ଅର୍ଶଦୀପ ସିଂ ରଚିଲେ ଇତିହାସ, ପ୍ରଥମ ଭାରତୀୟ ବୋଲର ଭାବେ ପାଇଲେ ଏହି ସଫଳତା

Published: Dec 17, 2023, 8:38 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ ରେ ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୫ ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏହା ଦ୍ଵାରା ଅର୍ଶଦୀପ ସିଂ ତାଙ୍କ କ୍ୟାରିୟରରେ ଏକ ବିଶେଷ କମାଲ କରିଛନ୍ତି। ଆର୍ଶଦୀପ ଏକମାତ୍ର ଭାରତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି, ଯିଏକି ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଦିନିକିଆରେ ୫ ୱିକେଟ୍ ନେଇ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ଏକ ଆଫ୍ରିକୀୟ ଦଳ ବିପକ୍ଷରେ ଖେଳିବାବେଳେ କୌଣସି ଭାରତୀୟ ଦ୍ରୁତ ବୋଲର ଏହି ସଫଳତା ହାସଲ କରିନଥିଲେ। ଏହି ମ୍ୟାଚରେ ଅର୍ଶଦୀପ ୧୦ ଓଭର ବୋଲିଂ କରିଥିଲେ ଯେଉଁଥିରେ ସେ ୩୭ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂଙ୍କ ବ୍ୟତୀତ ଆବେଶ ଖାନ ମଧ୍ୟ ମ୍ୟାଚରେ ଚମତ୍କାର ବୋଲିଂ କରି ୪ ଟି ୱିକେଟ୍ ନେଇଥିଲେ।

ଉଲ୍ଲେଖଥାଉ କି, ଅର୍ଶଦୀପ ହେଉଛନ୍ତି ତୃତୀୟ ଭାରତୀୟ ବୋଲର ଯିଏ ଦକ୍ଷିଣ ଆଫ୍ରିକାରେ ୫ ୱିକେଟ୍ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଶଦୀପଙ୍କ ପୂର୍ବରୁ ଆଶିଷ ନେହେରା ୨୦୦୩ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୬ ଟି ୱିକେଟ୍ ନେଇଥିବାବେଳେ ୨୦୧୮ ରେ ୟୁଜଭେନ୍ଦ୍ର ଚହଲ ସେଞ୍ଚୁରିଅନରେ ଆଫ୍ରିକୀୟ ଦଳ ବିପକ୍ଷ ମ୍ୟାଚରେ ୫ ୱିକେଟ୍ ନେଇଥିଲେ।

ତେବେ ଦକ୍ଷିଣ ଆଫ୍ରିକା ଦଳ ଟସ୍ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଅର୍ଶଦୀପ ଏବଂ ଆଭେଶ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କୁ ମାତ୍ର ୧୧୬ ରନରେ ରୋକିପାରିଥିଲେ।

ସେପଟେ ଏହି ସହଜ ଲକ୍ଷ୍ୟକୁ ଭାରତୀୟ ଦଳ ମାତ୍ର ୧୬.୪ ଓଭରରେ ୨ ଟି ୱିକେଟ ହରାଇ ପୂରଣ କରିଥିଲେ। ପଦାର୍ପଣ ମ୍ୟାଚରେ ସାଇ ସୁଦର୍ଶନ ଚମତ୍କାର ଇନିଂସ ଖେଳି ୪୩ ବଲରେ ୫୫ ରନ (ଅପରାଜିତ) ସଂଗ୍ରହ କରିଥିଲେ। ସେହିଭଳି ଶ୍ରୀୟସ ଆୟର ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୪୫ ଟି ବଲର ସମ୍ମୁଖୀନ ହୋଇ ୫୨ ରନ କରି ଆଉଟ ହୋଇଯାଇଥିଲେ।

Related posts