ମଝି ଆକାଶରେ ବିମାନରୁ ସରିବା ଆରମ୍ଭ କଲା ଇନ୍ଧନ, କ୍ଷେତରେ ହେଲା ଜରୁରୀ ଅବତରଣ

Published: Sep 12, 2023, 11:26 pm IST

ନୂଆଦିଲ୍ଲୀ: ଉଡ଼ାଣ ସମୟରେ ବୈଷୟିକ ସମସ୍ୟା ହେତୁ ଋଷର ଏକ ବିମାନକୁ ଆଜି ଏକ କ୍ଷେତରେ ଜରୁରୀ ଅବତରଣ କରିବାକୁ ପଡିଛି। ବିଶେଷ କଥା ହେଉଛି ଏହି ଘଟଣା ସମୟରେ ସମୁଦାୟ ୧୬୭ ଜଣ ବିମାନରେ ଥିଲେ। ତେବେ ସୌଭାଗ୍ୟର ବିଷୟ ହେଉଛି ଏହି ଜରୁରୀକାଳୀନ ଅବତରଣ ସମୟରେ କୌଣସି ଆହତଙ୍କ ଖବର ନାହିଁ।

ମସ୍କୋ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଋଷର ଏୟାର କ୍ୟାରିଅର ଉରାଲ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏୟାରବସ୍ A320 ବ୍ଲାକ୍ ସାଗର ରିସର୍ଟ ସୋଚିରୁ ସାଇବରିଆର ଓମସ୍କକୁ ଉଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ବିମାନଟି ବୈଷୟିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ରିପୋର୍ଟ ଅନୁଯାୟୀ, ଋଷର ବିମାନ ସାଇବରିଆ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଥିଲା। ଅଧିକାରୀମାନେ ଜଙ୍ଗଲ ପାଖରେ ଥିବା ଏକ କ୍ଷେତରେ ବିମାନ ଅବତରଣ କରିବାର ଫୁଟେଜ ମଧ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ବିମାନ ଚାରିପାଖରେ ଠିଆ ହୋଇଥିବା ଲୋକଙ୍କୁ ଦେଖିବାକୁ ମିଳେ।

ଆଜି ଉରାଲ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କହିଛନ୍ତି ଯେ, ଓମସ୍କ ନିକଟରେ ବିମାନରେ ଥିବା ‘ସବୁଜ’ ହାଇଡ୍ରୋଲିକ୍ ସିଷ୍ଟମ ବିଫଳ ହୋଇଥିଲା। ବିମାନ କମାଣ୍ଡର ନୋଭୋସିବିରସ୍କରେ ଏକ ବିକଳ୍ପ ଏୟାରଫିଲ୍ଡରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପରେ ଅନୁଭବ କରିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ହେବ ନାହିଁ। ଏଭଳି ପରିସ୍ଥିତିରେ ଏହାକୁ କ୍ଷେତରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Related posts