ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା କୋରାପୁଟ ସେମିଳିଗୁଡ଼ାର କଲେଜ ଛାତ୍ରୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରଛନ୍ତି । ଗତ ଜୁନ 1 ତାରିଖରେ ଏକ ତରଫା ପ୍ରେମ ସମ୍ପର୍କକୁ ନେଇ ସେମିଳିଗୁଡ଼ାର ଘରୋଇ ଇଜିଂନିୟରିଂ କଲେଜ ଛାତ୍ରୀଙ୍କୁ ଜଣେ ଛାତ୍ର ଆକ୍ରମଣ କରିଥିଲେ । ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେବାକୁ ଉଦ୍ୟମ କରିଥିଲେ । ପ୍ରଥମେ ଗୁରୁତର ଛାତ୍ରୀଙ୍କୁ କୋରାପୁଟ ମେଡ଼ିକାଲ ଓ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଝିଅର ମୃତ୍ୟକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ନାବାଳକ ଛାତ୍ର ଘଟଣାର ଦୁଇ ଦିନ ପରେ ସେମିଳିଗୁଡ଼ା ଥାନାରେ ଆତ୍ମସମର୍ପଣ କରିସାରିଛି । ତାକୁ ଜୁଭେନାଇଲ୍ କୋର୍ଟକୁ ଚାଲାଣ କରାଯାଇଛି । ସେମିଳିଗୁଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଏକତରଫା ପ୍ରେମର କରୁଣ ପରିଣତି : ପ୍ରାଣ ହରାଇଲେ ଛାତ୍ରୀ
Published:
Jun 10, 2019, 11:16 am IST
Tags: