ଭାରତରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଘୋଷଣା ନେଇ ‘ଆରମ୍ଭ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

Published: Nov 8, 2023, 9:57 am IST

ନୂଆଦିଲ୍ଲୀ: ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍‌-ସିଟି (ଗିଫ୍ଟ ସିଟି)ରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ସ୍ଥାପନା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଗାନ୍ଧୀନଗର ସ୍ଥିତ ଗିଫ୍ଟ ସିଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟର ଆଗାମୀ କ୍ୟାମ୍ପସ ପାଇଁ ସ୍ଥାନ ପରିଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି ।

ଭାରତରେ ଅଷ୍ଟ୍ରେଲିଆନ୍ ୟୁନିଭର୍ସିଟି କ୍ୟାମ୍ପସର ଘୋଷଣା ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଆରମ୍ଭ’ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ଗାନ୍ଧୀନଗର ସ୍ଥିତ ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ-ସିଟିରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱସନୀୟ ବିଶ୍ୱବିଦ୍ୟାଳୟ ଯଥା ଡେକିନ ବିଶ୍ୱବିଦ୍ୟାଳୟ ଏବଂ ୟୁନିଭର୍ସିଟି ଅଫ୍ ଓ୍ୱଲ୍ଲୋନଗୋଙ୍ଗଅଷ୍ଟ୍ରେଲିଆ (ୟୁଓଡବ୍ଲ୍ୟୁ) କ୍ୟାମ୍ପସ ଖୋଲିବାର ଆନୁଷ୍ଠାନିକ ଘୋଷଣା ହୋଇଛି । ଏହା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ବଡ଼ ପଦକ୍ଷେପ । ସମ୍ଭାବନାମୟ ଗୁଜୁରାଟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟର ଜୀବନ୍ତ କ୍ୟାମ୍ପସ ସ୍ଥାପନା ହେବା ଛାତ୍ରଛାତ୍ରୀ ସମୁଦାୟ ପାଇଁ ଏକ ଉପହାର ବୋଲି ସେ କହିଛନ୍ତି ।

ଭାରତର ଡୋରଷ୍ଟେପରେ ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ଆଣିବା ଲକ୍ଷ୍ୟରେ ଏଭଳି କ୍ୟାମ୍ପସ ସ୍ଥାପନା ହେବା ଖୁସିର ବିଷୟ ।  ଭାରତର ଶିକ୍ଷାକୁ ବିଶ୍ୱମାନର କରିବା ଦିଗରେ ଏହା ଏକ ଅନ୍ୟତମ ପଦକ୍ଷେପ । ସ୍ୱଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଷ୍ଟଡି ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ବିବିଧ, ସର୍ବବ୍ୟାପୀ ଏବଂ ସମାବେଶୀ ଶିକ୍ଷାର ଏକ ବାତାବରଣ ତିଆରି କରିବ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତର ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରଚେଷ୍ଟା ପାଇଁ ଆଜି ଏହା ସମ୍ଭବ ହୋଇପାରିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତରେ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ହେବା, ଏହା କେବଳ ଏକ ଆରମ୍ଭ ମାତ୍ର । ଯେତେବେଳେ ଆମେ ଭାରତରେ ବୈଶ୍ୱିକ ଶିକ୍ଷାର ଏକ ନୂତନ ଯୁଗ ଆରମ୍ଭ କରୁଛୁ, ସେହି ସମୟରେ ଆମେ ଆମର ଅମୃତ ପିଢିଙ୍କ ଉଜ୍ଜ୍ୱଳ ଏବଂ ଆଲୋକିତ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ । ସେହି ଭବିଷ୍ୟତର ରୂପରେଖରେ ଗୁଣାତ୍ମକ ଶିକ୍ଷା ସୀମିତରେ ନୁହେଁ ବରଂ ବ୍ୟାପକ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ ସମୁଦାୟକୁ ଅଭିନନ୍ଦନ ଜଣାଇଛନ୍ତି ।

Related posts