ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କରିଥିଲେ ଏହି ଦାବି

Published: Oct 27, 2023, 8:24 am IST

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଗୁରୁବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ନୋଟିସ୍ ର ଜବାବ ଦେବାକୁ ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ କହିଛନ୍ତି।

ବାସ୍ତବରେ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଦୌସାଠାରେ କହିଥିଲେ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରକୁ ଦେଇଥିବା ଦାନର ଲିଫାପା ଖୋଲାଯାଇଥିଲା ସେତେବେଳେ ସେଥିରେ ମାତ୍ର ୨୧ ଟଙ୍କା ମିଳିଥିଲା। ଏ ସମ୍ପର୍କରେ ନିର୍ବାଚନ ଆୟୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ତାଙ୍କ (ପ୍ରିୟଙ୍କା ଗାନ୍ଧୀ) ଭାଷଣର ଭିଡିଓ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗଙ୍କୁ କହିଛୁ ଯେ ଅକ୍ଟୋବର 20 ରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଅଭିଭାଷଣ ଦେଇଛନ୍ତି ଏବଂ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଆଚରଣ ବିଧି ଅନୁସରଣ କରିଛନ୍ତି କି? ଆପଣ ଆଚରଣ ବିଧି ଉପରେ ଅଛନ୍ତି କି? ଆପଣ ମିଥ୍ୟା ବିସ୍ତାର କରିପାରିବେ ନାହିଁ। ଧାର୍ମିକ ଭାବନା ସହିତ ପ୍ରଚାର ମଧ୍ୟ କରାଯାଇପାରିବ ନାହିଁ।

ପ୍ରିୟଙ୍କା ଗାନ୍ଧୀ କ’ଣ କହିଥିଲେ?:

ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଆପଣ ନିଶ୍ଚୟ ଦେଖିଥିବେ। ମୁଁ ଏହାକୁ ଟିଭିରେ ଦେଖିଲି, ଏହା ସତ କି ନୁହେଁ ଜାଣିନି। ପ୍ରଧାନମନ୍ତ୍ରୀ ମୋଦୀ ବୋଧହୁଏ ଦେବନାରାୟଣ ଜୀଙ୍କ ମନ୍ଦିରକୁ ଯାଇଥିଲେ। ସେ ଲିଫାପା ଭର୍ତ୍ତି କରିଥିଲେ। ମୁଁ ଟିଭିରେ ଦେଖିଲି ଯେ ୬ ମାସ ପରେ, ଯେତେବେଳେ ପିଏମ ମୋଦୀ ଦାନ କରିଥିବା ଲିଫାପା ଖୋଳାଗଲା, ସେଥିରୁ ୨୧ ଟଙ୍କା ମିଳିଥିଲା।

Related posts