ଏବେ ଲଣ୍ଡନରେ ଭାରତ ବିରୁଦ୍ଧରେ ବିଷ ବୁଣିଲେ ଖାଲିସ୍ତାନ ସମର୍ଥକ, ତ୍ରିରଙ୍ଗାରେ ଲଗାଇଲେ ନିଆଁ

Published: Oct 4, 2023, 1:26 pm IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖାଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧରେ ବିଷ ବୁଣିବା ଆରମ୍ଭ କରିଛନ୍ତି। ନିକଟରେ ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଥିଲେ। ଖାଲିସ୍ତାନୀମାନେ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଏହି ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଭାରତୀୟ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ଦଳ ଖାଲସା ବ୍ରିଟେନର ନେତୃତ୍ୱ ନେଉଥିବା ଗୁରୁଚର ସିଂ ଭାରତୀୟ ଜାତୀୟ ପତାକା ଉପରେ ଗୋମୂତ୍ର ଢାଳିଥିଲେ।

ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ପ୍ରତିବାଦରେ ଗୁରୁଚରନ୍ ସିଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବ୍ରିଟିଶ ଗୋମୂତ୍ର ପିଇବାକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ବିରୋଧ ଆରମ୍ଭ ହେବା ମାତ୍ରେ ଗୁରୁଚରନ୍ ସିଂଙ୍କୁ ପୋଲିସ ଗିରଫ କରିଥିଲା। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଅନ୍ତର୍ଭୁକ୍ତ ପରମଜିତ ସିଂ ପମ୍ମା ମଧ୍ୟ ଏହି ପ୍ରତିବାଦରେ ଉପସ୍ଥିତ ଥିଲା।

ପ୍ରକାଶ ଯେ, ପରମଜିତ ସିଂ ପମ୍ମା ଖାଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ର ସଦସ୍ୟ ବୋଲି ଅଭିଯୋଗ ହୋଇଛି। ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ ସମୟରେ ପରମଜିତ ସିଂ ପମ୍ମା ହରଜିତ ସିଂ ନିଜ୍ଜରଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଭାରତ ବିରୋଧରେ ଅନେକ ଧମକ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ ଯେ ବ୍ରିଟେନର ଭାରତୀୟ ହାଇ କମିଶନର ବିକ୍ରମ ଦୋରଈସ୍ଵାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ଵାରା ଗୁରୁଦ୍ୱାରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନବାର କିଛି ଦିନ ପରେ ଏହି ବିରୋଧ ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତ ସରକାର ବ୍ରିଟିଶ ସରକାରଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts