
ରାୟଗଡା: ହୃଦଘାତରେ ରାୟଗଡାର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ।
ଗଜମୋହନ ନ୍ୟୁଜ 18 ର ରାୟଗଡା ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ଜୀ ଓଡିଶାର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ଦୀର୍ଘ ବର୍ଷ ଧରି ଓଡିଶାର ପ୍ରମୁଖ ଟିଭି ମିଡିଆ ନକ୍ଷତ୍ର ଟିଭି, ଇଟିଭି ରେ କାର୍ଯ୍ୟ କରି ନିଜର ଦକ୍ଷତାକୁ ପ୍ରତିପାଦନ କରାଇଛନ୍ତି। ମୁଖ୍ୟତଃ ତାଙ୍କର ସରଳ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ସାରା ଓଡିଶାର ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି।