ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍ କରିଛି। ସୋମବାର ଦିନ ଶିବସେନା ତା’ ମୁଖପତ୍ର ‘ସାମ୍ନା’ରେ କହିଛି ଯେ, ଯଦି ବିଜୟ ଉତ୍ସବ ଶେଷ ହୋଇଛି, ତେବେ ଆଲିଗଡ଼ରେ ହୋଇଥିବା ଯନ୍ତ୍ରଣାଦାୟକ ଘଟଣାକୁ ଦେଖିବା ଦରକାର । ଏନେଇ ସାମନାରେ ଏକ ଲେଖା ପ୍ରକାଶ ପାଇଛି। ମାତ୍ର ୧୦,୦୦୦ ଟଙ୍କା ପାଇଁ ଏପରି ଅମାନୁଷିକ କାର୍ଯ୍ୟ ହୋଇଛି, ଯାହାକୁ ନେଇ ସାରା ଭାରତବର୍ଷରେ ଆକ୍ରୋଶ । ଭାଜପା ‘ବେଟି ବଚାଓ’ ସ୍ଲୋଗାନ୍ ଦେଉଥିବାବେଳେ ଦେଶରେ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀଙ୍କୁ କଠୋର ଦଣ୍ଡାଦେଶ କରାଯିବା ଆବଶ୍ୟକତା ଉପରେ ଶିବସେନା ଜୋର୍ ଦେଇ କହିଛି – ‘କଂଗ୍ରେସ ଶାସନ କାଳରେ ’ନିର୍ଭୟା କାଣ୍ଡ’ ହୋଇଥିଲା । ସେହିସମୟରେ ଯେଉଁ ଲୋକମାନେ ସଂସଦକୁ ଚଳାଇ ଦେଇନଥିଲେ ଓ ମହିଳା ଅତ୍ୟାଚାରଙ୍କ ବିରୋଧରେ ସରକାର କଠୋର କାନୁନ୍ କରିବା ପାଇଁ ବାଧ୍ୟ କରିଥିଲେ, ସେମାନେ ଆଜି ସତ୍ତାରେ ଅଛନ୍ତି । ଏବେ ସେହି ସତ୍ତାଧାରୀଙ୍କର ଦାୟିତ୍ବ ବେଶ୍ ନିର୍ଣ୍ଣାୟକ ରହିଛି ।’ ଏଭଳି ଅପରାଧୀଙ୍କର ସମାଜରେ ରହିବାର ଅଧିକାର ନାହିଁ ବୋଲି ସାମନାରେ କୁହାଯାଇଛି। ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯିବା ଉପରେ ଏଥିରେ ଦର୍ଶାଯାଇଛି।