମରଣ କରିବା ସହ ଶିଶୁର ବିକାଶରେ ଦେଶର ସମୃଦ୍ଧି ଚିନ୍ତା କରି ସେ ସାହିତ୍ୟକୁ ଏକ ମାଧ୍ୟମ ବାଛି ନେଇଥିଲେ।

ଶିଶୁ ସାହିତିକା ପ୍ରଭାତୀ ମାଝୀଙ୍କ ସଂଯୋଜନାରେ ତାଙ୍କ ସ୍ମୃତିକୁ ନେଇ ଏକ କମିତା ପାଠ କରାଯାଇଥିଲା। ଏଥିରେ କବି ରୁନିବାଳା ମଲିକ, କବି ନବୀନ କୁମାର ପ୍ରଧାନ, ଗୀତା ଦାସ, ସରୋଜିନୀ ମିଶ୍ର, ନୀରଞ୍ଜନ ରାଉତ, ଗୌରହରି ବାରିକ, ଶଙ୍କର ଦାସ, ଦେବୀ ପ୍ରସାଦ ପଟ୍ଟନାୟକ, କାର୍ତ୍ତିକ ଚରଣ ପଣ୍ଡା ପ୍ରମୁଖ ଶୋକ କବିତା ଆବୃତ୍ତି କରିଥିଲେ। ଶେଷରେ ବିଜୟ କୁମାର ଖଟାଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ଓମାନ ଚାଣ୍ଡିଙ୍କ ଦେହାନ୍ତରେ ଆମେ ଜଣେ ନମ୍ର ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ, ଯେ କି ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ ଏବଂ କେରଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ସହ ହୋଇଥିବା ବିଭିନ୍ନ କଥାବାର୍ତ୍ତା ମନେ ଅଛି, ବିଶେଷକରି ଯେତେବେଳେ ଆମେ ଦୁହେଁ ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲୁ ଏବଂ ପରେ ମୁଁ ଯେତେବେଳେ ଦିଲ୍ଲୀକୁ ଗଲି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୁଳାଧିପତି ପ୍ରଫେସର ଡି.ପି. ରାୟଙ୍କ ପରଲୋକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ହୋଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଥିଲେ।

ଦୁଇ ଥର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ରାୟଙ୍କର ସୋଆ ସହିତ ଦୀର୍ଘ ସମୟର ସମ୍ପର୍କ ଥିଲା। ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ପ୍ରମୁ୍‌ଖ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମାର୍ଚ୍ଚ ୧, ୨୦୨୨ରେ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ପ୍ରଫେସର ନାୟକ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଯାଇ ଶେଷ ଦର୍ଶନ କରିଥିଲେ ଏବଂ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ସେ ଏକ ମହାନ୍ ଆତ୍ମା ଥିଲେ ଏବଂ ସୋଆର ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ବୋଲି ନିଜ ଶୋକ ବାର୍ତାରେ ପ୍ରଫେସର ନାୟକ ପ୍ରକାଶ କରିଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ରାୟଙ୍କୁ ପିତୃତୁଲ୍ୟ ଓ ଜଣେ ମାର୍ଗଦର୍ଶକ ବୋଲି ଅଭିହିତ କରିବା ସହ ତାଙ୍କ ମୃତ୍ୟୁ ବିଶ୍ୱବିଦ୍ୟାଳୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ସୋଆର କୃଷି ମହାବିଦ୍ୟାଳୟ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ) ପ୍ରତିଷ୍ଠା କରିବାରେ ପ୍ରଫେସର ରାୟ ମୁଖ୍ୟ ପୁରୋଧା ଥିଲେ। ପୂର୍ବ ଏବଂ ଉତର ପୂର୍ବ ଭାରତରେ ପ୍ରଥମ ଥର ଲାଗି ଏଭଳି ଘରୋଇ କୃଷି ମହାବିଦ୍ୟାଳୟ ଆରମ୍ଭ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରୀନାରୀ ସାଇନ୍‌ସେସ୍ ଏବଂ ଆନିମଲ୍ ହଜବାଣ୍ଡ୍ରୀ ଆରମ୍ଭ କରିବାରେ ମଧ୍ୟ ତାଙ୍କର ଅନେକ ସହଯୋଗ ଥିଲା।

୧୯୪୯ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମିତ ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟିରୁ ବିଏସ୍‌ସି (କୃଷି) ଶିକ୍ଷା ଗ୍ରହଣ କରିବା ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି (କୃଷି) ଉପାଧି ଗ୍ରହଣ କରିଥିଲେ। ସେହି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସେ ପିଏଚ୍‌ଡି ହାସଲ କରିଥିଲେ।

କଲିକତା ବିଶ୍ୱବିଦ୍ୟଳୟରୁ ଉଦ୍ୟାନ କୃଷି ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ସେ ଓୟୁଏଟିରେ ଆସୋସିଏଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଆସୋସିଏଟ୍ ଡାଇରେକ୍ଟର (ରିସର୍ଚ୍ଚ), ଉଦ୍ୟାନ କୃଷି ବିଭାଗର ପ୍ରଫେସର ଓ ମୁଖ୍ୟ, ଏକ୍‌ସଟେନ୍‌ସନ୍ ଏଜୁକେସନ୍ ଡିନ୍ ଏବଂ ରେଜିଷ୍ଟ୍ରାର୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପରେ ୨୦୦୬ ମସିହାରେ ଓୟୁଏଟିର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ଓୟୁଏଟିର କୁଳପତି ପଦରେ ରହିଥିଲେ।

ପରିବା ଏବଂ ପ୍ଲାଂଟେସନ୍ ଫସଲ, ଅର୍ଚ୍ଚାଡ୍ ମ୍ୟାନେଜମେଂଟ, ଭେରାଇଟାଲ୍ ଓ ନ୍ୟୁଟ୍ରିସ୍‌ନାଲ୍ ଇମ୍ପ୍ରୁଭ୍‌ମେଂଟ, ୱାଟର ମ୍ୟାନେଜମେଂଟ, ପ୍ରୋପାଗେସନ୍ ଟେକ୍ନିକ୍ସ, ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଂଟ ଅଫ୍ ଟ୍ରପିକାଲ ଆଣ୍ଡ ସବ୍‌- ଟ୍ରପିକାଲ୍ ଫ୍ରୁଟ୍ସ ଓ ପରିବା ଫସଲରେ ଉନ୍ନତି କ୍ଷେତ୍ରରେ ସେ ଅନେକ ଗବେଷଣା କରିଛନ୍ତି।

୫୦ ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ୍ ଏବଂ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କର ସେ ଗାଇଡ୍ ଥିବା ବେଳେ ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରର ଜର୍ନାଲ୍ ଗୁଡ଼ିକରେ ତାଙ୍କର ୨୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶିତ ହୋଇଛି।

ପ୍ରଫେସର ରାୟ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌), ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି(ଡିବିଟି), ଡିପାର୍ଟମେଂଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଡିଏସଟି) ଏବଂ ଭାରତ ସରକାରଙ୍କ ପ୍ଲାନିଂ କମିଶନ ଅଧିନରେ ଥିବା ବିଭିନ୍ନ୍ କମିଟିର ସେ ସଦସ୍ୟ ଓ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ତାଙ୍କ ପ୍ରାର୍ଥୀବ ଶରୀରକୁ ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ସୋଆର ମୁଖ୍ୟ କାର୍ଯ୍ୟାଳୟକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ପ୍ରଫେସର ଜୟଦେବ ପତି, ଉପକୁଳପତି ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲର୍ ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଜଏଂଟ ରେଜିଷ୍ଟ୍ରାର ଭିଷ୍ମ ଚରଣ ଦାସ, ପ୍ରଫେସର ମଧୁବ୍ରତା ମହାନ୍ତି, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ସିଭିଓ ଯୁଗଳ ଦାସ ଓ ମାନବସମ୍ବଳ ଅଧିକାରୀ ସିଦ୍ଧବ୍ରତ ଦାଶ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଶେଷ ଦର୍ଶନ କରିଥିଲେ। ସମ୍ ହସ୍ପିଟାଲ୍‌ରେ ମଧ୍ୟ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକ ସଭା କରାଯିବା ସହ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସୋଆର ପ୍ରତ୍ୟେକ ଅନୁଷ୍ଠାନରେ ଶୋକ ସଭା କରାଯାଇଥିବା ବେଳେ ସମ୍ପୃକ୍ତ ଅନୁଷ୍ଠାନର ଡିନ୍ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ପୁରୀରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ସମାଜସେବୀ ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ।

ତେବେ ସେ ୮୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର

ଅର୍ଥନୀତିଜ୍ଞ ଅଭିଜିତ୍ ସେନ୍ ଆଉ ନାହାନ୍ତି: ୭୨ ବର୍ଷ ବୟସରେ ହେଲା ପରଲୋକ

ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେନ୍ ଙ୍କ ଭାଇ ଡ. ପ୍ରଣବ ସେନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭିଜିତ୍ ସେନ୍ ରାତି ପ୍ରାୟ ୧୧ଟା ସମୟରେ ହୃଦଘାତରେ ପୀଡିତ ହୋଇଥିଲେ, ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ, କିନ୍ତୁ ସେତେବେଳକୁ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ଚାରି ଦଶନ୍ଧି ଧରି ନିଜର କ୍ୟାରିଅରରେ ଅଭିଜିତ୍ ସେନ୍ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଅର୍ଥନୀତି ଶିକ୍ଷା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଯୋଜନା ଆୟୋଗର ସଦସ୍ୟ ଥିଲେ। ମନମୋହନ ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ।

୨୦୧୦ ରେ ତାଙ୍କୁ ଜନସେବା ପାଇଁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୨୦୧୪ ରେ ଯେତେବେଳେ ଏନଡିଏ କ୍ଷମତାକୁ ଆସିଲା, ସେତେବେଳେ ସେନଙ୍କୁ ଏକ “ଦୀର୍ଘକାଳୀନ ଖାଦ୍ୟ ନୀତି” ଗଠନ ପାଇଁ ଏକ ଉଚ୍ଚ ସ୍ତରୀୟ ଟାସ୍କଫୋର୍ସର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଚାଉଳ ଏବଂ ଗହମ ପାଇଁ ସେନ୍ ଏକ ୟୁନିଭର୍ସାଲ୍ ପବ୍ଲିକ୍ ବିତରଣ ସିଷ୍ଟମର ଜଣେ ସମର୍ଥକ ଥିଲେ।

ସେନ୍ ଅନେକ ବିଶ୍ୱସ୍ତରୀୟ ଗବେଷଣା ଏବଂ ବହୁପକ୍ଷୀୟ ସଂଗଠନ ଯଥା UNDP, ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ, ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO), ଆନ୍ତର୍ଜାତୀୟ କୃଷି ବିକାଶ ଏବଂ OECD ବିକାଶ କେନ୍ଦ୍ର ସହିତ ଜଡିତ ଥିଲେ।

ଅଭିଜିତ୍ ସେନ୍ ଙ୍କ ପିତା ସମର ସେନ୍ ବିଶ୍ୱ ବ୍ୟାଙ୍କର ଅର୍ଥନୀତିଜ୍ଞ ଥିଲେ। ଅଭିଜିତ୍ ସେନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବା ପୂର୍ବରୁ ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିଥିଲେ। ତାଙ୍କ ଭାଇ ପ୍ରଣବ କହିଛନ୍ତି ଯେ ସେନ୍ ଗତ କିଛି ବର୍ଷ ଧରି ଶ୍ୱାସକ୍ରିୟାରେ ପୀଡିତ ଥିଲେ। କୋଭିଡ ମହାମାରୀ ସମୟରେ ତାଙ୍କର ଅସୁସ୍ଥତା ବୃଦ୍ଧି ପାଇଥିଲା। ତାଙ୍କ ପତ୍ନୀ ଜୟତି ଘୋଷ (ଜଣେ ଜଣାଶୁଣା ଅର୍ଥନୀତିଜ୍ଞ) ଏବଂ ଏକମାତ୍ର ଝିଅ ଜାନଭୀ ଅଛନ୍ତି।

Categories
ଆଞ୍ଚଳିକ

ସରାପାଲିର ଶତାୟୁ ବୃଦ୍ଧାଙ୍କ ପରଲୋକ

କନ୍ଦର୍ପ ବେହେରା
ନାକଟିଦେଉଳ: ସରପାଲି ଗ୍ରାମ ର ଶତାୟୁ ବୃଦ୍ଧ ଦମ୍ବୋଦର ସ୍ବାଇଁ ୧୦୭ ବୟସରେ ପଞ୍ଚପୋଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ୩ୟ ଶ୍ରେଣୀ ପାଠ ପଢିଥିବା ଶ୍ରୀ ସ୍ୱାଇଁ ଷାଠିଏ /ସତୁରି ଦଶକରେ ଭ୍ରାମ୍ୟମ୍ରାଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକରେ ବିଶିଷ୍ଟ ସଂଗୀତକାର ସହିତ ସଖି ଭୁମିକା ନିର୍ବାହ କରୁଥିଲେ। ସରାପାଲି ଅଂଚଳର ପ୍ରାଚୀନ ଯଂଜ୍ଞପୀଠରେ ଭଣ୍ଡାର ଘର ରକ୍ଷକ, ସାହି କୋଠଘରର କ୍ୟାସିଅର କାର୍ଯ୍ୟ ସହ ଗ୍ରାମର ସାମାଜିକ କାର୍ଯ୍ୟକ୍ରମ ଓ ଗ୍ରାମ କମିଟିର ଜଣେ ସକ୍ରିୟ ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି। ସେ ଗ୍ରାମରେ ଜଣେ ପୂର୍ଵ ଶବସଂସ୍କାରକ ରୂପେ ରହି କାର୍ଯ୍ୟ କରିଛନ୍ତି।

ଭାଗବତ ଗୀତା, ରାମାୟଣ ପଢିବା ସହ ପଣିକିଆ, ଲୋକଗୀତ, ଚାଷୀଗୀତ (ହଲିଆ ଗୀତ) ଲୋକଙ୍କୁ ଶୁଣାଇବାର ରୁଚି ତାଙ୍କର ରହିଥିଲା। ଲୋକ ମାନଙ୍କ ପ୍ରାଥମିକ ରୋଗ ଚିକିତ୍ସା ପାଇଁ ଅମାବାସ୍ୟା ଓ ସଂକ୍ରାନ୍ତି ରେ ଜଙ୍ଗଲରୁ ଚେର ମୂଳ ସଂଗ୍ରହ କରି ଔଷଧକୁ ବିନା ମୂଲ୍ୟ ରେ ପ୍ରଦାନ କରିଥାନ୍ତି। ସରlପାଲି ଗ୍ରାମପଂଚାୟତ ର ପୂର୍ବତନ ସରପଞ୍ଚ ତଥା ସ୍ବର୍ଗତ ଶିକ୍ଷକ ବଳରାମ ପୁରୋହିତ ତାଙ୍କ ଛାତ୍ରବନ୍ଧୁ ଅଟନ୍ତି। ବିଶିଷ୍ଟ ଚିତ୍ରଶିଳପୀ କଳା ଅଧ୍ୟାପକ ସୁଧିର ସ୍ବାଇଁଙ୍କ ସେ ଅଜା ଅଟନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ  ବିଶ୍ଵାଳଙ୍କ ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏନେଇ ହେମାନନ୍ଦଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ। ୧୯୮୯ ରୁ ୧୯୯୦ ଏବଂ ୧୯୯୦ ରୁ ୨୦୦୦ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ୬ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ସୁନ୍ଦରଗଡ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Categories
ବିଶେଷ ଖବର ମନୋରଂଜନ

ଦୁନିଆକୁ କନ୍ଦେଇ ଚାଲିଗଲେ ସବୁବେଳେ ହସୁଥିବା ବପି ଲହିରି, ୬୯ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ଏକ ସପ୍ତାହ ମଧ୍ୟରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଖରାପ ଖବର ଆସିଛି। ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ବପି ଲହିରି ମଙ୍ଗଳବାର ଦିନ ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କରି ବିୟୋଗରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।

ଏକ ସପ୍ତାହ ପୂର୍ବରୁ ଲତା ମଙ୍ଗେଶକରଙ୍କର ଦେହାନ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ, ସର୍ବଦା ହସୁଥିବା ବପି ଦା’ ଦୁନିଆକୁ ଏତେ ଶୀଘ୍ର କନ୍ଦେଇ ଚାଲିଯିବେ ବୋଲି କେହି ଆଶା କରିନଥିଲେ।

ବାପି ଲାହିରିଙ୍କୁ ମାତ୍ର ୬୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ବଲିଉଡରେ ଶୋକର ଲହରୀ ଖେଳିଯାଇଥିଲା। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାପି ଲାହିରିଙ୍କର ଓଏସଏ ହେତୁ ମୃତ୍ୟୁ ଘଟିଛି। ତଥାପି, ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ନଥିଲା।

ଗତ ଏକ ମାସ ଧରି ବପି ଲହିରିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ରାତି ୧୧ ଟା ସମୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପ୍ରାୟ ୧୧.୪୫ ମିନିଟରେ ସେ ନିଜ ଜୀବନର ଯୁଦ୍ଧରେ ହାରିଗଲେ। ବପି ଲହିରି ସଂଗୀତ ଇଣ୍ଡଷ୍ଟ୍ରିରେ ବହୁତ ଅବଦାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଉ ନାହାଁନ୍ତି ଶିଳ୍ପପତି ରାହୁଲ ବଜାଜ, ୮୩ ବର୍ଷ ବୟସରେ ହେଲା ପରଲୋକ

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢୁଥିଲେ। ରାହୁଲ ବଜାଜ ଜୁନ୍ ୧୦ ତାରିଖ ୧୯୩୮ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ବଜାଜ ମାରୱାଡି ବ୍ୟବସାୟୀ ପରିବାରର ଥିଲେ। ରାହୁଲ ବଜାଜ ଦୀର୍ଘ ସମୟ ଧରି ବଜାଜ ଗ୍ରୁପର ଦାୟିତ୍ୱ ତୁଲାଇଥିଲେ। ୧୯୬୫ ମସିହାରେ, ସେ ତାଙ୍କ ହାତକୁ ବଜାଜର ଦାୟିତ୍ଵ ନେଇଥିଲେ।

ରାହୁଲ ବଜାଜ ପ୍ରାୟ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ। ୨୦୦୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ରାହୁଲ ବଜାଜ ସ୍ୱାଧୀନତା ସଂଗ୍ରାମୀ ଜାମନାଲାଲ ବଜାଜଙ୍କ ନାତି ଥିଲେ। ସେ ନିଜେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅଧ୍ୟୟନ କରିଥିଲେ, ତାପରେ ସେ ଆଇନ ଡିଗ୍ରୀ ହାସଲ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କ ନେତୃତ୍ୱରେ ବଜାଜ ଅଟୋ କାରବାର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ଚି ଦେଶର ଅଗ୍ରଣୀ ସ୍କୁଟର ଏବଂ ଦୁଇ ଚକିଆ ବିକ୍ରେତା ହୋଇପାରିଛି।

ରାହୁଲ ବଜାଜ ତିନି ପିଢୀ ଧରି ନେହେରୁ ପରିବାର ସହିତ ଘନିଷ୍ଠ ପାରିବାରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ରାହୁଲଙ୍କ ପିତା କମଲନୟନ ଏବଂ ଇନ୍ଦିରା ଗାନ୍ଧୀ କିଛି ସମୟ ପାଇଁ ଗୋଟିଏ ବିଦ୍ୟାଳୟରେ ପଢିଥିଲେ। ୨୦୦୫ ମସିହାରେ ରାହୁଲ ତାଙ୍କ ପୁଅର ହାତରେ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ ପୁଅକୁ କମ୍ପାନୀର ଏମଡି କରିଥିଲେ।

ପ୍ରସିଦ୍ଧ ଶିଳ୍ପପତି ରାହୁଲ ବଜାଜଙ୍କ ମୃତ୍ୟୁରେ କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ଯେ, ମୁଁ ତାଙ୍କୁ ବହୁ ଦଶନ୍ଧି ଧରି ଜାଣିଥିଲି। ସେ ଆମର ପାରିବାରିକ ବନ୍ଧୁ ଥିଲେ। ଆମେ ଦୁହେଁ ରାଜ୍ୟସଭାରେ ଅନେକ ମୁହୂର୍ତ୍ତ ବିତାଇଛୁ। ଏହା ବ୍ୟତୀତ ଅଧିବେଶନ ସମୟରେ ଏବଂ ସେଣ୍ଟ୍ରାଲ ହଲରେ ମଧ୍ୟ ଆଲୋଚନା କରୁଥିଲୁ। ମୁଁ ତାଙ୍କ ସହିତ ମାତ୍ର କିଛି ମାସ ପୂର୍ବରୁ ୩୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓଙ୍କ ପରଲୋକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି/କୋକସରା: ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓଙ୍କ ପରଲୋକ ହୋଇଯାଇଛି। ଜୟପାଟଣା ସ୍ଥିତ ରୋଶନି ସିଂଦେଓ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ରହିଥିଲେ। ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳ ରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ।

ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ବିଧାୟକ ରହିଥିଲେ।ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ରହିଛନ୍ତି।

ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କ ୮୨ ବର୍ଷ ବୟସରେ ଭୁବନେଶ୍ୱର ପୁଷ୍ପେନ୍ଦ୍ର ସିଂଦେଓଙ୍କ ବାସଭବନରେରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ମର ଶରୀର ଜୟପାଟଣା ଅଣାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ପରଲୋକରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବତନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ଆଜି ସକାଳ ୯.୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି। ରାମକୃଷ୍ଣ ପଟ୍ଟନାୟକ କୋଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଏବଂ ବିଜେଡ଼ି ଟିକେଟରେ ଲଢି ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍: କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ଚାଟଶାଳୀରେ ପିଲାଙ୍କୁ ପଢାଇ ଚର୍ଚ୍ଚିତ ଥିବା ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଦିଲ୍ଲୀ ଫେରିବାର କିଛି ଦିନ ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ସମ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୧ ଟା ୨୮ ମିନିଟରେ ନନ୍ଦ ସାରଙ୍କ ପରଲୋକ ହୋଇଯାଇଛି। ୧୦୪ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଏନେଇ ନନ୍ଦ ସାରଙ୍କ ନାତି ଖଗେଶ୍ଵର ପୃଷ୍ଟି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାର ବିଶିଷ୍ଟ ସମାଜସେବୀ ତଥା ବାଲୁଗାଁ ଏନଏସିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦାସଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଅଶୋକ ଦାସଙ୍କ ପରଲୋକ ହୋଇଯାଇଛି। ଅଶୋକ ଦାସଙ୍କ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ।

ଶ୍ରୀ ଦାସଙ୍କ ବିୟୋଗ ଯୋଗୁଁ ଚିଲିକା ଅଞ୍ଚଳ ପାଇଁ ଏକ ବଡ କ୍ଷତି ହୋଇଛି। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି।

ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ପ୍ରଶଂସା ଲାଭ କରିଥିଲେ। ଆଜି ଭୋର ୩ ଟା ସମୟରେ ନିଜ ବାସ ଭବନରେ ଅଶୋକ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଉ ନାହାନ୍ତି ବୀରଭଦ୍ର ସିଂହ: ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତୁଲାଇଛନ୍ତି ଦାୟିତ୍ଵ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ ହୋଇଯାଇଛି। ୮୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବୀରଭଦ୍ର ଆଜି ଭୋର ୩ ଟା ୪୦ ମିନିଟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ ୨ ମାସ ହେଲା ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୀରଭଦ୍ର ଦୁଇ ଦୁଇ ଥର କରୋନାକୁ ପରାସ୍ତ କରିଥିଲେ।

ହେଲେ ଗତ ଦୁଇ ଦିନ ହେଲା ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ସେ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ୯ ଥର ବିଧାୟକ ଭାବେ ନିର୍ବାଚିତା ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ: ଗତକାଲି କନିଷ୍ଠ ପୁତ୍ରଙ୍କ ହୋଇଥିଲା ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି।

ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସ ରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁର ମାତ୍ର ୧୧ ଦିନ ପରେ କରୋନାରେ ପ୍ରାଣ ହରାଇଲେ ପୁଅ ପ୍ରଶାନ୍ତ

ଭୁବନେଶ୍ବର: ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ବାପାଙ୍କ ମୃତ୍ୟୁର ୧୧ ଦିନ ପରେ ପ୍ରଶାନ୍ତଙ୍କ ପ୍ରାଣହାନୀ ଘଟିଛି। ଗତ ୯ ତାରିଖରେ ରଘୁନାଥ ମହାପାତ୍ରଙ୍କ ନିଧନ ହୋଇଥିବା ବେଳେ ଆଜି ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନଦ ମହାନ୍ତି ସୂଚନା ଦେଇଛନ୍ତି।

ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସେ ସୁନାମ ଅର୍ଜନ କରିଥିଲେ। ଓଡିଶା ରଣଜୀ ଦଳରେ ପ୍ରଶାନ୍ତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ।