‘ଦେଶ ପାଇଁ ଦାନ’ ଅଭିଯାନରୁ ୧ ମାସରେ କଂଗ୍ରେସକୁ କେତେ ମିଳିଲା?

Published: Jan 19, 2024, 12:54 pm IST

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ ଗତ ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ପାଇଛି। କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ଦଳ ଡିସେମ୍ବର ୧୮ରେ ଅନଲାଇନ ଦାନ ଅଭିଯାନ ଆରମ୍ଭ କରିଥିଲା ଏବଂ ୩୧ ଦିନରେ ଏହା ୧୫ କୋଟି ଟଙ୍କା ସଂଗ୍ରହ କରିଛି।

୧ ମାସରେ ମିଳିଲା ୧୫ କୋଟି ଟଙ୍କା ଦାନ

ଅଜୟ ମାକେନ ଏକ୍ସରେ ଲେଖିଛନ୍ତି, ‘ଆଜି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମ ଅଭିଯାନର ୩୧ତମ ଦିନ। ଆମେ ତିନି ଲକ୍ଷରୁ ଅଧିକ ବୈଧ କାରବାର ମାଧ୍ୟମରେ ସଫଳତାର ସହ ୧୫ କୋଟି ଟଙ୍କା ସଂଗ୍ରହ କରିଛୁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୧୮ ରେ ‘ଦେଶ ପାଇଁ ଦାନ’ ଅଭିଯାନର ଶୁଭାରମ୍ଭ କରିଥିଲେ ଏବଂ ପ୍ରଥମ ଦିନରେ ଦଳକୁ ୧.୩୮ ଲକ୍ଷ ଟଙ୍କା ଦାନ ମିଳିଥିଲା। ଚଳିତ ବର୍ଷ ଶେଷଭାଗରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ସମ୍ବଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି।

ଦେଶ ପାଇଁ ଦାନ ଅଭିଯାନ କ’ଣ?

ଦେଶ ପାଇଁ ଦାନ ଅଭିଯାନ ହେଉଛି କଂଗ୍ରେସ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅନଲାଇନ କ୍ରାଉଡଫଣ୍ଡିଂ ଅଭିଯାନ। ୨୦୨୩ ଡିସେମ୍ବର ୧୮ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜରିଆରେ କଂଗ୍ରେସ ଦଳ ଦେଶବାସୀଙ୍କୁ ୧୩୮, ୧୩୮୦, ୧୩,୮୦୦ ଟଙ୍କା ବା ୧୦ ଗୁଣ ଟଙ୍କା ଦାନ କରିବାକୁ ନିବେଦନ କରିଛି।

କଂଗ୍ରେସ କହିଛି ଯେ, ଏହି ଅଭିଯାନ ଦଳର ୧୩୮ ବର୍ଷର ଯାତ୍ରାର ଏକ ଉତ୍ସବ ଏବଂ ଏହି ପଦକ୍ଷେପ ୧୯୨୦-୨୧ ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ କୋଷ’ ରୁ ପ୍ରେରିତ। ସମ୍ବଳର ସମାନ ବଣ୍ଟନ ଏବଂ ସୁଯୋଗରେ ସମୃଦ୍ଧ ଭାରତ ଗଠନ ପାଇଁ ଦଳକୁ ସଶକ୍ତ କରିବା ଏହାର ଲକ୍ଷ୍ୟ।

Related posts