ଟିକସ ଆଦାୟରେ ଭର୍ତ୍ତି ସରକାରୀ ରାଜକୋଷ, ଭାଙ୍ଗିଲା ରେକର୍ଡ, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି

Published: Jan 24, 2024, 2:49 pm IST

ନୂଆଦିଲ୍ଲୀ: ଦେଶରେ ଆୟକର ରିଟର୍ଣ୍ଣ (ଆଇଟିଆର ଫାଇଲିଂ) ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଦିନକୁ ଦିନ ଆୟକର ଫାଇଲଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ଆଇଟିଆର ଫାଇଲ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ୧୦ ବର୍ଷରେ ଆଇଟିଆର ଫାଇଲ କରିଥିବା ଲୋକଙ୍କ ସଂଖ୍ୟା ୭.୭୮ କୋଟିରେ ପହଞ୍ଚିଛି। ଏନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତଥ୍ୟ ଜାରି କରିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ୭.୭୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଏହା ୨୦୧୩-୧୪ରେ ଦାଖଲ ହୋଇଥିବା ୩.୮ କୋଟି ଆୟକର ରିଟର୍ଣ୍ଣ ତୁଳନାରେ ୧୦୪.୯୧ ପ୍ରତିଶତ ଅଧିକ।

ସମାନ ଅବଧିରେ ପ୍ରତ୍ୟକ୍ଷ ଟିକସ ଆଦାୟ ୧୬୦.୫୨ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ରେ ୧୬,୬୩,୬୮୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୧୩-୧୪ରେ ୬,୩୮,୫୯୬ କୋଟି ଟଙ୍କା ଥିଲା। ସରକାର ୨୦୨୩-୨୪ ବଜେଟରେ ପ୍ରତ୍ୟକ୍ଷ ଟିକସ (ବ୍ୟକ୍ତିଗତ ଆୟକର ଏବଂ କର୍ପୋରେଟ ଟିକସ)ରୁ ୧୮.୨୩ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବ ଆର୍ଥିକ ବର୍ଷରେ ସଂଗ୍ରହ କରାଯାଇଥିବା ୧୬.୬୧ ଲକ୍ଷ କୋଟି ଟଙ୍କା ତୁଳନାରେ ୯.୭୫ ପ୍ରତିଶତ ଅଧିକ ଅଟେ।

ସିବିଡିଟି ତଥ୍ୟ ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ୭,୨୧,୬୦୪ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭୩.୩୧ ପ୍ରତିଶତ ବୃଦ୍ଧି ପାଇ ୧୯,୭୨,୨୪୮ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ୫.୬୨ ପ୍ରତିଶତରୁ ୬.୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ୨୦୧୩-୧୪ରେ ଆଦାୟ ଖର୍ଚ୍ଚ ୦.୫୧ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୦.୫୭ ପ୍ରତିଶତକୁ ବୃଦ୍ଧି ପାଇଛି।

Related posts