ମେଣ୍ଟ ପ୍ରସଂଗରେ କାହିଁକି କଥା ଲୁଚାଉଛନ୍ତି ବିଜେପି ସଭାପତି ମନମୋହନ ସାମଲ

Published: Mar 9, 2024, 9:05 am IST

ଭୁବନେଶ୍ବର: ଶୁକ୍ରବାର ସଂଧ୍ୟରେ ଭୁବନେଶ୍ବର ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ନୂଆଦିଲ୍ଲୀରେ ହେଉଥିବା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ମନମୋହନ କହିଲେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ। ମେଣ୍ଟ ସଂପର୍କରେ ଯାହା ଚର୍ଚ୍ଚା ଚାଲିଛି ତାହା କେବଳ ମନଗଢା କାହାଣୀ। ଏଥିରେ କୌଣସି ବାସ୍ତବତା ନାହିଁ।

ତେବେ ଗୁରୁବାର ଦିନ ବୈଠକରେ ଉପସ୍ଥିତ ଥିବା ଜୁଏଲ ଓରାମ ବାହାରକୁ ଆସି ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି ବୋଲି କହିଥିଲେ। ହେଲେ ଆମେ ଓଡିଶାରେ ଏକାକୀ ଲଢେଇ କରିବୁ ବୋଲି ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛୁ। କାରଣ ଆମେ ବର୍ତ୍ତମାନ ଓଡିଶାରେ ମୁକାବିଲା କରିବାକୁ ସମର୍ଥ ଅଛୁ। ହେଲେ ଦଳର କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ମାନି ନେବୁ।

ରାଜ୍ୟ ବିଜେପିର ଏହି ଦୁଇ ବରିଷ୍ଠ ନେତା ଦିଲ୍ଲୀରେ ହୋଇଥିବା ଓଡିଶା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଜୁଏଲ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି ବୋଲି କହୁଥିବା ବେଳେ ମନମୋହନ ସଂପୂର୍ଣ୍ଣ ଖଣ୍ଡନ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜୁଏଲ ଖୋଲମଖୋଲା ନେତା ବୋଲି ସତ କଥା କହିଦେଲେ। ହେଲେ ମନମୋହନ କଥାକୁ ଲୁଚାଉଛନ୍ତି।

ପ୍ରକୃତ କଥା ଦେଖିବାକୁ ଗଲେ ମେଣ୍ଟ ସଂପର୍କରେ ଦଳର ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି। ସେମାନେ ଓଡିଶାରେ ବିଜେଡି ସହିତ ମେଣ୍ଟ କରିବା ପାଇଁ ଏକ ରକମର ପ୍ରସ୍ତୁତ ହୋଇ ରହିଛନ୍ତି। ହେଲେ ରାଜ୍ୟ ବିଜେପି ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। କାରଣ ମେଣ୍ଟକୁ ନେଇ ଲୋକଙ୍କୁ ସମ୍ମୁଖୀନ ହେବା ବିଜେପି ପାଇଁ ଭାରୀ ପଡିବ।

ଅନ୍ୟପଟେ ବିଜେଡି ବୈଠକ କଥା ଆଲୋଚନା କଲେ ସ୍ପଷ୍ଟ ହୋଇଛି ଯେ, ସେମାନେ ମଧ୍ୟ ମେଣ୍ଟକୁ ପ୍ରତ୍ୟାଖାନ କରି ନାହିଁନ୍ତି। ସେମାନେ କଥାକୁ ବୁଲେଇ ବଙ୍କେଇ ରାଜ୍ୟର ସ୍ବାର୍ଥ ପାଇଁ ଯାହା କିଛି କରାଯିବ ତାହା ସୁପ୍ରିମୋ ନିଷ୍ପତି ନେବ ବୋଲି ବୟାନ ରଖିଛନ୍ତି। ତେଣୁ ସେମାନେ ଏକପ୍ରକାରର ମେଣ୍ଟ ପାଇଁ ପ୍ରସ୍ତୁତ ବୋଲି ପରୋକ୍ଷରେ ଜଣାପଡିଛି।

Related posts