ଗୁଜୁରାଟରେ କଂଗ୍ରେସକୁ ଝଟକା: ‘ହାତ’ ଛାଡିଲେ ପୂର୍ବତନ ସଭାପତି ଅର୍ଜୁନ ମୋଢୱାଡିଆ

Published: Mar 4, 2024, 7:09 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସକୁ ଝଟକା ଲାଗିଛି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଅର୍ଜୁନ ମୋଢୱାଡିଆ ଦଳରୁ ଇସ୍ତଫା ଦେଇଛନ୍ତି। ସେ ପୋରବନ୍ଦରରୁ ଜଣେ ବିଧାୟକ। ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ରହିଆସିଛନ୍ତି। ଏହାପୂର୍ବରୁ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅମ୍ବ୍ରିଶ ଡେର ଦଳ ଛାଡିଥିଲେ। ଆଜି ମୋଢୱାଡିଆ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।

ସେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅର୍ଜୁନ ମୋଢୱାଡିଆ କହିଛନ୍ତି ଯେ, କଂଗ୍ରେସ ଲୋକଙ୍କ ଭାବନାକୁ ଅନୁଭବ କରିବାରେ ବିଫଳ ହୋଇଛି।

ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଯାଇଥିବା ଏକ ଚିଠିରେ ମୋଢୱାଡିଆ କହିଛନ୍ତି ଯେ, ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ କଂଗ୍ରେସ ଦଳର ନେତୃତ୍ୱ ପ୍ରତ୍ୟାଖ୍ୟାନ କରିଥିଲେ, ମୁଁ ମୋର ଆପତ୍ତି ଜଣାଇଥିଲି। ପ୍ରଭୁ ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି। ସେ ଭାରତର ଆସ୍ଥା। ପ୍ରାଣ ପ୍ରତିଷ୍ଠା ମହୋତ୍ସବଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ପାର୍ଟି ଭାରତର ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ଆପତ୍ତି ପରଠାରୁ ମୁଁ ଅନେକ ଲୋକଙ୍କୁ ଭେଟିଛି, ଯେଉଁମାନେ ଅଯୋଧ୍ୟାରେ ଏହି ମହାସମାରୋହକୁ ବର୍ଜ୍ଜନ କରି ପ୍ରଭୁ ରାମଙ୍କ ଅପମାନ ପାଇଁ ଆହତ ହୋଇଛନ୍ତି। ତେଣୁ ମୁଁ ମୋର କଂଗ୍ରେସ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଉଛି, ଯେଉଁଥିରେ ମୁଁ ଗତ ୪୦ ବର୍ଷ ଧରି ଜଡିତ ହୋଇ ମୋର ସମସ୍ତ ଜୀବନକୁ ଉତ୍ସର୍ଗ କରିଛି। ଦଳର ନେତୃତ୍ୱ ତଥା କର୍ମକର୍ତ୍ତାଙ୍କୁ ମୁଁ କୃତଜ୍ଞ, ଯେଉନାମାନେ ଗତ ଚାରି ଦଶନ୍ଧି ଧରି ମୋତେ ତାଙ୍କର ଭଲ ପାଇବାଏବଂ ସ୍ନେହ ପ୍ରଦାନ କରିଥିଲେ।”

Related posts