ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ରେ ସଂଶୋଧନ ବିଜ୍ଞପ୍ତି ଜାରି କରିଛି। ଏଥିରେ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନର, ୧୯୯୫ର ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି। ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନ କରାଯାଇଛି।
ଏହା ପୂର୍ବରୁ ଏହି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ୩ ଅକ୍ଟୋବର ୨୦୨୩କୁ ସେହି ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା ଯେଉଁ ତାରିଖ ଠାରୁ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ସମ୍ବନ୍ଧରେ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ଏବଂ ଏହାର କାର୍ଯ୍ୟସୂଚୀରେ ଥିବା ଏଣ୍ଟ୍ରିଗୁଡ଼ିକ କାର୍ଯ୍ୟକାରୀ ହୋଇଛି।
କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ ୧୯୯୫ର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରିବା କ୍ଷେତ୍ରରେ ଏହି ଆଇନର ଧାରା ୧୬ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଥିଲା। ଏହି ଧାରାରେ ପ୍ରଥମ ଥର ପାଇଁ ୨ ବର୍ଷ ଏବଂ ପରବର୍ତ୍ତୀ ପ୍ରତ୍ୟେକ ଅପରାଧ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା।
କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫କୁ ଅଧିକ ବ୍ୟବସାୟ ଅନୁକୂଳ କରିବା ଏବଂ ଏହି କ୍ଷେତ୍ର ପ୍ରତି ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଧାରା ୧୬ ଅଧୀନରେ ନିର୍ଦ୍ଦିଷ୍ଟ ଦଣ୍ଡଗୁଡ଼ିକୁ ପୁନଃ ଯାଞ୍ଚ କରାଯାଇ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ମାଧ୍ୟମରେ ଅପରାଧମୁକ୍ତ କରାଯାଇଛି। ଜେଲ ଦଣ୍ଡାଦେଶକୁ ଏବେ ଆର୍ଥିକ ଜରିମାନା ଏବଂ ଅନ୍ୟାନ୍ୟ ଅଣଆର୍ଥିକ ବ୍ୟବସ୍ଥା ଯଥା ମାର୍ଗଦର୍ଶିକା, ଚେତାବନୀ ଏବଂ ନିନ୍ଦା ଆଦିକୁ ପରିବର୍ତ୍ତନ କରାଯାଇଛି।
ଆଜି ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିବା ନିୟମରେ ନିର୍ଦ୍ଦିଷ୍ଟ ‘କ୍ଷମତାପ୍ରାପ୍ତ ଅଧିକାରୀ’ଙ୍କ ଜରିଆରେ ଏହି ପଦକ୍ଷେପ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ, ଧାରା ୧୬ ଅଧୀନରେ ଏବେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଆଦେଶ ବିରୋଧରେ ଏକ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି। ଧାରା ୧୭ ଓ ୧୮ କୁ ଅଯଥା ବୋଲି ବାଦ୍ ଦିଆଯାଇଛି।
କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅଧୀନରେ ଥିବା ବ୍ୟବସ୍ଥାଗୁଡ଼ିକୁ ଅପରାଧମୁକ୍ତ କରିବାର କିଛି ଲାଭ ହେଲା:
୧- ଏହି ସଂଶୋଧନ ଦ୍ୱାରା କଠୋର ଦଣ୍ଡ ନ ନେଇ ଏବଂ ସାମାନ୍ୟ କିମ୍ବା ଅନିଚ୍ଛାକୃତ ଉଲ୍ଲଂଘନ ପ୍ରତି ସମ୍ବେଦନଶୀଳ ହୋଇ ଆଇନ ଅନୁପାଳନକୁ ପ୍ରୋତ୍ସାହିତ କରିବାର ସମ୍ଭାବନା ରହିଛି। ଜରିମାନା ପରିସର ମଧ୍ୟରେ ପରାମର୍ଶ, ନିନ୍ଦା ଏବଂ ଚେତାବନୀ ଅନ୍ତର୍ଭୁକ୍ତ କରିବା ସୂଚିତ କରେ ଯେ କେବଳ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅନୁପାଳନ ସମ୍ପର୍କରେ ଶିକ୍ଷିତ ଏବଂ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
୨- ସଂଶୋଧିତ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଜରିମାନାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି, ଯାହା ବିଭିନ୍ନ ପ୍ରକାର ଉଲ୍ଲଂଘନର ସମାଧାନ କରିବାରେ ନମନୀୟତା ପ୍ରଦାନ କରିଥାଏ। ଏହା ଉଲ୍ଲଂଘନର ପ୍ରକୃତି, ନିର୍ଦ୍ଦିଷ୍ଟ ଗୁଣ ଏବଂ ତୀବ୍ରତା ପ୍ରତି ଅଧିକ ଆନୁପାତିକ ପ୍ରତିକ୍ରିୟା ପାଇଁ ଅନୁମତି ଦେଇଥାଏ।
୩- ନିୟମରେ ସଂଶୋଧନ ଦ୍ୱାରା ଜରିମାନା ଆଦାୟ ପାଇଁ ଜଣେ ‘କ୍ଷମତାପ୍ରାପ୍ତ ଅଧିକାରୀ’ଙ୍କୁ ପରିଭାଷିତ କରାଯାଇଛି। ଏହା ପ୍ରବର୍ତ୍ତନ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ବୋଝ ପକାଇବା ବ୍ୟତୀତ ଏହାକୁ ସରଳ କରିଥାଏ।
୪- ସଂଶୋଧିତ ବ୍ୟବସ୍ଥାରେ ପରବର୍ତ୍ତୀ ଉଲ୍ଲଂଘନକୁ ସ୍ପଷ୍ଟ ଭାବରେ ସମାଧାନ କରାଯାଇଛି ଏବଂ ଅଧିକ ଜରିମାନା ବ୍ୟବସ୍ଥା ବ୍ୟତୀତ ପଞ୍ଜୀକରଣ ସ୍ଥଗିତ କିମ୍ବା ବାତିଲ କରିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ। ଏହା ନିରନ୍ତରତାକୁ ପ୍ରୋତ୍ସାହିତ କରେ ଏବଂ ଅଭ୍ୟାସଗତ କିମ୍ବା ବାରମ୍ବାର ଉଲ୍ଲଂଘନକୁ ନିରୁତ୍ସାହିତ କରେ।
୫- କେବୁଲ ଶିଳ୍ପରେ “ପ୍ଲାଟଫର୍ମ ସେବା” ଏବଂ “ସ୍ଥାନୀୟ କେବୁଲ ଅପରେଟର” ପରି ସାଧାରଣ ଶବ୍ଦଗୁଡିକର ସଂଜ୍ଞାକୁ ପ୍ରଥମ ଥର ପାଇଁ ନିୟମରେ ପରିଭାଷିତ କରାଯାଇଛି ଯାହା ଦ୍ୱାରା ସେମାନଙ୍କ ବ୍ୟବହାରରେ ସମାନତା ଅଣାଯାଇପାରିବ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ବର୍ତ୍ତମାନ ୧୪୦୦ରୁ ଅଧିକ ମଲ୍ଟି ସିଷ୍ଟମ ଅପରେଟର ପଞ୍ଜୀକୃତ ଅଛନ୍ତି। କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥାର ଉଲ୍ଲଂଘନକୁ ଅପରାଧମୁକ୍ତ କରିବା ଏବଂ ଦେୱାନୀ ଜରିମାନା ଭଳି ବ୍ୟବସ୍ଥା ଯୋଗୁ ଅଂଶୀଦାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ତଥା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ।