ଗଞ୍ଜାମକୁ ମରୁଡ଼ି ଘୋଷଣା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ଦାବି କଲା କଂଗ୍ରେସ

Published: Nov 19, 2023, 12:33 pm IST

ଆସିକା: ସ୍ବଳ୍ପ ବୃଷ୍ଟି ଯୋଗୁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଖରିଫ ଧାନ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ୨୨ଟି ଯାକ ବ୍ଲକ ଅଞ୍ଚଳରେ ମରୁଡି ସ୍ଥିତି ଭୟଙ୍କର ହୋଇଛି। ଫଳରେ ଲକ୍ଷାଧିକ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅଧିକାଂଶ ଜମିରେ ଗୋରୁଗାଈ ପଶି ଚରୁଛନ୍ତି। କୃଷି ବହୁଳ ଜିଲ୍ଲାରେ ଜଳସେଚନ ପ୍ରତି ସରକାର ଆଖବୁଜି ଦେଇଥିବା ଏହାର ମୂଳ କାରଣ ହୋଇଛି।

ଗଞ୍ଜାମକୁ ମରୁଡ଼ି ଘୋଷଣା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ତୁରନ୍ତ ଆର୍ଥିକ ସହାୟତା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ତ୍ବରିତ ପଦକ୍ଷେପ ନିଆନଗଲେ ଚାଷୀଙ୍କୁ ମେଳିକରି ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବାର ଚେତାବନୀ ଦିଆଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କିଷାନ କଂଗ୍ରେସ ର ରାଜ୍ୟ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ଉପାଧ୍ୟକ୍ଷ ବୃନ୍ଦାବନ ଖଟେଇଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି ମରୁଡ଼ି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଲକୁ ଯାଇ ଅନେକ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଧାନଚାଷ ଉଜୁଡ଼ି ଯାଇଥିବାରୁ ଅନେକ ଚାଷୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ଅଭିଯୋଗ କରିଥିଲେ।

ଏହି ଟିମରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଜେନା ସାମିଲ ହୋଇ ଥିଲେ। ପରେ କଂଗ୍ରେସ ନେତାମାନେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ମଧ୍ୟ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଥିଲେ। ଜିଲା ପ୍ରଶାସନ ଓ କୃଷି ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଜିଲାରେ ଚାଷୀଙ୍କ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା।

କିଷାନ କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁରରେ କୁହାଯାଇଛି ଜିଲ୍ଲାରେ ଧାନ ଫସଲ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଏହାର ପ୍ରତିକାର ଦିଗରେ ସରକାରୀକଳ ଆଖ୍ ବୁଜି ଦେଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା ସହାୟତା ସାଙ୍ଗକୁ କୃଷିଋଣ ସମ୍ପୂର୍ଣ ଛାଡ଼, ମାଗଣା ବିଜୁଳି ଯୋଗାଇବା, ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ଚାଷ ନିମନ୍ତେ ମିନି କିଟ୍ ଯୋଗାଇବାକୁ ଦାବି କରାଯାଇଛି। ତୈଳ ଓ ଡ଼ାଲି ଜାତୀୟ ଚାଷ ପାଇଁ ମାଗଣା ବିହନ ଯୋଗାଇବା, କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ସରକାରୀ ସହାୟତା ଦିଆଯିବାକୁ ମଧ୍ୟ କିଷାନ କଂଗ୍ରେସ ଦାବି କରିଛି।

ଅନ୍ୟମାନଙ୍କ ମଧ୍ୟରେ ଭୋକାଲି ସେଠୀ, ଶ୍ୟାମସୁନ୍ଦର ଦୋରା, ପଦ୍ମଚରଣ ସାହୁ, ସୁବାସ ରାଉତ, ଶିବ ପ୍ରସାଦ ଦୋରା, ଦେବୀ ବିଷୋଇ, ସୁକାନ୍ତ ଦିଗାଲ, ହରେକୃଷ୍ଣ ରଥ, ଶଙ୍କର ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।

Related posts