ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଇକ୍ୱେଡର ମଧ୍ୟରେ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Published: Jan 19, 2024, 7:22 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ଇକ୍ୱେଡର ଗଣତନ୍ତ୍ରର ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ ମଧ୍ୟରେ ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ  ପାଇଁ  ୨୦୨୩ ନଭେମ୍ବର ୦୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ଓ  ବୁଝାମଣାପତ୍ର (ଏମଓୟୁ) କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ:

ଏହି ବୁଝାମଣାପତ୍ର ଉଭୟ ପକ୍ଷ ମଧ୍ୟରେ ନିୟାମକ ଦିଗ ଗୁଡ଼ିକୁ ଭଲ ଭାବରେ ବୁଝିବାରେ ସହାୟକ ହେବ ଏବଂ ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଆନ୍ତର୍ଜାତିକ ସ୍ତରରେ ଉନ୍ନତ ସମନ୍ୱୟ କ୍ଷେତ୍ରରେ ସହାୟକ ହେବ ।

ରୋଜଗାର ସୃଷ୍ଟି ସମ୍ଭାବନା:

ବୁଝାମଣାପତ୍ର ଯୋଗୁଁ ନିୟାମକ ଅଭ୍ୟାସରେ ସମନ୍ୱୟ ଭାରତରୁ ଔଷଧର ରପ୍ତାନୀ ବୃଦ୍ଧି କରିବାରେ ସହାୟକ ହୋଇ ପାରିବ ଏବଂ ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଜୀବୀ ମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବ ।

ଆତ୍ମନିର୍ଭର ଭାରତ:

ଏହି ବୁଝାମଣାପତ୍ର ଦ୍ୱାରା ଚିକିତ୍ସା ସାମଗ୍ରୀର ରପ୍ତାନି ସହଜ ହେବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ରୋଜଗାର ହେବ । ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବିଶେଷ ପଦକ୍ଷେପ ହେବ ।

ପୃଷ୍ଠଭୂମି:

ସିଡିଏସ୍‌ସିଓ ହେଉଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଏକ ଅଧସ୍ତନ କାର୍ଯ୍ୟାଳୟ, ଯାହା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଏକ ଅନୁବନ୍ଧିତ କାର୍ଯ୍ୟାଳୟ । ସିଡିଏସସିଓ ହେଉଛି ଭାରତରେ ଔଷଧ, ଚିକିତ୍ସା ଉପକରଣ ଏବଂ ପ୍ରସାଧନ ସାମଗ୍ରୀ ପାଇଁ ଜାତୀୟ ନିୟାମକ କର୍ତ୍ତୃପକ୍ଷ । ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ୍ ହେଉଛି ଇକ୍ୱେଡର ଗଣତନ୍ତ୍ରରେ ଏହି ଉତ୍ପାଦ ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ନିୟାମକ ଏଜେନ୍ସି ।

Related posts