ଯଦି ସାହସ ଅଛି, ‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରି ଦେଖାନ୍ତୁ: ଓମାର ଅବଦୁଲ୍ଲା

Published: Sep 8, 2023, 1:36 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଇଣ୍ଡିଆ ବନାମ ଭାରତ ବିତର୍କକୁ ଡେଇଁଛନ୍ତି। ସେ ଚ୍ୟାଲେଞ୍ଜ କରିଛନ୍ତି ଯେ, ‘ଯଦି ବିଜେପି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସାହସ ଅଛି ତେବେ ସେମାନେ ଏହି ଦେଶର ନାମ ପରିବର୍ତ୍ତନ କରି ଦେଖାନ୍ତୁ। ସମ୍ବିଧାନରେ ସଂଶୋଧନ କରିବା ଏତେ ସହଜ ନୁହେଁ, ମୁଁ ଦେଖିବି କିଏ ସେମାନଙ୍କ ସହ ଆସୁଛି।

ଓମାର ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ସଂସଦରେ ସେମାନଙ୍କର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଛି କି? ଯଦି ଅଛି, ତେବେ ନାମ ପରିବର୍ତ୍ତନ କରି ଦେଖାନ୍ତୁ। ଦେଶର ନାମ ପରିବର୍ତ୍ତନ କରିବା ସାଧାରଣ କଥା ନୁହେଁ। ଯଦି ସେମାନଙ୍କର ଏତେ ସାହସ ଅଛି ତେବେ ଏହାକୁ ଆଣନ୍ତୁ, ଆସନ୍ତୁ ଦେଖିବା କିଏ ଆପଣଙ୍କୁ ଏଥିରେ ସାହାଯ୍ୟ କରିବ। ଆମେ ଯାହା ସମ୍ବିଧାନ ପଢିଛୁ, ଆରମ୍ଭରେ ଏହା ଲେଖାଯାଇଛି ଯେ ଇଣ୍ଡିଆ ଦାଟ ଇଜ ଭାରତ, ଯାହାକି ରାଜ୍ୟମାନଙ୍କର ଏକ ସଂଘ।

ଭାବପ୍ରବଣ ପ୍ରସଙ୍ଗକୁ ସାମ୍ନାକୁ ଆସୁଛି:

ଇଣ୍ଡିଆ-ଭାରତ ନାମ ବିବାଦ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବୁଧବାର କହିଛନ୍ତି ଯେ, ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଭାବପ୍ରବଣ ପ୍ରସଙ୍ଗ ସାମ୍ନାକୁ ଆସୁଛି। ତୁମକୁରୁ ଜିଲ୍ଲାର ମଧୁଗିରି ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିଦ୍ଧରମେୟା କହିଛନ୍ତି ଯେ ଦେଶର ସମ୍ବିଧାନକୁ ୨୬ ନଭେମ୍ବର ୧୯୪୯ ରେ ସ୍ବୀକୃତି ମିଳିଥିଲା। ସେବେଠାରୁ ଦେଶକୁ ‘ଇଣ୍ଡିଆ’ କୁହାଯାଏ।

ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ପ୍ରାରମ୍ଭରେ ‘ଊଇ ଦ ସିଟିଜେନସ ଅଫ ଇଣ୍ଡିଆ’ ବୋଲି କୁହାଯାଇଛି। ଇଣ୍ଡିଆର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ନିର୍ବାଚନ ପୂର୍ବରୁ ଭାବପ୍ରବଣ ପ୍ରସଙ୍ଗ ସାମ୍ନାକୁ ଆସୁଛି।

Related posts