Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହାଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ ରଘୁବର ଦାସ

ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି।

ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ଓଡିଶା ରାଜ୍ୟପାଳଙ୍କ ନିମନ୍ତେ ନିଯୁକ୍ତ ହେଲେ ତିନିଜଣ ଉପଦେଷ୍ଠା, ଜାଣନ୍ତୁ କିଏ

ଭୁବନେଶ୍ବର: ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ତିନିଜଣ ଉପଦେଷ୍ଠାଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିଛି। ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ହେଲେ

1- ସନ୍ତୋଷ କୁମାର ଶତପଥୀ, ଅବସରପ୍ରାପ୍ତ ଆଇଏଏସ- ମୁଖ୍ୟ ଉପଦେଷ୍ଠା ଆଦିବାସୀ କଲ୍ୟାଣ ଏବଂ ସାଧାରଣ ପ୍ରସଂଗ ସଂକ୍ରାନ୍ତ

2-ପ୍ରଫେସର ସୁକଳ ମହାନ୍ତି- ଉପଦେଷ୍ଠା ଏକାଡେମିକ ସଂକ୍ରାନ୍ତ

3-ସୁବ୍ରତ କୁମାର ମହାନ୍ତି- ଉପଦେଷ୍ଠା ମିଡିଆ ଏବଂ ଆଇଟି ସଂକ୍ରାନ୍ତ

ପୂର୍ବରୁ କୌଣସି ରାଜ୍ୟପାଳଙ୍କର ଏପରି ଉପଦେଷ୍ଠାଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ପ୍ରଥମ ଥର ପାଇଁ ଏହି ବରିଷ୍ଠ ପ୍ରଶାସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ଭେଟିଲେ ତେଲୁଗୁ ଯୋଦ୍ଧା ଟିମ୍‌ର ଖୋଖୋ ଖେଳାଳୀ

ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି।

ଆଜି ରାଜଭବନର ଅଭିଷେକ ହଲ୍‌ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍‌ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ।

ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ ବର୍ତମାନ କ୍ରୀଡ଼ାକୁ ଏକ କ୍ୟାରିଅର କରିବାରେ ଯଥେଷ୍ଟ ସହାୟକ ହୋଇପାରୁଛି। କବାଡ଼ି, ଖୋ ଖୋ ପରି ପାରମ୍ପରିକ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଉଛି ଓ ଅଧିକରୁ ଅଧିକ ଖେଳାଳୀ ସୃଷ୍ଟି ହୋଇପାରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଖେଳାଳୀମାନେ ବିଫଳତାରେ ଭାଙ୍ଗି ନଯାଇ ଏହାର କାରଣ ଅନୁଧ୍ୟାନ କରି ଏହାକୁ ସୁଧାରି ପାରିଲେ ନିଶ୍ଚୟ ସଫଳତା ହାସଲ କରିବେ ଓ ସର୍ବଦା ଖେଳୁୱାର୍ଡ ମନୋଭାବ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଖେଳାଳୀମାନଙ୍କୁ ଆଗାମୀ ଟୁର୍ଣ୍ଣାମେଂଟରେ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ। ପ୍ରାରମ୍ଭରେ ଟିମ୍‌ର ସିଇଓ ଶ୍ରୀ ପି.କେ.ଏସ୍‌.ଭି. ସାଗର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦୁଇ ଜଣ ଖେଳାଳୀ ଓ ପ୍ରଶିକ୍ଷକ ସେମାନଙ୍କର ପ୍ରସୁ୍‌ତି ଓ ଟୁର୍ଣ୍ଣାମେଂଟ ସଂପର୍କରେ କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଜିଏମଆର ପ୍ରାୟୋଜିତ ତେଲୁଗୁ ଯୋଦ୍ଧା ଟିମ୍‌ର ପଚିଶ ଜଣ ଖେଳାଳୀ, ପ୍ରଶିକ୍ଷକ ଶ୍ରୀ ବିକାଶ ଓ ଟିମ୍‌ର ସି.ଇ.ଓ. ଶ୍ରୀ ପି.କେ.ଏସ.ଭି. ସାଗର ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ଆସନ୍ତା ଡ଼ିସେମ୍ବର ୨୪ରୁ ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଲ୍‌ଟିମେଟ ଖୋଖୋ ଟୁର୍ଣ୍ଣମେଂଟର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ଜଗରନଟ୍‌ସ ଓ ତେଲୁଗୁ ଯୋଦ୍ଧା ସମେତ ସମୁଦାୟ ଛଅଟି ଦଳ ଅଂଶ ଗ୍ରହଣ କରୁଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲ୍‌ବମ୍‌ ପ୍ରଦାନ କଲେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ର ଫଟୋ ସମ୍ବଳିତ ଏକ ଆଲ୍‌ବମ୍‌ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍‌ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲା।

ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ ଫଟୋଚିତ୍ର ରହିଥିବା ଆଲ୍‌ବମ୍‌ ରାଜ୍ୟପାଳଙ୍କୁ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରଦାନ କରିଥିଲେ।

ଶ୍ରୀ ସାମଲ ଆଲ୍‌ବମ୍‌ ପ୍ରଦାନ କରିବା ସମୟରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ସଂପର୍କରେ ବିଶଦ ଭାବେ ସୂଚନା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଭବନରେ ବିକଶିତ ଭାରତ- ୨୦୪୭: “ଭଏସ୍ ଅଫ୍ ୟୁଥ୍‌’ କର୍ମଶାଳା

ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍‌କା ସାଥ୍ ଓ ସବ୍‌କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍‌’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଏକ ଯୁବ ଦେଶ। ପ୍ରତିଭାରେ ପରିପୂର୍ଣ୍ଣ ଦେଶ। ଯୁବ ଶକ୍ତିର ସଫଳ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତ ପାଇଁ ବିଶେଷ ଉପଯୋଗୀ। ଏହା ପରଂପରା ଓ ଆଧୁନିକ ପ୍ରଗତିକୁ ପ୍ରୋତ୍ସାହିତ କରିବ। ଭାରତୀୟ ଜ୍ଞାନ ପରଂପରା ଓ ଆଧୁନିକ ଜ୍ଞାନଧାରା ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ସହିତ ମାତୃଭାଷାରେ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବ। ସଂପ୍ରତି ନାରୀ ସଶକ୍ତିକରଣ, କୃଷକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଗତିର ନୂତନ ଉତ୍ତରଣ ହୋଇଛି। ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଭାରତ ବିଶ୍ୱର ଉପଯୁକ୍ତ ଠିକଣା ହୋଇଛି। ଏହି ସକାରାତ୍ମକ ଭାବ, ଭାବନା ଓ ସ୍ଥିତିର ବିନିଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

ଭାରତର ବିଶାଳ ଅର୍ଥ ବ୍ୟବସ୍ଥା ପୃଥିବୀରେ ପଂଚମ। ୨୦୨୮ ମସିହା ମଧ୍ୟରେ ଏହା ତୃତୀୟସ୍ଥାନକୁ ଯିବ। ଭାରତ ବିଶ୍ୱଗୁରୁ ଥିଲା ଓ ଆଗାମୀ ଦିନରେ ବିଶ୍ୱଗୁରୁ ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ଦୃଢ଼ ଭାବରେ କହିଛନ୍ତି।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କର୍ମଶାଳାକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତା ଓ ଚେତନାକୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସଂକଳିତ କରି ପ୍ରେରଣ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍‌ଲାଇନ୍ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରାଇଥିଲେ । କର୍ମଶାଳାରେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା, ବୈଷୟିକ ଓ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍ଥାର ମୁଖ୍ୟମାନେ ଯୋଗ ଦେଇ ନିଜର ମତ ମନ୍ତବ୍ୟ, ପ୍ରସ୍ତାବ, ବିଚାର ଓ ପରାମର୍ଶ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଯ୍ୟ ସମାଜ ପକ୍ଷରୁ ରାଜଭବନରେ ରାଜ୍ୟପାଳଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତି। ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶ। ଆଧ୍ୟାତ୍ମିକତା ଆମର ଭିତ୍ତି ଓ ଶକ୍ତି। ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତ୍ତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧ। ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବ। ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବ।

ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛି। ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛି। ଯୋଗକୁ ସାରା ପୃଥିବୀ ଆପଣେଇଛି। ବିଶ୍ୱର ପଂଚମ ବିଶାଳ ଅର୍ଥ ବ୍ୟବସ୍ଥାରୁ ଖୁବ୍ ଶୀଘ୍ର ତୃତୀୟ ସ୍ଥାନକୁ ଯିବାର ସଂଭାବନା ସାକାର ହେବାକୁ ଯାଉଛି। ଏହି ପ୍ରଗତି ପ୍ରକ୍ରିୟାରେ ପ୍ରତ୍ୟେକ ଭାରତୀୟଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଛନ୍ତି।

ଓଡ଼ିଶା ଏକ ପୁଣ୍ୟ ଭୂମି। ଜଗତର ନାଥ ଜଗନ୍ନାଥ ଏଠି ବିରାଜିତ। ସେହି ରାଜ୍ୟର ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ଲିଖିତ “ଅନୁଭୂତିରେ ସନ୍ଥ ମହିମା’ ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ ଲେଖକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଉପସ୍ଥାପିତ ସଂନ୍ଥମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି।

ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ହରେକୃଷ୍ଣ ଶତପଥୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଡ.ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଅନନ୍ତ ବଳିଆ ବେଦପୀଠର ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ। ଡ. ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସଂବର୍ଧିତ କରାଯାଇଥିଲା। ଉତ୍ସବରେ ବହୁ ବିଦ୍ୱାନ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

ଭୁବନେଶ୍ୱର: ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି। ଶିକ୍ଷା ହିଁ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସଂବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ। ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ। ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି।

ଓଡ଼ିଶାରେ ଶିଳ୍ପାୟନ ବେଶ୍ ଉତ୍ସାହଜନକ। ଶିଳ୍ପ ଓ ବ୍ୟବସାୟ ଜଗତର ଆବଶ୍ୟକତା ଭିତ୍ତିରେ ନୂତନ ଦକ୍ଷତାସଂପନ୍ନ ମାନବ ସଂବଳ ସୃଷ୍ଟି ହେବା ଦରକାର। ପ୍ରାସଂଗିକ ପାଠ୍ୟକ୍ରମ ଓ ସମୟର ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଚେଷ୍ଟା କରିବାକୁ ରାଜ୍ୟପାଳ କହିଛନ୍ତି।

ଭାରତକୁ ବିଶ୍ୱଗୁରୁ ହେବାର ସମୟ ଆସିଛି। ଭାରତର ଯୁବଶକ୍ତି ଆମର ଅମୂଲ୍ୟ ସଂପଦ। ଏହି ଜନସାଂଖିକ ସୁବିଧାର ସଫଳ ଉପଯୋଗ କରିବା ଦରକାର। ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଆନୁଷ୍ଠାନିକ ସାମାଜିକ ଦାୟିତ୍ୱ ନର୍ବାହ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ଯେଉଁସବୁ ମାନକ ଓ ବିଧିବ୍ୟବସ୍ଥା ରହିଛି, ପ୍ରତ୍ୟେକ ପାଳନ କରିବା ଦରକାର। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୂପ ଚିନ୍ତନ ଓ ପ୍ରସ୍ତୁତି ଆବଶ୍ୟକ। ସମୟର ଆହ୍ୱାନକୁ ସାମ୍ନା କରିବାକୁ ବିଶ୍ୱବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଶୈକ୍ଷିକ ନୀତି ଓ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଓ ସଂପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ନ୍ୟାସନାଲ ଏକାଡେମିକ ଡିପୋଜିଟୋରର ସୁବିଧାର ଉପଯୋଗ କରିବା, ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି ତଥା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରରେ ନବସର୍ଜନାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କାମନା କରିଥିଲେ।

ସମ୍ମିଳନୀରେ ରାଜ୍ୟର ୧୩ଗୋଟି ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ଆଦର୍ଶ, ପ୍ରଗତି ଓ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କୁଳାଧିପତିଙ୍କ ପରାମର୍ଶ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର। ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏ ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।

କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ମେଂଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଂଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଛନ୍ତି।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାର ବ୍ୟବହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି। ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧିପତି କହିଛନ୍ତି।

ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ।

କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟାର୍ଗେଟରେ କାହିଁକି ଅଛନ୍ତି ରାଜ୍ୟପାଳମାନେ?

ନୂଆଦିଲ୍ଲୀ: ତାମିଲନାଡୁ, ପଞ୍ଜାବ ଏବଂ ବର୍ତ୍ତମାନ କେରଳ, ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ବିଧାନସଭାରେ ଗୃହୀତ ବିଲକୁ ସମ୍ପୃକ୍ତ ରାଜ୍ୟପାଳ ଅନୁମୋଦନ ଦେଉନାହାନ୍ତି ବୋଲି ସେଠାକାର ସରକାର ଅଭିଯୋଗ କରିଛନ୍ତି। ଫଳରେ ଏହି ବିଲ ଦୀର୍ଘ ଦିନ ଧରି ରାଜ୍ୟପାଳଙ୍କ ପାଖରେ ରହିଥାଏ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ ମଧ୍ୟ ପଠାଯାଏ ନାହିଁ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ପିନାରାୟୀ ବିଜୟନ ସରକାର ପ୍ରାୟ ଦୁଇବର୍ଷ ଧରି ୮ଟି ବିଲ ଅଟକାଇ ରଖିଥିବା ଅଭିଯୋଗ ଆଣିଛନ୍ତି। ପଞ୍ଜାବ ଏବଂ ତାମିଲନାଡୁରେ ମଧ୍ୟ ପ୍ରାୟ ସମାନ ଅବସ୍ଥା ରହିଛି, ଯେଉଁଠାରେ ଏହି ବିଲକୁ ଅଟକାଇବା ଅଭିଯୋଗ ରହିଛି। ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏବେ ଦେଶର ସର୍ବୋଚ୍ଚ ଅଦାଲତ ବିଲ ଉପରେ ଗାଇଡଲାଇନ୍ ଜାରି କରିପାରିବେ। ରାଜ୍ୟପାଳଙ୍କ ଏହି ଅମାନିଆ ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ତିନି ରାଜ୍ୟରେ ବିଲ ବନ୍ଦକୁ ନେଇ ଉପୁଜିଥିବା ମତଭେଦର କାରଣ କ’ଣ?

କେରଳରେ କ’ଣ ହୋଇଛି ସ୍ଥିତି?

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିରୋଧରେ ୨ ବର୍ଷ ପାଇଁ ୮ଟି ବିଲ ଅଟକାଇ ରଖିଥିବା ଅଭିଯୋଗ ହୋଇଛି। ଫଳରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ହାଜର ହୋଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୧ରେ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଦର୍ଶାଇ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି, ଦୁଇବର୍ଷ ପାଇଁ ରାଜ୍ୟପାଳ କ’ଣ କରୁଥିଲେ ? ଲୋକମାନେ ଆମକୁ ଏ ବିଷୟରେ ପଚାରନ୍ତି।

ବେଣୁଗୋପାଳ ଯୁକ୍ତି ବାଢ଼ିଥିଲେ ଯେ ଆରିଫ ମହମ୍ମଦ ଖାନ୍ ଆଠଟି ବିଲ ମଧ୍ୟରୁ ୭ଟି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ, ଯଦିଓ ଉକ୍ତ ବିଲଗୁଡ଼ିକ କୌଣସି କେନ୍ଦ୍ରୀୟ ଆଇନକୁ ବିରୋଧ କରୁନଥିଲେ। କେରଳ ସରକାରଙ୍କ ଦ୍ୱାରା ଗୃହୀତ ବିଲଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀରେ ସଂଶୋଧନ କରିବାକୁ କୋର୍ଟ କେରଳ ସରକାରଙ୍କୁ ଅନୁମତି ଦେଇଛନ୍ତି।

ପଞ୍ଜାବରେ ରାଜ୍ୟପାଳଙ୍କ ସହ ଲଢ଼େଇ କାହିଁକି?

ଏହି ବିଲକୁ ବନ୍ଦ କରିବା ପ୍ରସଙ୍ଗ ମଧ୍ୟ ପଞ୍ଜାବରେ ରହିଛି। ମାନ ସରକାର ଓ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ମଧ୍ୟରେ ବିବାଦ ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରକୃତରେ କ’ଣ ହେଲା ଯେ ପଞ୍ଜାବ ସରକାର ଦୁଇ ଦିନିଆ ବିଧାନସଭା ଅଧିବେଶନ ଡାକିଥିଲେ। ଏହି ଅଧିବେଶନରେ ୩ଟି ଅର୍ଥ ବିଲ ଆଗତ ହେବାର ଥିଲା। ତେବେ ବନୱାରୀଲାଲ ପୁରୋହିତ ଏହି ଅଧିବେଶନକୁ ବେଆଇନ ଘୋଷଣା କରିଛନ୍ତି। ଏହି ବିଲକୁ ମଧ୍ୟ ଆଗତ କରିବାକୁ ଅନୁମତି ଦିଆଯାଇନଥିଲା। ତିନିଘଣ୍ଟା ପରେ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମାନ ସରକାରଙ୍କୁ ଚିଠି ଲେଖି ୩ଟି ଅର୍ଥ ବିଲ ସମେତ ୫ଟି ବିଲ ବିଷୟରେ ଖୁବ୍ ଶୀଘ୍ର ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଆବେଦନ ପରିପ୍ରେକ୍ଷୀରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ କହିଥିଲେ ଯେ ତାଙ୍କ କ୍ଷମତାକୁ ଆଇନ ପ୍ରଣୟନର ସ୍ୱାଭାବିକ ପ୍ରକ୍ରିୟାକୁ ବିଫଳ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଅଦାଲତ କହିଛନ୍ତି ଯେ ପଞ୍ଜାବର ରାଜ୍ୟପାଳଙ୍କୁ ଅଟକି ରହିଥିବା ବିଲ ଉପରେ ନିଷ୍ପତ୍ତି ନେଇ ଆଗକୁ ବଢ଼ିବାକୁ ପଡ଼ିବ।

ତାମିଲନାଡୁର ଷ୍ଟାଲିନ୍ ସରକାର ମଧ୍ୟ ରାଜ୍ୟପାଳଙ୍କ ଉପରେ କ୍ଷୁବ୍ଧ

ତାମିଲନାଡୁ ସରକାର ଏବଂ ରାଜ୍ୟପାଳ ଆରଏନ୍ ରବିଙ୍କ ମଧ୍ୟରେ ବିବାଦର କାରଣ ମଧ୍ୟ ଏହି ବିଲକୁ ବନ୍ଦ କରିବାର କାରଣ। ଏହି ଲଢ଼େଇ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଆରଏନ ରବି ବିଲରେ ଅଧିକ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରାଜ୍ୟପାଳ ସମଗ୍ର ପ୍ରଶାସନକୁ ଠପ୍ କରି ଦେଉଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି। ସରକାର ତାଙ୍କ ଆବେଦନରେ ଆହୁରି ମଧ୍ୟ କହିଛନ୍ତି ଯେ ସେ କ୍ଷମା ଆଦେଶ, ଦୈନନ୍ଦିନ ଫାଇଲ ଏବଂ ନିଯୁକ୍ତି ଆଦେଶରେ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି, ନିଯୁକ୍ତି ଆଦେଶକୁ ଅନୁମୋଦନ କରିବାକୁ ମନା କରିଦେଇଛନ୍ତି ଏବଂ ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ତଦନ୍ତ ସ୍ଥାନାନ୍ତର ସମେତ ଦୁର୍ନୀତି ମାମଲାରେ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି।

Categories
ଆଜିର ଖବର

ସାହିତ୍ୟ ପତ୍ରିକା “ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ, କବି ରକ୍ଷକ ନାୟକ ପୁରସ୍କୃତ

ଭୁବନେଶ୍ୱର: ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ। ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ। ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ। ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା। ଭାଷାର ସେବା ହିଁ ଯଥାର୍ଥରେ ଜାତି ସେବା। ଏହି ସେବାରେ ନିଜକୁ ସମର୍ପିତ କରିବା ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା “ଅପୂର୍ବା ‘ର ରଜତ ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଅଛି। ସେସବୁ ଆମର ସମ୍ପଦ। ଭାଷା ଅନେକ ହେଲେ ମଧ୍ୟ, ଭାବ ଏକ। ଏହା ହେଉଛି ଭାରତୀୟତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ କାଳଜୟୀ ସୃଷ୍ଟି ଅଛି। ଏହାର ବ୍ୟାପକ ଅନୁବାଦ ହେବା ଦରକାର। ଫଳରେ ଓଡ଼ିଶାର ସୃଜନ ସମ୍ପଦର ବିଶେଷ ପ୍ରସାର ହୋଇପାରିବ। ଏ ସମ୍ପର୍କରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ସାହିତ୍ୟର ବିକାଶରେ ପତ୍ରପତ୍ରିକାର ବିଶେଷ ଭୂମିକା ରହିଛି। ଅନେକ ସଫଳ ସୃଜନ ଯାତ୍ରା ପତ୍ରିକା ପୃଷ୍ଠାରୁ ଆରମ୍ଭ ହୁଏ। ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଲୋଡ଼ା ଅନୁକୂଳ ପରିବେଶ ଏବଂ ପତ୍ରପତ୍ରିକା ଏ କ୍ଷେତ୍ରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଦ୍ୱାରା “ଅପୂର୍ବା’ର ରଜତ ଜୟନ୍ତୀ ସଂଖ୍ୟା ସହିତ ଅନେକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ କଥା ସାହିତ୍ୟରେ ବିଜୟ ନାୟକ, କବିତାରେ ରକ୍ଷକ ନାୟକ, ଉପନ୍ୟାସରେ ଶ୍ରୀକାନ୍ତ ମିଶ୍ର, ପ୍ରବନ୍ଧରେ ଚନ୍ଦ୍ରଶେଖର ହୋତା, ଶିକ୍ଷାରେ ପ୍ରଭାତ କୁମାର ରାଉଳ, ପତ୍ରିକା ସଂପାଦନାରେ ଇତିରାଣୀ ସାମନ୍ତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ତିରୁପତି ପାଣିଗ୍ରାହୀ, ଶିଳ୍ପରେ ପ୍ରଦୀପ ମହାନ୍ତି ପ୍ରମୁଖଙ୍କୁ ଅପୂର୍ବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

“ଅପୂର୍ବା’ର ସଂପାଦକ କ୍ଷୀରୋଦ ଚନ୍ଦ୍ର ପତି ଓ ଉପଦେଷ୍ଟା ବ୍ରହ୍ମା ମିଶ୍ର “ଅପୂର୍ବା’ର ସୃଜନ ଯାତ୍ରାର ଉପଲବ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯୋଗଦେଇଥିଲେ। କବି ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବ, ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍‌ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ର ସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼େଇ ସ୍ମୃତିଚାରଣ କରିଥିଲେ। ପୂର୍ବତନ ପ୍ରଶାସକ ସଞ୍ଜୀବଚନ୍ଦ୍ର ହୋତା ସ୍ୱର୍ଗତ ବକ୍ସିପାତ୍ରଙ୍କ ସହିତ ନିଜର ଅନୁଭୂତି ଅବତାରଣା କରିଥିଲେ। ସ୍ମୃତି କମିଟିର ସାଧାରଣ ସଂପାଦକ ଲୋପାମୁଦ୍ରା ବକ୍ସିପାତ୍ର କମିଟିର ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ପାକ୍ଷିକ ପତ୍ରିକା “ଲୋକନୀତି’ର ବିଶେଷ ସଂଖ୍ୟା ଉନ୍ମୋଚିତ ହେବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବୈଦେଶିକ ସଚିବ ତଥା କୂଟନୀତିଜ୍ଞ ଶ୍ୟାମ ସରନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ପ୍ରଶାସନିକ ସେବା-୨୦୨୦ ବ୍ୟାଚ୍‌ର ୧୨୭ଜଣ ଟ୍ରେନି ଅଫିସର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ। ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି।

ସେଥିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ୱଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା – ୨୦୨୦ ବ୍ୟାଚ୍‌ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନର ନ୍ୟୁ ଅଭିିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେନି ଅଫିସରମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଏବଂ କଲ୍ୟାଣମୂଳକ କାର୍ଯ୍ୟକମ୍ରର ସଫଳ ରୂପାୟନ ଦ୍ୱାରା ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ।

ବର୍ତମାନର ଡ଼ିଜିଟାଲ୍ ଯୁଗରେ ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟାପକ ବ୍ୟବହାର ଓ ପ୍ରୟୋଗ ଦିଗରେ ପ୍ରଶାସନିକ ଅଧିକାରୀମାନେ ସର୍ବଦା ଯତ୍ନଶୀଳ ରହିବା ସହିତ ବିକାଶକୁ ଏକ ନୂତନ ଶିଖରରେ ପହଂଚାଇବାକୁ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ। ଓଡ଼ିଶା ଏକ ବିପୁଳ ସୁଯୋଗ ଓ ସମ୍ଭାବନାର ରାଜ୍ୟ। ସେହି ସମ୍ଭାବନାକୁ ନିଜର ଦକ୍ଷତା, ଦୂରଦୃଷ୍ଟି ମାଧ୍ୟମରେ ରାଜ୍ୟର ଉନ୍ନତି ଓ ବିକାଶରେ ରୂପାନ୍ତରିତ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ କହିଥିଲେ।

ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଶ୍ରୀ ଦାସ ଅଧିକାରୀମାନଙ୍କୁ କହିଥିଲେ। ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଥିବା ଅଧିକାରୀମାନଙ୍କୁ ରାଜ୍ୟପାଳ ନିଜର ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଟ୍ରେନି ଅଫିସରମାନଙ୍କୁ ନିଜର ଦକ୍ଷତା ଓ ସଫଳତା ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାକୁ ଗୌରବାନ୍ୱିତ କରିବାକୁ କହିଥିଲେ। ପ୍ରଶାସନିକ ଅଧିକାରୀଭାବେ ସମସ୍ୟା ସମାଧାନ କରିବାର କଳା ସେମାନଙ୍କୁ ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ପରିଗଣିତ କରାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼କ୍ଟର ପ୍ରତାପ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଦୁଇଜଣ ଟ୍ରେନି ଅଫିସର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ୧୨୭ଜଣ ଟ୍ରେନି ଅଫିସରଙ୍କ ମଧ୍ୟରେ ୫୫ଜଣ ମହିଳା ଟ୍ରେନି ଅଫିସରଙ୍କ ସମେତ ଏକାଡେମୀର ଅନ୍ୟ ଅଧିକାରୀ ଏବଂ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରେସ୍ ଦିବସରେ ରାଜ୍ୟପାଳ କହିଲେ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଆବଶ୍ୟକ

ଭୁବନେଶ୍ୱର: ଗଣମାଧ୍ୟମର ଏକ ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଗଣମାଧ୍ୟମ ସବୁବେଳେ ଅଗ୍ରଣୀ ଭୂମିକା ନେବା ସହ ସମୟ ଓ ସମାଜକୁ ଉଚିତ୍ ମାର୍ଗଦର୍ଶନ କରାଇବା ସହ ସକାରାତ୍ମକ ସହଯୋଗ କରିଆସିଛି । ଗଣମାଧ୍ୟମ ସାଧାରଣ ଲୋକମାନଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।

ଆଜି ଜୟଦେବ ଭବନରେ ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଏକ ସଶକ୍ତ ଓ କ୍ରିୟାଶୀଳ ଗଣତନ୍ତ୍ର ପାଇଁ ମୁକ୍ତ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଜରୁରୀ । ଏହା ଶାସନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରେ । ଏହା ଯେତେ ସହଜ, ସୁଗମ ଓ ସକ୍ରିୟ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ୍ ମିଶ୍ର ଜାତୀୟ ପ୍ରେସ୍ ଦିବସର ଆଭିମୁଖ୍ୟ ଓ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ବରିଷ୍ଠ ସାଂବାଦିକ ନିରଂଜନ ରଥଙ୍କୁ ଉତ୍କଳ ସାଂବାଦିକ ରତ୍ନ ସମ୍ମାନ ଓ କେତେକ ରାଜ୍ୟ ବାହାର ସାମ୍ବାଦିକଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଦିବଂଗତ ସାଂବାଦିକ ରବି ନାରାୟଣ ମହାନ୍ତି, ଗୋପାଳ ମିଶ୍ର, ବରେନ୍ଦ୍ରକୃଷ୍ଣ ଧଳ, ଦିଲ୍ଲୀପ ଶତପଥି, ରାମହରି ମିଶ୍ର, ପ୍ରଦ୍ୟୁମ୍ନ ବଳ ଓ ଅରିଂଦମ୍ ଦାଶଙ୍କ ସ୍ମୃତିରେ ସାଂବାଦିକତା ଓ ଗଣଯୋଗାଯୋଗ ଶିକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲ୍ ପ୍ରଦାନ କରାଯାଇଥିଲା । ବର୍ଷିଆନ ସାଂବାଦିକମାନଙ୍କୁ ପେନ୍‌ସନ ମଧ୍ୟ ପ୍ରଦାନ କରାଯାଇଥିଲା । ବୋର୍ଡର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ବର: ନବୀନ ନିବାସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଭାବେ ସେ ନବୀନ ନିବାସ ଯିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କର ପ୍ରୋଟକଲ ଭାଙ୍ଗିଛନ୍ତି। ସେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସିଧା ନବୀନ ନିବାସ ଯିବା ତାଙ୍କର ପ୍ରୋଟକଲ ବାହାରେ। କାରଣ ସେ ରାଜ୍ୟପାଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍ ବାସଭବନକୁ ବା ରାଜଭବନକୁ ଡାକିପାରିଥାଆନ୍ତେ। ହେଲେ ତାହା ନ କରି ସେ ନିଜେ କିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ପାଳନ ହେଲା ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଅନେକ ବିଭିନ୍ନତା ମଧ୍ୟରେ ଆମ ମୂଳ ପରିଚୟ ହେଉଛି, ଆମେ ସମସ୍ତେ ଭାରତୀୟ। ଏହି ପରିଚୟକୁ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ କରିବାକୁ ପ୍ରତ୍ୟେକ ନିଜ ନିଜ ସ୍ତରରେ ପ୍ରୟାସ କରିବା ହିଁ “ଏକ ଭାରତ – ଶ୍ରେଷ୍ଠ ଭାରତ’ର ଆଧାର ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ଆମର ଭାଷା ଅନେକ, କିନ୍ତୁ ଭାବ ଏକ। ଏହି ଭାବ ଓ ଭାବନା ଆମକୁ ଏକତାର ରଜ୍ଜୁରେ ବାନ୍ଧି ରଖିଛି। ଉତ୍ତରାଖଣ୍ଡ ଦେବ ଭୂମି ଭାବରେ ଖ୍ୟାତ। ଆମର ସାଂସ୍କୃତିକ ଓ ଭାବଗତ ପରିଚିତିକୁ ପରିପୁଷ୍ଟ କରିଛି ଉତ୍ତରାଖଣ୍ଡ। ଭାରତୀୟତାର ଅନୁଚିନ୍ତା ଓ ଆଦର୍ଶକୁ ଅନୁପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଏଭଳି ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତରାଖଣ୍ଡର ଡ. ଦୀପା ଖୁଲ୍‌ବେ, ସଚିନ୍ କୁମାର ପ୍ରମୁଖ ଓଡ଼ିଶାରେ ନିଜର ଅନୁଭବ, ଅନୁଭୂତି ଓ ଉପଲବ୍ଧି ସମ୍ପର୍କରେ କହିଥିଲେ। ଉତ୍ସବରେ ରାଜଭବନର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଓଡ଼ିଶା ନିବାସୀ ଉତ୍ତରାଖଣ୍ଡର ବହୁ ବ୍ୟକ୍ତି ଯୋଗଦେଇଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video News: ନବୀନ ନିବାସକୁ କାହିଁକି ଗଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ହେବା ପରେ ଗତକାଲି ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହିତ କିଛି ସମୟ ଧରି ଉଭୟ ଆଲୋଚନା ମଧ୍ୟ କରିଛନ୍ତି।

ରାଜ୍ୟପାଳ ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦୁଆର ମୁହଁରୁ ପାଛୋଟି ନେଇଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ କିଛି ସମୟ ଧରି ଆଲୋଚନା କରିଥିଲେ।

ତେବେ ଏଥିରେ ଓଡିଶା ବିକାଶ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Categories
ଆଜିର ଖବର

ରାଜସ୍ଥାନ ନିର୍ବାଚନରେ ‘ରାଷ୍ଟ୍ରପତି’ ଓ ‘ରାଜ୍ୟପାଳ’ କାହିଁକି ଭୋଟ୍ ଦେବେ?

ବୁନ୍ଦି: ମେଘାଳୟରେ ଯେତେବେଳେ ବି ନିର୍ବାଚନ ହୁଏ, ସ୍ୱିଡେନ, ଥାଇଲାଣ୍ଡ, ଗୁରୁବାର ଭଳି ନାମ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ଭୋଟରଙ୍କ ନାମ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ରାଜସ୍ଥାନର ବୁନ୍ଦି ଜିଲ୍ଲାର ରାମନଗର ଗାଁ ଆଗରେ ରହିପାରେ। ନଭେମ୍ବର ୨୫ରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ ବୁନ୍ଦି ଜିଲ୍ଲାର ରାମନଗର ଗାଁରେ ‘କଲେକ୍ଟର’, ‘ରାଷ୍ଟ୍ରପତି’ ଏବଂ ‘ରାଜ୍ୟପାଳ’ ମଧ୍ୟ ମତଦାନ କରିବେ। ବୁନ୍ଦି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରାମନଗର ଏକ ଛୋଟ ଗାଁ। ଏହି ଗାଁର ଜନସଂଖ୍ୟା ୫ ହଜାର। ପ୍ରାୟ ୨ ହଜାର ଭୋଟର କଞ୍ଜର ଆଦିବାସୀ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟରେ କାହାର ନାଁ ରାଜ୍ୟପାଳ, କାହାର ନାଁ ରାଷ୍ଟ୍ରପତି ତ କାହାର ନାମ ରାଜୀବ ଗାନ୍ଧି।

ନାମ ପଛରେ ରହିଛି ଜଟିଳ ସାମାଜିକ ଇତିହାସ

ଏହି ଗାଁରେ ଏଭଳି ନାମର ଉତ୍ପତ୍ତି ବିଚିତ୍ର ନୁହେଁ। ସେମାନଙ୍କ ପଛରେ ଏକ ଜଟିଳ ସାମାଜିକ ଇତିହାସ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ କଞ୍ଜର ବାଲକ ଦାସ କହିଛନ୍ତି, ବ୍ରିଟିଶ ଶାସନ ସମୟରେ କଞ୍ଜରମାନଙ୍କୁ ଅପରାଧୀ ଜନଜାତିଭାବେ ଦେଖାଯାଉଥିଲା। ସମ୍ପ୍ରଦାୟର କିଛି ସଦସ୍ୟ ଅପରାଧ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଗୁଜରାଟର ଆଦିବାସୀ ଏକାଡେମୀ ତେଜଗଡ଼ର ନିର୍ଦ୍ଦେଶକ ଡକ୍ଟର ମଦନ ମୀନା କହିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ସରକାର ବ୍ରିଟିଶ ଯୁଗର ଏକ ଆଇନ ପ୍ରତ୍ୟାହାର କରିନେଇଥିଲେ ଯେଉଁଥିରେ କଞ୍ଜର, ଭଟ, ମୋଙ୍ଗିଆ, ସନ୍‍ସି ଭଳି ସମ୍ପ୍ରଦାୟକୁ ଅପରାଧୀ ଜନଜାତି ଭାବରେ ରେକର୍ଡ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରେ ମଧ୍ୟ କିଛି ଜିନିଷ ବଦଳିନଥିଲା। ସ୍ଥାନୀୟ ପର୍ଯ୍ୟବେକ୍ଷକଙ୍କ ମତରେ ଯଦି ସମ୍ପ୍ରଦାୟର କିଛି ସଦସ୍ୟ ଆଇନ ଉଲ୍ଲଂଘନ କରନ୍ତି, ତେବେ ସମଗ୍ର ସମ୍ପ୍ରଦାୟକୁ ଅପରାଧୀଭାବେ ଦେଖାଯାଏ।

ସେ କହିଛନ୍ତି ଯେ ଏହି ସାମାଜିକ ନିନ୍ଦାକୁ ଏଡ଼ାଇବା ପାଇଁ ଅନେକ କଞ୍ଜର ଏପରି ନାମ ଗ୍ରହଣ କରିଛନ୍ତି ଯାହାକୁ ଲୋକମାନେ ସମ୍ମାନର ସହ ଦେଖୁଛନ୍ତି। ଦୂରଦର୍ଶନରେ କାର୍ଯ୍ୟକ୍ରମ ଦେଖିବା ପରେ ସମ୍ପ୍ରଦାୟର ଲୋକମାନେ ଅନେକ ପିଲାଙ୍କ ନାମ ରଖିଥିଲେ। ସେତେବେଳେ ଦୂରଦର୍ଶନ ଟିଭି ମିଡିଆର ଏକମାତ୍ର ମାଧ୍ୟମ ଥିଲା ଏବଂ କଂଗ୍ରେସ ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ ଥିଲା। ପୂର୍ବରୁ ଏହି ଗାଁର ଭୋଟର ତାଲିକାରେ ଜଣେ ଆଇଜି, ଜଣେ ଏସପି ଓ ଜଣେ ତହସିଲଦାର ଥିଲେ, ଏବେ ସମସ୍ତଙ୍କ ମୃତ୍ୟୁ ଘଟିଛି।

ମନରେଗା ଶ୍ରମିକଭାବେ କାମ କରନ୍ତି ‘ରାଜୀବ ଗାନ୍ଧୀ’

ତେବେ ସରକାରୀ ଜବ୍ କାର୍ଡ ନେଇ ‘ରାଜୀବ ଗାନ୍ଧୀ’ ଗାଁରେ ମନରେଗା ଶ୍ରମିକଭାବେ କାମ କରନ୍ତି। କଲେକ୍ଟର ଜଣେ ୫୭ ବର୍ଷୀୟ ଭୋଟର, ତାଙ୍କ ନାମରେ ତାଙ୍କ ମା’ ନାମିତ କରିଛନ୍ତି। ଗାଁକୁ ଆସିଥିବା ଜଣେ କଲେକ୍ଟରଙ୍କ ଦ୍ୱାରା କଲେକ୍ଟରଙ୍କ ମା’ ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମୟ ବଦଳିଯାଇଛି। ଗାଁରେ ଇଣ୍ଟରନେଟ୍ ଓ ଘରୋଇ ଟିଭି ଚ୍ୟାନେଲ ପହଞ୍ଚିଛି। ଏହି କାରଣରୁ ଗାଁ ଲୋକଙ୍କ ନାମ ଏବେ ବଦଳିଯାଇଛି। ଗ୍ରାମସମୁଦାୟର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ସ୍ଥାନୀୟ ନେତାଙ୍କ ତରଫରୁ ପ୍ରୟାସ କରାଯାଉଛି। ବର୍ଷ ବର୍ଷ ଧରି ଏହି ସମ୍ପ୍ରଦାୟ ପାଇଁ ବଡ଼ ବଡ଼ ସ୍ଥାନୀୟ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି।

ଗାଁର ‘ରୂପ’ ବଦଳିବା ଆରମ୍ଭ କରିଛି

ଗାଁର ସରକାରୀ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୫୦ ଜଣ ବାଳକ ଓ ବାଳିକା ପାଠ ପଢ଼ୁଛନ୍ତି। ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଥିଲା। ଗାଁର ୭ ଜଣ ସରକାରୀ କର୍ମଚାରୀ। ଆଗାମୀ ଦିନରେ ଏହି କଞ୍ଜର ସମ୍ପ୍ରଦାୟର ଲୋକମାନେ ନିଜ ପିଲାଙ୍କ ନାମ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନାମ ନେବେ ନାହିଁ ବୋଲି ବିଶ୍ୱାସ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କହିଲେ ଏପରି କଥା

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓଡିଶାରୁ ବିଦାୟ ନେବେ। ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ଏହି ଉପଲକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣେଷୀଲାଲଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ।

ସେହିପରି ଗତକାଲି ରାଜଭବନ କର୍ମଚାରୀମାନେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କ ବ୍ୟବହାର ତଥା ଶାସନ ପ୍ରଣାଳୀକୁ ବେଶ ପ୍ରଶଂସା କରିଥିଲେ। ଆଜି କେତେକ ବିଶିଷ୍ଠ ବ୍ୟକ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବେ।

ବିଦାୟ ସମୟରେ ପ୍ରଫେସରଗଣେଷୀଲାଲ କହିଛନ୍ତି ଯେ, ଓଡିଶାରେ ମୋର ପୁର୍ନଜନ୍ମ ହୋଇଛି। ଓଡିଶା ଲୋକଙ୍କର ଭଲପାଇବା ମୁଁ କେବେ ଭୁଲିପାରିବି ନାହିଁ। ଦୁନିଆରେ ଆପଣ ଚାରିଆଡେ ବୁଲନ୍ତୁ, ହେଲେ ପୁରୀ ପରି ଭଲପାଇବା କେଉଁଠି ମିଳିବ ନାହିଁ।

ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ଓଡିଶ।ର ନୂଆ ର।ଜ୍ୟପ।ଳ ଭ।ବେ ଯୋଗ ଦେବେ ଝ।ଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦ।ସ। ସେ ଆସନ୍ତ। ୨୯ ତ।ରିଖରେ ଓଡିଶ। ଆସିବେ ଏବଂ ୩୧ ତ।ରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣ।ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବ କଟକର ଶାରଳା ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରାଧୀନ ଦେଶକୁ ସ୍ୱାଧୀନ କରିବାରେ ‘ସମାଜ’ର ଭୂମିକା ଗୁରୂତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ।

ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସଂଗଠନ ଦକ୍ଷତା ବିକାଶର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗ୍‌ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ୧୯୧୯ ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ବହୁମୁଖୀ ମହାଦ୍ରୁମରେ ପରିଣତ ହୋଇଛି

ପ୍ରାରମ୍ଭରେ ‘ସମାଜ’ ସମ୍ପାଦକ ପ୍ରମୋଦକୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରି ‘ସମାଜ’ ପକ୍ଷରୁ ପ୍ରତିବର୍ଷ ଗ୍ରହଣ କରାଯାଇଥିବା ସେବାମୂଳକ କାର୍ଯ୍ୟର ଏକ ସୂକ୍ଷ୍ମ ସୂଚନା ଉପସ୍ଥାପନ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅତିଥିଙ୍କଦ୍ବାରା ‘ସମାଜ’ର ବାର୍ଷିକ ବିଶେଷାଙ୍କ, ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ପୂଜା ସଂଖ୍ୟା ଓ ସୁସ୍ଥ ସାମ୍ବାଦିକତା ଆହ୍ବାନ ଶୀର୍ଷକ ଏକ ଲୋଗୋକୁ ଉନ୍ମୋଚନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦାବୀ ପୁରଣ ପାଇଁ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ଆୟୁଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା ପଦ୍ଧତିର ସ୍ଥିତି କିଭଳି ବିପର୍ଣ୍ଣ ଆଡ଼କୁ ଗତି କରୁଛି ସେ ସମ୍ପର୍କରେ ଅଲ ଓଡିଶା ଆୟୁଷ ଛାତ୍ର ସଙ୍ଗଠନ ର ଏକପ୍ରତିନିଧି ଦଳ ଓଡିଶା ରାଜ୍ୟପାଳ ଙ୍କୁ ଭେଟି ବିସ୍ତୃତ ଆଲୋଚନା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଆୟୁଷ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପତ୍ରରେ ରାଜ୍ୟରେ ଏକୋଇଶ ବର୍ଷ ଧରି ରାଜ୍ୟ ସରକାର ଆୟୁଷ ଡିସ୍ପେନସାରି ନ ଖୋଲିବା,ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଭିତ୍ତିଭୂମିର ବିପର୍ଣ୍ଣ ସ୍ଥିତି, ଆୟୁଷ ଭେଷଜ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍ତରରେ କିଭଳି ଉପେକ୍ଷା କରାଯାଇଛି ତତସହିତ ରାଜ୍ୟରେ ଲୋକମାନଙ୍କ ଚାହିଦା ମୁତାବକ ଆୟୁଷ ଡିସ୍ପେନସାରିର ଅଭାବ ଦୂର କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପେକ୍ଷା ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ରାଜ୍ୟପାଳ ଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଡା ପ୍ରିୟଙ୍କା ରାଉତ, ଡା ଲୋପାମୁଦ୍ରା ଖଟୋଇ, ଡା ରାଜେଶ ମିଶ୍ର, ଡା ଅମୀୟ ଦାସ, ପ୍ରୀତିରଞ୍ଜନ ଦାସ ପ୍ରମୁଖ ସାକ୍ଷାତ ଆଲୋଚନା କରିଥିଲେ।