
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତି ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଇଛି। ଆଜି ଇଡି ଏକ ବିଜ୍ଞପ୍ତି ଜାରି କରି ତାଙ୍କୁ ନଭେମ୍ବର ୨ ତାରିଖରେ ଜେରା ପାଇଁ ଡାକିଛି।
ଏହାପୂର୍ବରୁ ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ବଡ ଝଟକା ଲାଗିଛି। ତାଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପାଇବା ପରେ ଦିଲ୍ଲୀ ସରକାରୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଯେ, ଇଡି ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସମନ ପଠାଇଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର କୌଣସି ଉପାୟରେ ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ତେଣୁ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲକୁ ପଠାଇବା ଏବଂ ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି।