ବିଶ୍ୱକପରେ ଆଫଗାନିସ୍ତାନର ତୃତୀୟ ବିଜୟ, ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲ ଦୌଡରେ ହେଲା ସାମିଲ

Published: Oct 30, 2023, 10:54 pm IST

ନୂଆଦିଲ୍ଲୀ: ଫଜଲହକ୍ ଫାରୁକିଙ୍କ ଘାତକ ବୋଲିଂ ଏବଂ ପରେ ରହମତ ଶାହା, ହଶମତୁଲ୍ଲା ଶାହିଦି ଏବଂ ଅଜମତୁଲ୍ଲା ଓମାରଜଇଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ସାତ ୱିକେଟରେ ପରାସ୍ତ କରିଛି। ଚଳିତ ବିଶ୍ୱକପରେ ଆଫଗାନିସ୍ତାନର ଏହା ହେଉଛି ତୃତୀୟ ବିଜୟ। ଏହା ସହ ସେମାନେ ସେମିଫାଇନାଲ ଦୌଡରେ ଯୋଗ ଦେଇଛନ୍ତି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୪୫.୨ ଓଭରରେ ମାତ୍ର ତିନୋଟି ୱିକେଟ୍ ହରାଇ ଟାର୍ଗେଟ ପୂରଣ କରିଥିଲା। ଆଫଗାନିସ୍ତାନ ପାଇଁ ରହମତ ଶାହା ୬୨ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ହଶମତୁଲ୍ଲା ଶାହିଦି ଅପରାଜିତ ୫୮ ରନ ଏବଂ ଅଜମାତୁଲ୍ଲା ଓମାରଜାଇ ୬୩ ଟି ବଲରେ ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୭୩ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ୧୧୧ ରନ୍ ର ଅପରାଜିତ ଭାଗିଦାରୀ ହୋଇଥିଲା।

Related posts