ଡିଏଭି ପୋଖରୀପୁଟରେ ସାହିତ୍ୟ ସପ୍ତାହ ଉ‌ଦ୍‌ଯାପିତ

Published: Sep 7, 2023, 11:40 pm IST

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରରୋଚନାରେ “ଲିଟେରାସି କନ୍‌କ୍ଲେଭ୍”ଉ‌ଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଦକ୍ଷା ଦେବାଂଶୀ ଓ ପ୍ରାପ୍ତି ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଯୋଗଦେଇ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାକୁ ସମୃଦ୍ଧ କରିବା ପାଇଁ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ହିନ୍ଦୀ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ଡକ୍ଟର ଅଜୟ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ଯୋଗଦେଇ ହିନ୍ଦୀ ଭାଷାରେ ବିଦ୍ୟାର୍ଥୀମାନେ କିପରି ଉନ୍ନତି କରିବେ ସେ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ଥିବା ସନ୍ଦେହ ଦୂର କରିଥିଲେ।

ଏହି ଅବସରରେ ଅନ୍ୟତମ ଅତିଥିରୂପେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଶିଷ୍ଟ ଲେଖକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଯୋଗଦାନ କରି ପିଲାମାନଙ୍କ ମନରେ ଥିବା କେତୋଟି ପ୍ରଶ୍ନର ଉତ୍ତର ଦେବା ସହ ଓଡ଼ିଆ ଭାଷାରେ ବିଦ୍ୟାର୍ଥୀମାନେ କରୁଥିବା ସାଧାରଣ ତ୍ରୁଟିକୁ ସରଳ ଉପାୟରେ କିପରି ସୁଧାରି ହେବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ତିନିଜଣ ବିଦ୍ୟାର୍ଥୀଙ୍କଦ୍ୱାରା ରଚିତ ପୁସ୍ତକକୁ ଅତିଥିଗଣ ଉନ୍ମୋଚିତ କରିଥିଲେ।

ପରିଶେଷରେ ଇଂରାଜୀ ବିଭାଗର ଶିକ୍ଷୟିତ୍ରୀ ଡକ୍ଟର ଲି‌ପ୍‌ସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ନିରୀକ୍ଷିକା ଶିତିକଣ୍ଠ ପତି, ରଞ୍ଜନ କୁମାର ସ୍ବାଇଁ, ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ଏଥିରେ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷା ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Related posts