Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ୟୁପିଆଇ: ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ
ଆଜିର ଖବର

ଭାରତର ୟୁପିଆଇ: ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ

October 28, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍। ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି। ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି। ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି।

ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇ ବ୍ୟବହାର କରୁଛନ୍ତି। ବିଶ୍ୱର ସବୁ ଦେଶ ମଧ୍ୟରୁ ଭାରତରେ ଡିଜିଟାଲ କାରବାର ସଂଖ୍ୟା ସର୍ବାଧିକ। ୨୦୨୨ ତଥ୍ୟ ଅନୁସାରେ ଭାରତରେ ମୋଟ ଦେଣନେଣର ୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହୁଏ। ଭାରତ ପରେ ଏ କ୍ଷେତ୍ରରେ କ୍ରମଗତ ଭାବେ ପଛକୁ ପଛ ରହିଛନ୍ତି ବ୍ରାଜିଲ, ଚୀନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ୨୦୧୬ରେ ଭାରତରେ ମାତ୍ର ୧୦ଲକ୍ଷ ଡିଜିଟାଲ ଟ୍ରାଞ୍ଜାକସନ ହୋଇଥିବାବେଳେ ଏବେ ୟୁପିଆଇ ମାଧ୍ୟମରେ କାରବାର ସଂଖ୍ୟା ୧୦ବିଲିୟନ ବା ୧୦୦୦ କୋଟି ଅତିକ୍ରମ କରିଛି।

ୟୁପିଆଇ ଯେଉଁ ସବୁଠୁ ବଡ ପରିବର୍ତ୍ତନ ଆଣିଛି ସେଇଟି ହେଲା ଭାରତୀୟମାନେ ଏହାର ବ୍ୟବହାର କରୁଥିବା ଢଙ୍ଗ ବା ଶୈଳୀ। ବୈଶ୍ୱିକ ଡାଟା ରିସର୍ଚ୍ଚର ତଥ୍ୟ ଅନୁସାରେ ୨୦୧୭ରେ ଭାରତରେ ନଗଦ ଅର୍ଥ କାରବାର ମୋଟ କାରବାରର ୯୦ ଶତାଂଶରୁ ହ୍ରାସ ପାଇ ୬୦ ଶତାଂଶରେ ପହଁଚି ଥିଲା। ଏହାର ଛ’ ମାସ ମଧ୍ୟରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ପ୍ରତ୍ୟାହୃତ ହେବା ପରେ ୟୁପିଆଇର ମୋଟ କାରବାର ପରିମାଣ ୨.୯ ନିୟୁତରୁ ୭୨ ନିୟୁତକୁ ବୃଦ୍ଧି ପାଇଥିଲା। ୨୦୧୭ ଶେଷ ସୁଦ୍ଧା ୟୁପିଆଇ ଟ୍ରାଞ୍ଜାକସନ୍ ତା’ ପୂର୍ବବର୍ଷ ତୁଳନାରେ ୯୦୦ ଶତାଂଶ ବଢିଥିଲା। ସେବେଠାରୁ ଭାରତରେ ୟୁପିଆଇ ଟ୍ରାଞ୍ଜାକସନ କାରବାର ହାର ବଢିବାରେ ଲାଗିଛି।

ୟୁପିଆଇ ଅତ୍ୟନ୍ତ ବ୍ୟବହାର ଅନୁକୂଳ। ଏହାକୁ ବ୍ୟବହାର କରିବା ଏତେ ସହଜ ଯେ ଯାହା ବିଶ୍ୱାସ କରିବା କଷ୍ଟ। ଏକ ଭର୍ଚୁଆଲ ପେମେଣ୍ଟ ଆଡ୍ରେସ (ଭିପିଏ) ବ୍ୟବହାର କରି ବ୍ୟବହାରକାରୀ ୟୁପିଏ ମାଧ୍ୟମରେ ଅର୍ଥ ପ୍ରେରଣ କରିପାରିବେ। ଏହି ବ୍ୟବସ୍ଥାରେ ପ୍ରେରକଙ୍କୁ ନିଜର ସମ୍ବେଦନଶୀଳ ବ୍ୟାଙ୍କ ତଥ୍ୟାବଳୀ ଦେବାର ଆବଶ୍ୟକତା ନାହିଁ। ଏହି ପ୍ରକ୍ରିୟାଟି ସ୍ମାର୍ଟଫୋନରେ ‘ଟେକ୍ସଡ ମେସେଜ୍’ ପଠାଇବା ଭଳି ଅତି ସହଜ। ଏହାର ପ୍ରଭାବ କେତେ ଅଧିକ ତାହାକୁ କଳନା କରିବା କଷ୍ଟ। ଏହା ମାଧ୍ୟମରେ ଲୋକଙ୍କ ଆର୍ଥିକ ସମାବେଶୀତା ବଢୁଛି, ଆର୍ଥିକ କାରବାରରେ ସ୍ୱଚ୍ଛତା ରକ୍ଷା ହେଉଛି ଓ ଅଣଆନୁଷ୍ଠାନିକ ଅର୍ଥନୀତିର ଆକାର ହ୍ରାସ ପାଉଛି।

ୟୁପିଆଇ ଅଭିବୃଦ୍ଧି ଯୋଗୁଁ ନଗଦ କାରବାର ପରିମାଣ କେବଳ ହ୍ରାସ ପାଇନାହିଁ, ଏହା ମଧ୍ୟ ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଚାହିଦା ହ୍ରାସ କରିଛି । ଉଦାହରଣ ସ୍ୱରୂପ ମର୍ଚ୍ଚାଣ୍ଟ ପେମେଣ୍ଟ ପାଇଁ ଡେବିଟ କାର୍ଡର ବ୍ୟବହାର ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ୟୁପିଆଇ ମଧ୍ୟ ପ୍ରିପେଡ ୱାଲେଟର ଏବେକାର ଆକ୍ସେସ ଶୈଳୀକୁ ବଦଳାଇ ଦେଇଛି । ୟୁପିଆଇ ଦିନକୁ ଦିନ ବିକଶିତ ଓ ଉନ୍ନତ ହେଉଥିôବାରୁ ଏବଂ ଏଥିରେ ଇନୋଭେସନ ଅଣାଯାଉଥିବାରୁ ଏହା ଭାରତର ଡିଜିଟାଲ ଭବିଷ୍ୟତକୁ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପ୍ରାୟ ନିଶ୍ଚିତ ।

ଡିଜିଟାଲ ପେମେଣ୍ଟ ସିଷ୍ଟମର ସଫଳତା କିନ୍ତୁ ଡିଜିଟାଲ ପେଣ୍ଟେ ଭିତ୍ତିଭୂମିର ବ୍ୟାପକତା ଓ ଦୃଢତା ଉପରେ ନିର୍ଭର କରେ ନାହିଁ। ଏହାର ବହୁଳ ବ୍ୟବହାର ହିଁ ଏହାକୁ ସଫଳ କରାଏ। ଲୋକେ ଯେତେ ଉତ୍ସାହିତ ହୋଇ ଏହି ଡିଜିଟାଲ କାରବାର ମାଧ୍ୟମକୁ ଗ୍ରହଣ କରିବେ। ତାହା ସେତେ ସଫଳ ହେବ। ଏହା ଅବଶ୍ୟ ସତ୍ୟ ଯେ ଉତ୍ତମ ଭିତ୍ତିଭୂମି ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ବିନା ଏହା ଲୋକପ୍ରିୟତା ହାସଲ କରିବା କଷ୍ଟ । ତେଣୁ ଉତ୍ତମ ଭିତ୍ତିଭୂମି ଏ କ୍ଷେତ୍ରରେ ଏକ ମୌଳିକ ଆବଶ୍ୟକତା। ତେବେ ସେ ଯା’ ହେଉ ଏ କ୍ଷେତ୍ରରେ ଲୋକଙ୍କ ବ୍ୟବହାର ପରିବର୍ତ୍ତନ ଅଧିକ ଗୁୁରୁତ୍ୱ ରଖେ। ନଗଦ ପରିବର୍ତ୍ତେ ଲୋକେ ଯଦି ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ ତେବେ ଏହାର ଅଭିବୃଦ୍ଧି ସୁନିଶ୍ଚିତ। ବ୍ୟବହାର ପରିବର୍ତ୍ତନରେ ବ୍ୟବସ୍ଥାର ସୁବିଧା ସୁଯୋଗ ସହଜରେ ମିଳିବା ଏବଂ ଏହା ଭରସାଯୋଗ୍ୟ ହେବା ବିଶେଷ ଗୁରୁତ୍ୱ ରଖେ। ସେଥି ପାଇଁ ଏ କ୍ଷେତ୍ରରେ ଉନୋଭେସନରେ ଉପଯୁକ୍ତ ଦୂରଦୃଷ୍ଟି ରହିବା ବାଂଛନୀୟ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏହାର ବ୍ୟବହାରକାରୀଙ୍କ ପାଇଁ ପ୍ରାସଙ୍ଗିକ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସୁତରାଂ ଏକ ଭଏସ ବକ୍ସରୁ ‘ସିରି’ ସଦୃଶ ସ୍ୱରରେ ତତ୍କାଳ ଘୋଷଣା ହେବା ଉଚିତ ଯେ କ୍ୟୁଆର କୋଡରେ ଆପଣ ପଠାଇଥିବା ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପ୍ରାପ୍ତ ହୋଇଛି। ଏହା ଦ୍ୱାରା ଷ୍ଟ୍ରିଟ ଭେଣ୍ଡର ଓ କ୍ଷୁଦ୍ର ବ୍ୟବସାୟୀମାନେ ଦେଣନେଣ କ୍ଷେତ୍ରରେ ଉପୁଜୁଥିବା ଅବିଶ୍ୱାସର ବାତାବରଣରୁ ମୁକ୍ତ ହୋଇପାରିବେ। କିଏ କେତେ ଟଙ୍କା ଦେଲା ତାହା ସ୍ମାର୍ଟ ଫୋନ ଘୋଷଣାରୁ ଜାଣିହେବ। ତେଣୁ ଏହି ବେପାରୀ ଓ ବ୍ୟବସାୟୀମାନେ ନଗଦ କାରବାର ଅପେକ୍ଷା ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ।

ୟୁପିଆଇରେ ବ୍ୟବହାରକାରୀଙ୍କୁ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ଡିଜାଇନ ପେମେଣ୍ଟ ଦେବାକୁ ପଡିବ। ସେଇଟି ହେଲା ଗ୍ରାହକଙ୍କୁ ସେବା ପ୍ରଦାନକାରୀ ବାଛିବାର ପସନ୍ଦ। ଏଥିରେ ଗ୍ରାହକଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହାକୁ ବିଚାରକୁ ନେବା ଅନାବଶ୍ୟକ। ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତି ୟୁପିଆଇ ପେମେଣ୍ଟକୁ ଆକ୍ସେସ୍ କରିପାରିବାର ସୁଯୋଗ ପାଇବା ଉଚିତ।

ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡକୁ ସମନ୍ୱିତ କରାଯିବା ଫଳରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଏହା ଦ୍ୱାରା ଗ୍ରାହକ ୟୁପିଆଇ ଓ କ୍ରେଡିଟ୍ କାର୍ଡ ଉଭୟର ସୁବିଧା ପାଉଛନ୍ତି। ସେମାନେ ନିଜ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଇବା ପରିବର୍ତ୍ତେ କ୍ରେଡିଟ୍ କାର୍ଡ ମାଧ୍ୟମରେ ସ୍ୱଳ୍ପ ମିଆଦି କ୍ରେଡିଟ୍ (ଋଣ) ସୁବିଧା ଲାଭ କରୁଛନ୍ତି। ଏହା ମାଧ୍ୟମରେ ସେମାନେ ମଧ୍ୟ ୟୁପିଆଇ ଟ୍ରାଞ୍ଜାକସନ୍ ସୁବିଧା ପାଉଛନ୍ତି।

ଭାରତର ପ୍ରକାଣ୍ଡ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଓ ଭିତ୍ତିଭୂମି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ୟୁପିଆଇ ସ୍ଥାନୀୟ ଭାବେ ସଫଳ ହେବା ପରେ ଭାରତୀୟ ନେଶନାଲ ପେମେଣ୍ଟ କର୍ପୋରେସନ (ଏନ୍ସିପିଆଇ) ଏନଆଇପିଏଲ ନାମରେ ଏକ ଶାଖା ଗଠନ କରିଛି। ଏହାର ପରିଚୟ ଏନ୍ସିପିଆଇ ଇଣ୍ଟର ନେସନାଲ ପେମେଣ୍ଟସ୍ ଲିମିଟେଡ। ୨୦୨୦ରେ ଏନ୍ଆଇପିଏଲ୍ ଗଠିତ ହେବା ପରେ ଏହା ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଦେଶ ବାହାରକୁ ସମ୍ପ୍ରସାରିତ କରିଛି। ସେବେଠାରୁ ଏନ୍ଆଇପିଏଲ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ୩୦ଟି ଦେଶର ଆର୍ଥିକ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରି ଭାରତର ୟୁପିଆଇ ଭିତ୍ତିକ ଟ୍ରାଞ୍ଜାକସନ ବ୍ୟବସ୍ଥାକୁ ସମ୍ପୃକ୍ତ ଦେଶଗୁଡିକରେ ପ୍ରଚଳନ କରିଛନ୍ତି। ଫ୍ରାନ୍ସରେ ୟୁପିଆଇର ପ୍ରବେଶ ଅର୍ଥ ଏହା ୟୁରୋପ ମାଟିରେ ପ୍ରଥମଥର ପାଦ ଥାପିଛି। ବ୍ରିକ୍ସ ରାଷ୍ଟ୍ର ସମୂହରେ ୟୁପିଆଇ ପ୍ରଚଳନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ୍ତ୍ୱ ଦେଇଆସୁଛନ୍ତି। ଏବେ ବ୍ରିକ୍ସ ମେଣ୍ଟରେ ଆଉ ଛ’ଟି ଦେଶ ନୂଆ ସଦସ୍ୟଭାବେ ଯୋଗଦେଇଛନ୍ତି।

୨୦୧୬ରେ ଏକ ସାଧାରଣ ଅୟମାରମ୍ଭ କରିଥିବା ୟୁପିଆଇ ଏକ ଅଦ୍ଭୂତପୂର୍ବ ବିକାଶ ଓ ଲୋକପ୍ରିୟତା ହାସଲ କରି ଏକ ବିଶ୍ୱାସଯୋଗ୍ୟ ଡିଜିଟାଲ ଦେଣନେଣର ମାଧ୍ୟମ ପାଲଟିଛି। ଏହାର ସଫଳତା ଓ ପ୍ରଭାବ ଦେଖିଲେ ମନେ ହୁଏ ଯେ ୟୁପିଆଇ ଏପରି ଏକ ମାଧ୍ୟମ ଯାହାର ତୁଳନା ନାହିଁ।

ଡିଜିଟାଲ ପେମେଣ୍ଟ ଭାରତ ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.