ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅର୍ଥାତ୍ ଓସିଏର ପୂର୍ବତନ ସଭାପତି ତଥା ବରିଷ୍ଠ କ୍ରୀଡ଼ା ପ୍ରଶାସକ ଏବଂ ପୂର୍ବତନ ମନ୍ତ୍ରୀ ରସବିହାରୀ ବେହେରାଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ଏହି ମହାପ୍ରୟାଣରେ ରାଜ୍ୟର କ୍ରୀଡ଼ା, ରାଜନୀତି ଏବଂ ସାମାଜିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜଣେ ଦୂରଦଷ୍ଠୀ ଜନନେତା ଏବଂ ଦକ୍ଷ ସଂଗଠକ ଭାବେ ସେ ଓଡ଼ିଶାର ଜନସାଧାଣଙ୍କ ନିକଟରେ ସୁପରିଚିତ ଥିଲେ। ଦୀର୍ଘ ବର୍ଷ ଧରି ରାଜ୍ୟର କ୍ରୀଡ଼ା ଓ ବିଶେଷକରି କ୍ରିକେଟ୍ର ବିକାଶ ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଓସିଏର ସଭାପତି ଦାୟିତ୍ୱ ତୁଲାଇବା ସମୟରେ ସେ ରାଜ୍ୟରେ କ୍ରିକେଟ୍ ପ୍ରଶାସନର ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଯେଉଁ ଅବଦାନ ରଖିଥିଲେ, ତାହା ଚିରସ୍ମରଣୀୟ ହୋଇରହିବ। ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ସହ ରାଜ୍ୟରେ କ୍ରିକେଟର ପ୍ରସାର ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ଓଡ଼ିଶା କ୍ରିକେଟ୍କୁ ଏକ ନୂତନ ପରିଚୟ ପ୍ରଦାନ କରିଥିଲା। ତାଙ୍କର ଏଭଳି ଅମାୟିକ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତା ସବୁବେଳେ କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ଅମର ହୋଇରହିବ। ଏହି ଦୁଃଖଦ ସମୟରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଆସୋସିଏସନ୍ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ତାଙ୍କର ବିୟୋଗ କେବଳ ଓସିଏ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ ଓ ଅନୁପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଛି। ଈଶ୍ୱର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକାକୁଳ ପରିବାରକୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି।


