ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ସୋଆ ଆଇନ୍ ଛାତ୍ରୀ ସମ୍ବର୍ଦ୍ଧିିତ

Published: Sep 13, 2023, 6:08 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଛାତ୍ରୀ କୁମାରୀ ରାଧୀକା ଶର୍ମା ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୁଧବାର ଏହି ସଫଳତା ନିମନ୍ତେ ତାଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି ।
କୁମାରୀ ଶର୍ମା ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୪୭ ତମ ର‌୍ୟାଙ୍କ୍ ଅଧିକାର କରିଛନ୍ତି । ସେ ସ୍ନିଲ୍‌ର ୨୦୧୪-୧୯ ବ୍ୟାଚ ବି.ଏ.ଏଲ୍‌.ଏଲ୍‌.ବି ଛାତ୍ରୀ । ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରଫେସର (ଡ.) ନାୟକ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏହି ଅବସରରେ ନିଜ ପ୍ରତିକ୍ରିୟାରେ କୁମାରୀ ଶର୍ମା ନିଜ ସଫଳତାର ଶ୍ରେୟ ସୋଆକୁ ଦେବା ସହ ତାଙ୍କୁ ପାଠ ପଢ଼ାଇଥିବା ଅଧ୍ୟାପକ-ଅଧ୍ୟାପିକାଙ୍କ ସହଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି ବୋଲି କହିଥିଲେ । ତେଣୁ ସୋଆର ନାମକୁ ସେ ସବୁବେଳେ ଉଚ୍ଚକୁ ନେବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।
ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ସେ ଜନସାଧାରଣଙ୍କର ସେବା କରିବାକୁ ଚେଷ୍ଟା କରିବେ ବୋଲି କହିବା ସହ ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ସାମିଲ କରିବା ନିମନ୍ତେ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ ।
ତାଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ, ସିନିୟର ପ୍ରଫେସର ମଧୁସୁଦନ ଦାସ ଓ ଆସୋସିଏଟ୍ ପ୍ରଫେସର ଚିନ୍ମୟ ମହାପାତ୍ର ଉପସ୍ଥିତ ଥିଲେ ।

Related posts