Categories
ଆଜିର ଖବର ରାଜ୍ୟ ଖବର

ରାୟଗଡାର ପ୍ରତିଷ୍ଠିତ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ପରଲୋକ

ରାୟଗଡା: ହୃଦଘାତରେ ରାୟଗଡାର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ।

ଗଜମୋହନ ନ୍ୟୁଜ 18 ର ରାୟଗଡା ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ଜୀ ଓଡିଶାର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ଦୀର୍ଘ ବର୍ଷ ଧରି ଓଡିଶାର ପ୍ରମୁଖ ଟିଭି ମିଡିଆ ନକ୍ଷତ୍ର ଟିଭି, ଇଟିଭି ରେ କାର୍ଯ୍ୟ କରି ନିଜର ଦକ୍ଷତାକୁ ପ୍ରତିପାଦନ କରାଇଛନ୍ତି। ମୁଖ୍ୟତଃ ତାଙ୍କର ସରଳ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ସାରା ଓଡିଶାର ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ

ବନ୍ଦ ହେବ ‘ ଜୀ ମିଡିଆ ‘ର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’

Zee Hindustan to be shut down: ଖୁବ ଶିଘ୍ର ବନ୍ଦ ହେବାକୁ ଯାଉଛି ଜୀ ମିଡିଆର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’। ନିକଟରେ ‘ଜୀ ଓଡିଶା’ ଚ୍ୟାନେଲକୁ କଂପାନୀ ବନ୍ଦ କରିଥିବା ବେଳେ ଏବେ ଜାତୀୟ ନ୍ୟୁଜ ଚ୍ୟାନେଲକୁ ବନ୍ଦ କରିବ। ଏହାକୁ ନେଇ ବର୍ତ୍ତମାନ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ଚ୍ୟାନେଲରେ ପ୍ରାୟ ଦୁଇ ଶହରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଜୀ ହିନ୍ଦୁସ୍ଥାନର ଉଭୟ ଡିଜିଟାଲ ଏବଂ ସାଟେଲାଇଟ କୁ ବନ୍ଦ କରିଦିଆଯିବ ବୋଲି ନିଷ୍ପତି ହୋଇଛି। ଫଳରେ କଂପାନୀ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହି ସାରିଛନ୍ତି। ଏପରିକି ଅନେକ କର୍ମଚାରୀ ଇସ୍ତଫା ପ୍ରଦାନ କରି ସାରିଥିବାର ମଧ୍ୟ ଜଣାପଡିଛି। ସେହିପରି ଦିଲ୍ଲୀ ବାହାରେ ଯେଉଁମାନେ ଅଛନ୍ତି ସେମାନେ ତୁରନ୍ତ ମେଲ ଯୋଗେ ଇସ୍ତଫା ଦେବା ପାଇଁ ଜଣାଇ ଦିଆଯାଇଛି। ଏହି ଚ୍ୟାନେଲର ମୁଖ୍ୟ ସମଶେର ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ତେବେ ଏକ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଚ୍ୟାନେଲ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଏପରିକି କର୍ମଚାରୀଙ୍କୁ ଦରମା ଦେବା ପରି ରାଜସ୍ବ ମଧ୍ୟ ଏହି ଚ୍ୟାନେଲକୁ ମିଳୁ ନ ଥିଲା। ଅନ୍ୟପଟେ ଏହି କଂପାନୀର ଅନ୍ୟତମ ମୁଖ୍ୟ ଚ୍ୟାନେଲ ‘ଜୀ ନ୍ୟୁଜ’ ଚ୍ୟାନେଲ ସହିତ ଏହାର ଟକ୍କର ହେଲା। କାରଣ ଗୋଟିଏ କଂପାନୀର ଏକ ପ୍ରକାର କଣ୍ଟେଟ ଥାଇ ଦୁଇଟି ଚ୍ୟାନେଲକୁ ଲୋକେ ଗ୍ରହଣ କଲେ ନାହିଁ। ଫଳରେ ଜୀ ହିନ୍ଦୁସ୍ଥାନକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଜଣାପଡିଥିଲା।

ଏହି ‘ଜୀ ହିନ୍ଦୁସ୍ଥାନ’ 2017 ମସିହାରେ ଆରମ୍ଭ କରାଯାଇଥିଲା। ସେତେବେଳେ ଜୀ ମିଡିଆରେ ମୁଖ୍ୟ ପଦବୀରେ ଥିବା ଜଗଦୀଶ ଚନ୍ଦ୍ରା ଏହାକୁ ଆରମ୍ଭ କରିଥିଲେ। ସେ ଛାଡିବା ପରେ ପୁରୁଷତ୍ତୋମ ବୈଷ୍ଣବ ଏହାର ଦାୟିତ୍ବରେ ରହିଲେ। ସେତେବେଳେ ଏହି ଚ୍ୟାନେଲକୁ ଆଙ୍କର ଲେସ କରିବା ପାଇଁ ଚେଷ୍ଠା କରାଯାଇଥିଲା। ଅର୍ଥାତ କୌଣସି ଆଙ୍କର ନ୍ୟୁଜ ନ ପଢି ନ୍ୟୁଜ ପରିବେଷ କରିବାକୁ କାର୍ଯ୍ୟକାରୀ କରାଗଲା। ହେଲେ ତାହା ମଧ୍ୟ ବିଫଳ ହେବା ପରେ ଗତ 2020 ମସିହାରେ ଏହାକୁ ନୂଆ ରୂପ ଦିଆଯାଇଥିଲେ ମଧ୍ୟ ସଫଳ ହେଲା ନାହିଁ।

ତେବେ ସୁତ୍ର ଅନୁସାରେ କଂପାନୀ ‘ଜୀ ହିନ୍ଦୁସ୍ଥାନ’ ଲାଇସେନସକୁ ପରିବର୍ତ୍ତନ କରି ଏକ ଡକ୍ୟୁମେଣ୍ଟାରୀ ଚ୍ୟାନେଲ କରିବାକୁ ଚିନ୍ତା କରିଛି ବୋଲି ଜଣାପଡିଛି। ଡିସକଭରୀ ଚ୍ୟାନେଲ ପରି ହିନ୍ଦି ଭାଷାରେ ଏହାକୁ କରିବା ପାଇଁ କଂପାନୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ନିଷ୍ପତି କରିଛନ୍ତି। ସେହି ଅନୁସାରେ ଜୀ ହିନ୍ଦୁସ୍ଥାନ ଏକ ନୂଆ ନାମରେ ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ବନ୍ଦ ହେଲା ‘ଜୀ ଓଡିଶା ନ୍ୟୁଜ’ ଡିଜିଟାଲ ଚ୍ୟାନେଲ, ସବୁ କର୍ମଚାରୀଙ୍କୁ ଇସ୍ତଫା ନିର୍ଦ୍ଦେଶ

ଭୁବନେଶ୍ବର: ଶେଷରେ ‘ଜୀ ଓଡିଶା ନ୍ୟୁଜ’ ଡିଜିଟାଲ ଚ୍ୟାନେଲ ମଧ୍ୟ ବନ୍ଦ ହୋଇଗଲା। ପୂର୍ବରୁ ଜୀ ମିଡିଆ କର୍ରପୋରେସନ ତାହାର ଓଡିଶା ସାଟେଲାଇଟ ଚ୍ୟାନେଲ ବନ୍ଦ କରି ଦେଇଥିଲା। ତା ବଦଳରେ ଓଡିଆ ଭାଷାରେ ଡିଜିଟାଲ ଚ୍ୟାନେଲ ଚାଲିବ ବୋଲି କୁଯାଇଥିଲା। ହେଲେ ତାହାକୁ ମଧ୍ୟ କଂପାନୀ ବନ୍ଦ କରିବାକୁ ନିଷ୍ପତି କରିଛି।

ଏ ନେଇ ଜୀ ଓଡିଶା ନ୍ୟୁଜରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଇସ୍ତଫା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହଠାତ ଏପରି ନିର୍ଦ୍ଦେଶ ପାଇବାରେ ପରେ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। କାରଣ ଏ ନେଇ କଂପାନୀ କର୍ତ୍ତପକ୍ଷ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ। ଇସ୍ତଫା ନିର୍ଦ୍ଦେଶ ଆସିବା ପରେ ଅନେକ କର୍ମଚାରୀ ଇସ୍ତଫା ପ୍ରଦାନ କରିଥିବା ମଧ୍ୟ ଜଣାପଡିଛି।

ଏହି ଜାତୀୟ ଚ୍ୟାନେଲର ଉଭୟ ଭୁବନେଶ୍ବର ଏବଂ ଦିଲ୍ଲୀ ଅଫିସରେ ପ୍ରାୟ 30 ଜଣ ଓଡିଆ କର୍ମଚାରୀ କାର୍ଯ୍ୟ କରୁଥିଲେ। ନୂଆଦିଲ୍ଲୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାନବସମ୍ବଳ ବିଭାଗ ଜଣ ଜଣଙ୍କୁ ଡାକି ଇସ୍ତଫା ପତ୍ର ଦେବାକୁ ବାଧ୍ୟ କରିଛନ୍ତି। ଫଳରେ ଦିଲ୍ଲୀ ଅଫିସରେ ପ୍ରାୟ ସମସ୍ତ ଓଡିଆ କର୍ମଚାରୀ ଇସ୍ତଫା ଦେଇସାରିଛନ୍ତି। ସେହିପରି ଓଡିଶାରେ କାର୍ଯ୍ୟରତ କର୍ମଚାରୀମାନ ମଧ୍ୟ ଇସ୍ତଫା ଦେଇଥିବାର ଜଣାପଡିଛି। ଜୀ ମିଡିଆର ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୀ ଓଡିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କର ପରଲୋକ

ଭୁବନେଶ୍ବର, ଅନୁଗୁଳ ଜିଲ୍ଲାର ଜୀ ଓଡିଶା ନ୍ୟୁଜ ଚ୍ୟାନେଲର ପ୍ରତିନିଧୀ ତଥା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କୁ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ରହି ଅନୁଗୁଳରେ ଚିକିତ୍ସା ହେଉଥିଲେ। ହେଲେ ଗତକାଲି ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କର ଅବସ୍ଥା ସାଂଘାତିକ ହୋଇପଡିଥିଲା। ଫଳରେ ଆଜି ସକାଳେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29 ବର୍ଷ ବୟସ ହୋଇଥିଲା।

ରଘୁନାଥ ଅନୁଗୁଳ ଜିଲ୍ଲା ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଉଚ୍ଚ କୋଟିର ଉପସ୍ଥାପନା ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ସାମ୍ବାଦିକଙ୍କ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏଥିସହିତ ଜିଲ୍ଲା ବିଜେପି ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।