ଅନନ୍ତନାଗରେ ୪ ଶହୀଦ, ନିଖୋଜ ଯବାନଙ୍କ ମିଳିଲା ମୃତଦେହ, ସେନାର ଅପରେସନ୍ ଜାରି

Published: Sep 15, 2023, 11:04 am IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ଏନକାଉଣ୍ଟର ସମୟରେ ସହିଦ ହୋଇଥିବା ଯବାନଙ୍କ ମୃତଦେହ ନିଖୋଜ ହୋଇଯାଇଥିଲା। ଏହିପରି ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନନ୍ତନାଗ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଶହୀଦଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି।

ଶୁକ୍ରବାର ଦିନ ଅନନ୍ତନାଗରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ଉଜୀର ଖାନ ନାମକ ଜଣେ ସ୍ଥାନୀୟ ଆତଙ୍କବାଦୀ ସମ୍ପୃକ୍ତ ଥିବା ଜମ୍ମୁ କାଶ୍ମୀର ପୋଲିସ କହିଛି। ଏହା ବ୍ୟତୀତ ଏହି ଏନକାଉଣ୍ଟରରେ ବିଦେଶୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ମଧ୍ୟ ନିଶ୍ଚିତ ହୋଇଛି। ଦ୍ୱିତୀୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବାବେଳେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

Related posts