
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।
ସୂଚନା ମୁତାବକ ଭଗବତୀପୁର ଗ୍ରାମର ପୂର୍ବତନ ସେନା ଅଧିକାରୀ କାହ୍ନୁଚରଣ ମହାପାତ୍ର ଦଶହରା ଉପଲକ୍ଷେ ନିଜ ଗ୍ରାମକୁ ଆସିଥିଲେ। ତେବେ ଗତକାଲି କାହ୍ନୁଙ୍କ ଘର ସମ୍ମୁଖରେ ପ୍ରବଳ ପାଟିତୁଣ୍ଡ ହେବାରୁ କାହ୍ନୁ ଘରୁ ବାହାରି ଘଟଣାସ୍ଥଳକୁ ଯାଇଥିଲେ। ସେହି ସମୟରେ ଉକ୍ତ ଗ୍ରାମର ରସାନନ୍ଦ ସାହୁ ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟପାଇଁ କିଛି ଶ୍ରମିକ ମାନଙ୍କୁ ଗ୍ରାମକୁ ଡାକିଥିଲେ।
ଏହି ସମୟରେ ଶ୍ରମିକମାନେ ବାଉଁଶ ନେଇ ଯାଉଥିବା ବେଳେ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଶରୀରକୁ ଆଘାତ ଲାଗିଥିଲା। ଏହାପରେ ରସାନନ୍ଦଙ୍କ ଶ୍ରମିକ, ରସାନନ୍ଦ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ଗ୍ରାମବାସୀଙ୍କ ଝଗଡା ହୋଇଥିଲା। ଏପରିକି ଶ୍ରମିକମାନେ ଗ୍ରାମବାସୀଙ୍କୁ ଅଶ୍ରବ ଭାଷାରେ ଗାଳିଗୁଲଜ କରିଥିଲେ।
ଫଳରେ କାହ୍ନୁ ଏହାକୁ ବାରଣ କରିବାରୁ ଜନୈକ ବ୍ୟକ୍ତିମାନେ ସଂଘବଧ ଭାବେ କାହ୍ନୁଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କାହ୍ନୁ ଗୁରୁତର ଆହତ ହୋଇଥିଲେ। ଏହାପରେ ଅଭିଯୁକ୍ତମାନେ କାହ୍ନୁଙ୍କ ପରିବାରକୁ ମଧ୍ୟ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।
କାହ୍ନୁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମବାସୀ ଉକ୍ତ ଘଟଣାର ଆପୋଷ ସମାଧାନ କରି ରାୟ ଶୁଣାଇବା ପରେ ମଧ୍ୟ ଅଭିଯୁକ୍ତ ମାନେ ଏଥିରେ ଅମଙ୍ଗ ହେବାରୁ ପୀଡ଼ିତ କାହ୍ନୁ ଓ ପରିବାର ବର୍ଗ ଆଜି ବାଣପୁର ଥାନାରେ ଏ ନେଇ ଏତଲା ଦେଇଥିଲେ।
ପୋଲିସ ଅଭିଯୁକ୍ତ ରସାନନ୍ଦ ସାହୁ, ନିଲୁ ସାହୁ ଏବଂ ଅନ୍ୟମାନଙ୍କ ବିରୋଧରେ କେସ ନମ୍ବର ୩୮୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡିଛି।