ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯିବେ ଭାରତୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ସୀତାରମଣଙ୍କ ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି। ଆସନ୍ତା ଜୁନ୍ ୮ ଏବଂ ୯ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସୀତାରମଣଙ୍କର ପ୍ରଥମ ବିଦେଶ ଗସ୍ତ। ଏହି ବୈଠକରେ ବିଭିନ୍ନ ରାଷ୍ଟ୍ରର ଅର୍ଥ ବିଭାଗ ମୁଖ୍ୟ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମାନେ ଯୋଗ ଦେବେ ବୋଲି ଜଣାପଡିଛି। ଏହି ବୈଠକରେ ବିଶ୍ବ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟା, ଭିତ୍ତିଭୂମିରେ ନିବେଶ ଏବଂ ଅନ୍ତର୍ଜାତୀୟ କର ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ରହିଛି। ଜାପାନର ଫୁକୋକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ଜି-୨୦ ରାଷ୍ଟ୍ରମୁଖ୍ୟ ମାନଙ୍କର ଏକ ବୈଠକ ଜୁନ୍ ୨୮ ଏବଂ ୨୯ ତାରିଖରେ ଜାପାନର ଓସାକାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।
Tags: