‘ଅର୍ଜୁନ ପୁରସ୍କାର’ ଦୌଡରେ ମହମ୍ମଦ ଶାମି, ତାଲିକାରେ ସାମିଲ କରିବାକୁ ବିସିସିଆଇ ର ଅନୁରୋଧ

Published: Dec 14, 2023, 9:24 am IST

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ବୋଲି ପ୍ରମାଣିତ ହୋଇଥିଲେ। ଶାମି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇପାରିଥିଲେ। ବର୍ତ୍ତମାନ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ବିସିସିଆଇ କ୍ରୀଡ଼ା କ୍ଷେତ୍ରରେ ଦିଆଯିବାକୁ ଥିବା ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ନାମ ରଖିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରୀଡା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଶାମିଙ୍କ ନାମ ଅର୍ଜୁନ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିସିସିଆଇ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। କ୍ରୀଡ଼ା କ୍ଷେତ୍ରରେ ଦିଆଯାଇଥିବା ଅର୍ଜୁନ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପୁରସ୍କାର।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ମେଜର ଧାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ସମେତ ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର ଉପରେ ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଛି। ତାଙ୍କ ବ୍ୟତୀତ କମିଟିରେ ମୋଟ ୬ ଜଣ ସଦସ୍ୟ ରହିବେ, ଯେଉଁମାନେ ପୂର୍ବତନ ଆନ୍ତର୍ଜାତୀୟ ଆଥଲେଟ୍ ଅଟନ୍ତି।

Related posts