ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ

Published: Dec 21, 2023, 1:13 pm IST

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍‍ଘାଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ୍ ଯୋଗଦାନ କରି ‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିରୂପେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ଯୋଗଦାନ କରି ବିଦ୍ୟାଳୟ ହିଁ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ବିକାଶର ପ୍ରକୃଷ୍ଟ ସ୍ଥଳ ବୋଲି କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟର ସାଂସ୍କୃତିକ ବିଭାଗର ମୁଖ୍ୟ ସଂଯୋଜିକା ସାରଦା ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦ୍ରୌପଦୀ ନୃତ୍ୟ, ଜଳପରି, ରେଡ୍ ରାଇଡିଂ ହୁଡ୍‌, ମହାନଦୀରୁ ଝେଲମ୍ ପର୍ଯ୍ୟନ୍ତ, କାଳଜୟୀ ଦୁର୍ଗା ଆଦି ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ।

Related posts