Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ୟୁପିଆଇ: ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ

ନୂଆଦିଲ୍ଲୀ: ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍। ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି। ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି। ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି।

ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇ ବ୍ୟବହାର କରୁଛନ୍ତି। ବିଶ୍ୱର ସବୁ ଦେଶ ମଧ୍ୟରୁ ଭାରତରେ ଡିଜିଟାଲ କାରବାର ସଂଖ୍ୟା ସର୍ବାଧିକ। ୨୦୨୨ ତଥ୍ୟ ଅନୁସାରେ ଭାରତରେ ମୋଟ ଦେଣନେଣର ୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହୁଏ। ଭାରତ ପରେ ଏ କ୍ଷେତ୍ରରେ କ୍ରମଗତ ଭାବେ ପଛକୁ ପଛ ରହିଛନ୍ତି ବ୍ରାଜିଲ, ଚୀନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ୨୦୧୬ରେ ଭାରତରେ ମାତ୍ର ୧୦ଲକ୍ଷ ଡିଜିଟାଲ ଟ୍ରାଞ୍ଜାକସନ ହୋଇଥିବାବେଳେ ଏବେ ୟୁପିଆଇ ମାଧ୍ୟମରେ କାରବାର ସଂଖ୍ୟା ୧୦ବିଲିୟନ ବା ୧୦୦୦ କୋଟି ଅତିକ୍ରମ କରିଛି।

ୟୁପିଆଇ ଯେଉଁ ସବୁଠୁ ବଡ ପରିବର୍ତ୍ତନ ଆଣିଛି ସେଇଟି ହେଲା ଭାରତୀୟମାନେ ଏହାର ବ୍ୟବହାର କରୁଥିବା ଢଙ୍ଗ ବା ଶୈଳୀ। ବୈଶ୍ୱିକ ଡାଟା ରିସର୍ଚ୍ଚର ତଥ୍ୟ ଅନୁସାରେ ୨୦୧୭ରେ ଭାରତରେ ନଗଦ ଅର୍ଥ କାରବାର ମୋଟ କାରବାରର ୯୦ ଶତାଂଶରୁ ହ୍ରାସ ପାଇ ୬୦ ଶତାଂଶରେ ପହଁଚି ଥିଲା। ଏହାର ଛ’ ମାସ ମଧ୍ୟରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ପ୍ରତ୍ୟାହୃତ ହେବା ପରେ ୟୁପିଆଇର ମୋଟ କାରବାର ପରିମାଣ ୨.୯ ନିୟୁତରୁ ୭୨ ନିୟୁତକୁ ବୃଦ୍ଧି ପାଇଥିଲା। ୨୦୧୭ ଶେଷ ସୁଦ୍ଧା ୟୁପିଆଇ ଟ୍ରାଞ୍ଜାକସନ୍ ତା’ ପୂର୍ବବର୍ଷ ତୁଳନାରେ ୯୦୦ ଶତାଂଶ ବଢିଥିଲା। ସେବେଠାରୁ ଭାରତରେ ୟୁପିଆଇ ଟ୍ରାଞ୍ଜାକସନ କାରବାର ହାର ବଢିବାରେ ଲାଗିଛି।

ୟୁପିଆଇ ଅତ୍ୟନ୍ତ ବ୍ୟବହାର ଅନୁକୂଳ। ଏହାକୁ ବ୍ୟବହାର କରିବା ଏତେ ସହଜ ଯେ ଯାହା ବିଶ୍ୱାସ କରିବା କଷ୍ଟ। ଏକ ଭର୍ଚୁଆଲ ପେମେଣ୍ଟ ଆଡ୍ରେସ (ଭିପିଏ) ବ୍ୟବହାର କରି ବ୍ୟବହାରକାରୀ ୟୁପିଏ ମାଧ୍ୟମରେ ଅର୍ଥ ପ୍ରେରଣ କରିପାରିବେ। ଏହି ବ୍ୟବସ୍ଥାରେ ପ୍ରେରକଙ୍କୁ ନିଜର ସମ୍ବେଦନଶୀଳ ବ୍ୟାଙ୍କ ତଥ୍ୟାବଳୀ ଦେବାର ଆବଶ୍ୟକତା ନାହିଁ। ଏହି ପ୍ରକ୍ରିୟାଟି ସ୍ମାର୍ଟଫୋନରେ ‘ଟେକ୍ସଡ ମେସେଜ୍’ ପଠାଇବା ଭଳି ଅତି ସହଜ। ଏହାର ପ୍ରଭାବ କେତେ ଅଧିକ ତାହାକୁ କଳନା କରିବା କଷ୍ଟ। ଏହା ମାଧ୍ୟମରେ ଲୋକଙ୍କ ଆର୍ଥିକ ସମାବେଶୀତା ବଢୁଛି, ଆର୍ଥିକ କାରବାରରେ ସ୍ୱଚ୍ଛତା ରକ୍ଷା ହେଉଛି ଓ ଅଣଆନୁଷ୍ଠାନିକ ଅର୍ଥନୀତିର ଆକାର ହ୍ରାସ ପାଉଛି।

ୟୁପିଆଇ ଅଭିବୃଦ୍ଧି ଯୋଗୁଁ ନଗଦ କାରବାର ପରିମାଣ କେବଳ ହ୍ରାସ ପାଇନାହିଁ, ଏହା ମଧ୍ୟ ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଚାହିଦା ହ୍ରାସ କରିଛି । ଉଦାହରଣ ସ୍ୱରୂପ ମର୍ଚ୍ଚାଣ୍ଟ ପେମେଣ୍ଟ ପାଇଁ ଡେବିଟ କାର୍ଡର ବ୍ୟବହାର ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ୟୁପିଆଇ ମଧ୍ୟ ପ୍ରିପେଡ ୱାଲେଟର ଏବେକାର ଆକ୍ସେସ ଶୈଳୀକୁ ବଦଳାଇ ଦେଇଛି । ୟୁପିଆଇ ଦିନକୁ ଦିନ ବିକଶିତ ଓ ଉନ୍ନତ ହେଉଥିôବାରୁ ଏବଂ ଏଥିରେ ଇନୋଭେସନ ଅଣାଯାଉଥିବାରୁ ଏହା ଭାରତର ଡିଜିଟାଲ ଭବିଷ୍ୟତକୁ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପ୍ରାୟ ନିଶ୍ଚିତ ।

ଡିଜିଟାଲ ପେମେଣ୍ଟ ସିଷ୍ଟମର ସଫଳତା କିନ୍ତୁ ଡିଜିଟାଲ ପେଣ୍ଟେ ଭିତ୍ତିଭୂମିର ବ୍ୟାପକତା ଓ ଦୃଢତା ଉପରେ ନିର୍ଭର କରେ ନାହିଁ। ଏହାର ବହୁଳ ବ୍ୟବହାର ହିଁ ଏହାକୁ ସଫଳ କରାଏ। ଲୋକେ ଯେତେ ଉତ୍ସାହିତ ହୋଇ ଏହି ଡିଜିଟାଲ କାରବାର ମାଧ୍ୟମକୁ ଗ୍ରହଣ କରିବେ। ତାହା ସେତେ ସଫଳ ହେବ। ଏହା ଅବଶ୍ୟ ସତ୍ୟ ଯେ ଉତ୍ତମ ଭିତ୍ତିଭୂମି ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ବିନା ଏହା ଲୋକପ୍ରିୟତା ହାସଲ କରିବା କଷ୍ଟ । ତେଣୁ ଉତ୍ତମ ଭିତ୍ତିଭୂମି ଏ କ୍ଷେତ୍ରରେ ଏକ ମୌଳିକ ଆବଶ୍ୟକତା। ତେବେ ସେ ଯା’ ହେଉ ଏ କ୍ଷେତ୍ରରେ ଲୋକଙ୍କ ବ୍ୟବହାର ପରିବର୍ତ୍ତନ ଅଧିକ ଗୁୁରୁତ୍ୱ ରଖେ। ନଗଦ ପରିବର୍ତ୍ତେ ଲୋକେ ଯଦି ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ ତେବେ ଏହାର ଅଭିବୃଦ୍ଧି ସୁନିଶ୍ଚିତ। ବ୍ୟବହାର ପରିବର୍ତ୍ତନରେ ବ୍ୟବସ୍ଥାର ସୁବିଧା ସୁଯୋଗ ସହଜରେ ମିଳିବା ଏବଂ ଏହା ଭରସାଯୋଗ୍ୟ ହେବା ବିଶେଷ ଗୁରୁତ୍ୱ ରଖେ। ସେଥି ପାଇଁ ଏ କ୍ଷେତ୍ରରେ ଉନୋଭେସନରେ ଉପଯୁକ୍ତ ଦୂରଦୃଷ୍ଟି ରହିବା ବାଂଛନୀୟ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏହାର ବ୍ୟବହାରକାରୀଙ୍କ ପାଇଁ ପ୍ରାସଙ୍ଗିକ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସୁତରାଂ ଏକ ଭଏସ ବକ୍ସରୁ ‘ସିରି’ ସଦୃଶ ସ୍ୱରରେ ତତ୍କାଳ ଘୋଷଣା ହେବା ଉଚିତ ଯେ କ୍ୟୁଆର କୋଡରେ ଆପଣ ପଠାଇଥିବା ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପ୍ରାପ୍ତ ହୋଇଛି। ଏହା ଦ୍ୱାରା ଷ୍ଟ୍ରିଟ ଭେଣ୍ଡର ଓ କ୍ଷୁଦ୍ର ବ୍ୟବସାୟୀମାନେ ଦେଣନେଣ କ୍ଷେତ୍ରରେ ଉପୁଜୁଥିବା ଅବିଶ୍ୱାସର ବାତାବରଣରୁ ମୁକ୍ତ ହୋଇପାରିବେ। କିଏ କେତେ ଟଙ୍କା ଦେଲା ତାହା ସ୍ମାର୍ଟ ଫୋନ ଘୋଷଣାରୁ ଜାଣିହେବ। ତେଣୁ ଏହି ବେପାରୀ ଓ ବ୍ୟବସାୟୀମାନେ ନଗଦ କାରବାର ଅପେକ୍ଷା ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ।

ୟୁପିଆଇରେ ବ୍ୟବହାରକାରୀଙ୍କୁ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ଡିଜାଇନ ପେମେଣ୍ଟ ଦେବାକୁ ପଡିବ। ସେଇଟି ହେଲା ଗ୍ରାହକଙ୍କୁ ସେବା ପ୍ରଦାନକାରୀ ବାଛିବାର ପସନ୍ଦ। ଏଥିରେ ଗ୍ରାହକଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହାକୁ ବିଚାରକୁ ନେବା ଅନାବଶ୍ୟକ। ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତି ୟୁପିଆଇ ପେମେଣ୍ଟକୁ ଆକ୍ସେସ୍ କରିପାରିବାର ସୁଯୋଗ ପାଇବା ଉଚିତ।

ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡକୁ ସମନ୍ୱିତ କରାଯିବା ଫଳରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଏହା ଦ୍ୱାରା ଗ୍ରାହକ ୟୁପିଆଇ ଓ କ୍ରେଡିଟ୍ କାର୍ଡ ଉଭୟର ସୁବିଧା ପାଉଛନ୍ତି। ସେମାନେ ନିଜ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଇବା ପରିବର୍ତ୍ତେ କ୍ରେଡିଟ୍ କାର୍ଡ ମାଧ୍ୟମରେ ସ୍ୱଳ୍ପ ମିଆଦି କ୍ରେଡିଟ୍ (ଋଣ) ସୁବିଧା ଲାଭ କରୁଛନ୍ତି। ଏହା ମାଧ୍ୟମରେ ସେମାନେ ମଧ୍ୟ ୟୁପିଆଇ ଟ୍ରାଞ୍ଜାକସନ୍ ସୁବିଧା ପାଉଛନ୍ତି।

ଭାରତର ପ୍ରକାଣ୍ଡ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଓ ଭିତ୍ତିଭୂମି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ୟୁପିଆଇ ସ୍ଥାନୀୟ ଭାବେ ସଫଳ ହେବା ପରେ ଭାରତୀୟ ନେଶନାଲ ପେମେଣ୍ଟ କର୍ପୋରେସନ (ଏନ୍ସିପିଆଇ) ଏନଆଇପିଏଲ ନାମରେ ଏକ ଶାଖା ଗଠନ କରିଛି। ଏହାର ପରିଚୟ ଏନ୍ସିପିଆଇ ଇଣ୍ଟର ନେସନାଲ ପେମେଣ୍ଟସ୍ ଲିମିଟେଡ। ୨୦୨୦ରେ ଏନ୍ଆଇପିଏଲ୍ ଗଠିତ ହେବା ପରେ ଏହା ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଦେଶ ବାହାରକୁ ସମ୍ପ୍ରସାରିତ କରିଛି। ସେବେଠାରୁ ଏନ୍ଆଇପିଏଲ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ୩୦ଟି ଦେଶର ଆର୍ଥିକ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରି ଭାରତର ୟୁପିଆଇ ଭିତ୍ତିକ ଟ୍ରାଞ୍ଜାକସନ ବ୍ୟବସ୍ଥାକୁ ସମ୍ପୃକ୍ତ ଦେଶଗୁଡିକରେ ପ୍ରଚଳନ କରିଛନ୍ତି। ଫ୍ରାନ୍ସରେ ୟୁପିଆଇର ପ୍ରବେଶ ଅର୍ଥ ଏହା ୟୁରୋପ ମାଟିରେ ପ୍ରଥମଥର ପାଦ ଥାପିଛି। ବ୍ରିକ୍ସ ରାଷ୍ଟ୍ର ସମୂହରେ ୟୁପିଆଇ ପ୍ରଚଳନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ୍ତ୍ୱ ଦେଇଆସୁଛନ୍ତି। ଏବେ ବ୍ରିକ୍ସ ମେଣ୍ଟରେ ଆଉ ଛ’ଟି ଦେଶ ନୂଆ ସଦସ୍ୟଭାବେ ଯୋଗଦେଇଛନ୍ତି।

୨୦୧୬ରେ ଏକ ସାଧାରଣ ଅୟମାରମ୍ଭ କରିଥିବା ୟୁପିଆଇ ଏକ ଅଦ୍ଭୂତପୂର୍ବ ବିକାଶ ଓ ଲୋକପ୍ରିୟତା ହାସଲ କରି ଏକ ବିଶ୍ୱାସଯୋଗ୍ୟ ଡିଜିଟାଲ ଦେଣନେଣର ମାଧ୍ୟମ ପାଲଟିଛି। ଏହାର ସଫଳତା ଓ ପ୍ରଭାବ ଦେଖିଲେ ମନେ ହୁଏ ଯେ ୟୁପିଆଇ ଏପରି ଏକ ମାଧ୍ୟମ ଯାହାର ତୁଳନା ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କା (2000 ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ-ପି2ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି।

ଏହି ଯୋଜନା ଅଧୀନରେ, ରୂପେ ଡେବିଟ କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ। ଏପ୍ରିଲ 01, 2021 ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ 1,300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଏହା ସମାଜର ସମସ୍ତ କ୍ଷେତ୍ର ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ରୂପେ ଡେବିଟ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବ। ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ ହେବ।

ଫଳରେ ସମାଜର ଗରିବ ଏବଂ ଔପଚାରିକ ବ୍ୟାଙ୍କ ସେବା ଓ ଆର୍ଥିକ ବ୍ୟବସ୍ଥା ଠାରୁ ଅପହଞ୍ଚ ସ୍ଥିତିରେ ଥିବା ଲୋକମାନେ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବାର ସୁବିଧା ପାଇପାରିବେ।

ଭାରତରେ ଆଜି ବିଶ୍ବର ଅନ୍ୟତମ ଦକ୍ଷ ଡିଜିଟାଲ ପେମେଣ୍ଟ ବଜାର ରହିଛି। ଭାରତ ସରକାର ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ରହିଥିବା ବିଭିନ୍ନ ସଂସ୍ଥାଗୁଡ଼ିକର ନବୋନ୍ମେଷ କାରଣରୁ ଏହା ସମ୍ଭବପର ହୋଇପାରିଛି। ଏହି ଯୋଜନା ଫିନଟେକ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବ। ଦେଶର ବିଭିନ୍ନ ପ୍ରାନ୍ତରେ ଡିଜିଟାଲ ପେମେଣ୍ଟକୁ ବିସ୍ତାରିତ କରିବାରେ ସରକାରଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ ଏହା କ’ଣ?

ନୂଆଦିଲ୍ଲୀ: ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇ-ରୁପି’ ବ୍ୟବସ୍ଥା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ମିଳିଛି। ପିଏମଓ କହିଛି ଯେ, ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ମାଧ୍ୟମ ଅଟେ।

ଇ-ରୁପି କ’ଣ:

ଡିଜିଟାଲ୍ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ମାଧ୍ୟମ। ଏହା ଏକ କ୍ୟୁଆର କୋଡ୍ କିମ୍ବା ଏସଏମଏସ ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ବିତରଣ କରାଯାଇଥାଏ। ଉପଭୋକ୍ତା କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର ନକରି ତାଙ୍କ ସେବା ପ୍ରଦାନକାରୀ କେନ୍ଦ୍ରରେ ଭାଉଚର୍ ରାଶି ଗ୍ରହଣ କରିପାରିବେ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଏହାର ୟୁପିଆଇ ପ୍ଲାଟଫର୍ମରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହାକୁ ବିକଶିତ କରିଛି।

ଇ-ରୁପି ସେବାଗୁଡିକ କୌଣସି ଇଣ୍ଟରଫେସ୍ ବିନା ଡିଜିଟାଲ୍ କୌଶଳରେ ପ୍ରାୟୋଜକମାନଙ୍କୁ ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ସହିତ ସଂଯୋଗ କରେ। ଏହି ଅଧୀନରେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ, କାରବାର ସମାପ୍ତ ହେବା ପରେ ସେବା ପ୍ରଦାନକାରୀଙ୍କୁ ଦେୟ ପ୍ରଦାନ କରାଯାଇଥାଏ। ପ୍ରି-ପେଡ୍ ସେବା ଯୋଗୁଁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ଦେବା ସମ୍ଭବ ଅଟେ।

ଏହାକୁ କେଉଁଠାରେ ବ୍ୟବହାର କରାଯାଇପାରିବ?

ମାତୃ ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଏବଂ ପୁଷ୍ଟିକର ସହାୟତା, ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ସାର ସବସିଡି ଇତ୍ୟାଦି ଯୋଜନା ଅଧୀନରେ ଏହା ସେବା ଯୋଗାଇବାରେ ବ୍ୟବହୃତ ହୋଇପାରିବ। ଏପରିକି ଘରୋଇ କ୍ଷେତ୍ର ଏହାର କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ଵ କାର୍ଯ୍ୟକ୍ରମ ପାଇଁ ଏହି ଡିଜିଟାଲ୍ ଭାଉଚର୍ ବ୍ୟବହାର କରାଯାଇପାରିବ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କ୍ୟୁଆର କୋଡ଼ ସ୍କାନ କରି ପେମେଣ୍ଟ କରୁଛନ୍ତି କି?: ଜାଣନ୍ତୁ ଠକାମିରୁ କେମିତି ପାଇବେ ମୁକ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର: ଗତ କିଛି ଦିନ ହେଲା ସାଇବର ଠକଙ୍କ ପାଇଁ କ୍ୟୁଆର କୋଡ଼ ଏକ ଅସ୍ତ୍ର ଭାବେ କାମ କରୁଛି। ଆପଣମାନେ ମଧ୍ୟ କ୍ୟୁଆର କୋଡ଼ ସ୍କାନ କରି ଅନଲାଇନରେ ଟଙ୍କା ପଠାଉଥିବେ। ହେଲେ କ୍ୟୁଆର କୋଡ଼ ସ୍କାନ କରିବା ପରେ ଆପଣ ଠକାମିରେ ଶିକାର ହୋଇପାରନ୍ତି। ଏହି କୁଇକ ରେସ୍ପୋନ୍ସ (କ୍ୟୁଆର) କୁ ସର୍ବ ପ୍ରଥମେ ଜାପାନ ପ୍ରସ୍ତୁତ କରିଥିଲା। ଯଦି ଏହାର ବ୍ୟବହାରରେ ଆପଣ ସାବଧାନ ନରହିବେ, ତେବେ ଆପଣ ମଧ୍ୟ ଠକାମିରେ ପଡ଼ିପାରନ୍ତି।

ଜାଣନ୍ତୁ କ୍ୟୁଆର ଫିସିଙ୍ଗ କୋଡ଼ କଣ?: 

୧- ଦିନକୁ ଦିନ ଡିଜିଟାଲ ପେମେଣ୍ଟର ମାତ୍ରା ବଢୁଥିବା ବେଳେ ସାଇବର ଠକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। କଣ୍ଟାକ୍ଟଲେସ ପେମେଣ୍ଟ କରିବା ସମୟରେ କ୍ୟୁଆର କୋଡ଼ ସ୍କାନ କରିକି ପେମେଣ୍ଟ କରାଯାଇଥାଏ। ଠକମାନେ ଏହାର ଫାଇଦା ନେଇ କ୍ୟୁଆର କୋଡ଼କୁ ପରିବର୍ତ୍ତନ କରିଦିଅନ୍ତି। ଯାହାଫଳରେ ପେମେଣ୍ଟ ଅନ୍ୟ ଆକାଉଣ୍ଟରେ ଜମା ହୋଇଯାଇଥାଏ। ଏହାକୁ କ୍ୟୁଆର କୋଡ଼ ଫିସିଙ୍ଗ କହନ୍ତି।

୨- କ୍ୟୁଆର କୋଡ଼ ଫିସିଙ୍ଗରେ ବିଭିନ୍ନ ପ୍ରକାର ଉପାୟ ରହିଥାଏ। ଏଥିପାଇଁ ଆପଣଙ୍କ ନିକଟକୁ ଇମେଲ କିମ୍ବା ମେସେଜ ମାଧ୍ୟମରେ କ୍ୟୁଆର କୋଡ ଆସିଥାଏ। ଆପଙ୍କର ଲଟେରୀ ଲାଗିଛି କହି ୟୁପିଆଇ ପିନ ମାଗିଥାନ୍ତି। କିନ୍ତୁ ଯେତେବେଳେ ଆପଣ ସ୍କାନ କରିବେ, ତୁରନ୍ତ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇପାରେ।

ଏଥିରୁ ଆପଣ କେମିତି ରକ୍ଷା ପାଇବେ:

ତେବେ ଏହି ଠକାମିରୁ ମୁକ୍ତି ପାଇବାକୁ ହେଲେ କୌଣସି ଦୋକାନ କିମ୍ବା ପେଟ୍ରୋଲ ପମ୍ପରେ ସ୍କାନ କରିବାପରେ ଆପଣଙ୍କ ମୋବାଇଲରେ ଟଙ୍କା ପଠାଉଥିବା ଲୋକ କିମ୍ବା କମ୍ପାନୀ ନାମ ଦେଖାଇଥାଏ। ତାହାକୁ ଆପଣ ନିଶ୍ଚିତ କରିବା ପରେ ଟଙ୍କା ପଠାଇବା ଉଚିତ। ସେହିପରି କୌଣସି ଅଜଣା ନମ୍ବରରୁ ମେଲ କିମ୍ବା ମେସେଜ ଆସିଲେ ଆପଣ ୟୁପିଆଇ ପିନକୁ ଜଣାନ୍ତୁ ନାହିଁ କି ସ୍କାନ କରନ୍ତୁ ନାହିଁ।

କ୍ୟୁଆର କୋଡକୁ ଫୋନର କ୍ୟାମେରାରୁ ସିଧା ସ୍କାନ କରନ୍ତୁ ନାହିଁ ଏବଂ ଏଭଳି ଆପରୁ କରନ୍ତୁ ଯେଉଁଥିରେ ଆପଣଙ୍କୁ କ୍ୟୁଆର କୋଡର ସମସ୍ତ ତଥ୍ୟ ମିଳିପାରିବ। କୌଣସି ଭୁଲରେ ଟ୍ରାଞ୍ଜାକ୍ସନ ହେଲେ ତୁରନ୍ତ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ଏବଂ ଆବଶ୍ୟକ ହେଲେ ସାଇବର ସେଲରେ ମଧ୍ୟ ଅଭିଯୋଗ କରାନ୍ତୁ।