
ନୂଆଦିଲ୍ଲୀ: ଆରବ ଦେଶ କତରରେ ଆଜି ୮ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ସମସ୍ତ ଅଧିକାରୀଙ୍କୁ ଗୁପ୍ତଚର ଅଭିଯୋଗରେ ଦଣ୍ଡିତ କରାଯାଇଛି। ଆଠ ମାସ ପୂର୍ବେ ଗୁପ୍ତଚର ଅଭିଯୋଗରେ କତରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ମୃତ୍ୟୁଦଣ୍ଡର ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ। ଏକ ବିସ୍ତୃତ ନିଷ୍ପତ୍ତି ଅପେକ୍ଷା କରାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଆମେ ପରିବାର ସଦସ୍ୟ ଏବଂ ଆଇନ ଦଳ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ। ଆମେ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବ। ଏହି ନିଷ୍ପତ୍ତିକୁ କତର କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଉଠାଇବ।
ଏହି ସମସ୍ତ ଅଧିକାରୀ ଭାରତୀୟ ନୌସେନାରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ସେମାନେ ଇସ୍ରାଏଲ ପାଇଁ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି। ପ୍ରତିଷ୍ଠିତ ଅଧିକାରୀମାନେ ମଧ୍ୟ ଏହି ୮ ଜଣଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ସେମାନେ ଥରେ ପ୍ରମୁଖ ଭାରତୀୟ ଯୁଦ୍ଧ ଜାହାଜର ନେତୃତ୍ଵ ନେଉଥିଲେ। ବର୍ତ୍ତମାନ ଡହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ ଏବଂ କନସଲଟାନ୍ସି ସର୍ଭିସେସ୍ ପାଇଁ କାମ କରୁଥିଲେ। ଏହା ଏକ ଘରୋଇ ସଂସ୍ଥା, ଯାହା କତରର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇଥାଏ।