ବୁନ୍ଦି: ମେଘାଳୟରେ ଯେତେବେଳେ ବି ନିର୍ବାଚନ ହୁଏ, ସ୍ୱିଡେନ, ଥାଇଲାଣ୍ଡ, ଗୁରୁବାର ଭଳି ନାମ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ଭୋଟରଙ୍କ ନାମ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ରାଜସ୍ଥାନର ବୁନ୍ଦି ଜିଲ୍ଲାର ରାମନଗର ଗାଁ ଆଗରେ ରହିପାରେ। ନଭେମ୍ବର ୨୫ରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ ବୁନ୍ଦି ଜିଲ୍ଲାର ରାମନଗର ଗାଁରେ ‘କଲେକ୍ଟର’, ‘ରାଷ୍ଟ୍ରପତି’ ଏବଂ ‘ରାଜ୍ୟପାଳ’ ମଧ୍ୟ ମତଦାନ କରିବେ। ବୁନ୍ଦି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରାମନଗର ଏକ ଛୋଟ ଗାଁ। ଏହି ଗାଁର ଜନସଂଖ୍ୟା ୫ ହଜାର। ପ୍ରାୟ ୨ ହଜାର ଭୋଟର କଞ୍ଜର ଆଦିବାସୀ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟରେ କାହାର ନାଁ ରାଜ୍ୟପାଳ, କାହାର ନାଁ ରାଷ୍ଟ୍ରପତି ତ କାହାର ନାମ ରାଜୀବ ଗାନ୍ଧି।
ନାମ ପଛରେ ରହିଛି ଜଟିଳ ସାମାଜିକ ଇତିହାସ
ଏହି ଗାଁରେ ଏଭଳି ନାମର ଉତ୍ପତ୍ତି ବିଚିତ୍ର ନୁହେଁ। ସେମାନଙ୍କ ପଛରେ ଏକ ଜଟିଳ ସାମାଜିକ ଇତିହାସ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ କଞ୍ଜର ବାଲକ ଦାସ କହିଛନ୍ତି, ବ୍ରିଟିଶ ଶାସନ ସମୟରେ କଞ୍ଜରମାନଙ୍କୁ ଅପରାଧୀ ଜନଜାତିଭାବେ ଦେଖାଯାଉଥିଲା। ସମ୍ପ୍ରଦାୟର କିଛି ସଦସ୍ୟ ଅପରାଧ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଗୁଜରାଟର ଆଦିବାସୀ ଏକାଡେମୀ ତେଜଗଡ଼ର ନିର୍ଦ୍ଦେଶକ ଡକ୍ଟର ମଦନ ମୀନା କହିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ସରକାର ବ୍ରିଟିଶ ଯୁଗର ଏକ ଆଇନ ପ୍ରତ୍ୟାହାର କରିନେଇଥିଲେ ଯେଉଁଥିରେ କଞ୍ଜର, ଭଟ, ମୋଙ୍ଗିଆ, ସନ୍ସି ଭଳି ସମ୍ପ୍ରଦାୟକୁ ଅପରାଧୀ ଜନଜାତି ଭାବରେ ରେକର୍ଡ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରେ ମଧ୍ୟ କିଛି ଜିନିଷ ବଦଳିନଥିଲା। ସ୍ଥାନୀୟ ପର୍ଯ୍ୟବେକ୍ଷକଙ୍କ ମତରେ ଯଦି ସମ୍ପ୍ରଦାୟର କିଛି ସଦସ୍ୟ ଆଇନ ଉଲ୍ଲଂଘନ କରନ୍ତି, ତେବେ ସମଗ୍ର ସମ୍ପ୍ରଦାୟକୁ ଅପରାଧୀଭାବେ ଦେଖାଯାଏ।
ସେ କହିଛନ୍ତି ଯେ ଏହି ସାମାଜିକ ନିନ୍ଦାକୁ ଏଡ଼ାଇବା ପାଇଁ ଅନେକ କଞ୍ଜର ଏପରି ନାମ ଗ୍ରହଣ କରିଛନ୍ତି ଯାହାକୁ ଲୋକମାନେ ସମ୍ମାନର ସହ ଦେଖୁଛନ୍ତି। ଦୂରଦର୍ଶନରେ କାର୍ଯ୍ୟକ୍ରମ ଦେଖିବା ପରେ ସମ୍ପ୍ରଦାୟର ଲୋକମାନେ ଅନେକ ପିଲାଙ୍କ ନାମ ରଖିଥିଲେ। ସେତେବେଳେ ଦୂରଦର୍ଶନ ଟିଭି ମିଡିଆର ଏକମାତ୍ର ମାଧ୍ୟମ ଥିଲା ଏବଂ କଂଗ୍ରେସ ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ ଥିଲା। ପୂର୍ବରୁ ଏହି ଗାଁର ଭୋଟର ତାଲିକାରେ ଜଣେ ଆଇଜି, ଜଣେ ଏସପି ଓ ଜଣେ ତହସିଲଦାର ଥିଲେ, ଏବେ ସମସ୍ତଙ୍କ ମୃତ୍ୟୁ ଘଟିଛି।
ମନରେଗା ଶ୍ରମିକଭାବେ କାମ କରନ୍ତି ‘ରାଜୀବ ଗାନ୍ଧୀ’
ତେବେ ସରକାରୀ ଜବ୍ କାର୍ଡ ନେଇ ‘ରାଜୀବ ଗାନ୍ଧୀ’ ଗାଁରେ ମନରେଗା ଶ୍ରମିକଭାବେ କାମ କରନ୍ତି। କଲେକ୍ଟର ଜଣେ ୫୭ ବର୍ଷୀୟ ଭୋଟର, ତାଙ୍କ ନାମରେ ତାଙ୍କ ମା’ ନାମିତ କରିଛନ୍ତି। ଗାଁକୁ ଆସିଥିବା ଜଣେ କଲେକ୍ଟରଙ୍କ ଦ୍ୱାରା କଲେକ୍ଟରଙ୍କ ମା’ ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସମୟ ବଦଳିଯାଇଛି। ଗାଁରେ ଇଣ୍ଟରନେଟ୍ ଓ ଘରୋଇ ଟିଭି ଚ୍ୟାନେଲ ପହଞ୍ଚିଛି। ଏହି କାରଣରୁ ଗାଁ ଲୋକଙ୍କ ନାମ ଏବେ ବଦଳିଯାଇଛି। ଗ୍ରାମସମୁଦାୟର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ସ୍ଥାନୀୟ ନେତାଙ୍କ ତରଫରୁ ପ୍ରୟାସ କରାଯାଉଛି। ବର୍ଷ ବର୍ଷ ଧରି ଏହି ସମ୍ପ୍ରଦାୟ ପାଇଁ ବଡ଼ ବଡ଼ ସ୍ଥାନୀୟ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି।
ଗାଁର ‘ରୂପ’ ବଦଳିବା ଆରମ୍ଭ କରିଛି
ଗାଁର ସରକାରୀ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୫୦ ଜଣ ବାଳକ ଓ ବାଳିକା ପାଠ ପଢ଼ୁଛନ୍ତି। ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଥିଲା। ଗାଁର ୭ ଜଣ ସରକାରୀ କର୍ମଚାରୀ। ଆଗାମୀ ଦିନରେ ଏହି କଞ୍ଜର ସମ୍ପ୍ରଦାୟର ଲୋକମାନେ ନିଜ ପିଲାଙ୍କ ନାମ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନାମ ନେବେ ନାହିଁ ବୋଲି ବିଶ୍ୱାସ କରାଯାଉଛି।