କିଏ ହେବେ ନୂତନ ନିର୍ବାଚନ କମିଶନର?: ଚୟନ କମିଟିକୁ ପଠାଗଲା ଏହି ନାମ

Published: Mar 14, 2024, 12:54 pm IST

ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ଏବଂ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ହେତୁ ୨ ଟି ପଦବୀ ଖାଲି ପଡିଛି। ଏହି ଦୁଇଟି ପଦବୀରେ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଆଜି ଚୟନ କମିଟି ନିକଟକୁ ନାମ ପଠାଇଛି। ଏଥିରେ ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ର ଏବଂ ପୂର୍ବତନ ଏନଆଇଏ ମୁଖ୍ୟ ଦିନକର ଗୁପ୍ତାଙ୍କ ନାମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସର୍ଚ୍ଚ କମିଟି ଏହି ତାଲିକାରେ ପୂର୍ବତନ ସିବିଡିଟି ମୁଖ୍ୟ ପିସି ମୋଦୀ, ଜେବି ମହାପାତ୍ର ଏବଂ ରାଧା ଏସ ଚୌହାନଙ୍କ ନାମ ମଧ୍ୟ ପଠାଇଛି।

ଉଭୟ ପଦବୀ ନିଯୁକ୍ତି ପାଇଁ ଆଜି ଚୟନ କମିଟିର ବୈଠକ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିବେ। ଏହି ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ଲୋକସଭାର ସର୍ବବୃହତ ବିରୋଧୀ ଦଳର ନେତା ଅଧୀର ରଂଜନ ମଧ୍ୟ ଏହି କମିଟିରେ ସାମିଲ ହେବେ।

ଏହି ସମୟ ମଧ୍ୟରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଡିଆର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ଶୁକ୍ରବାର ଶୁଣାଣି ହେବ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବେ। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ଅନୁଯାୟୀ ନିର୍ବାଚନ ଆୟୋଗର ସଦସ୍ୟ ନିଯୁକ୍ତି ପାଇଁ ଏଡିଆର ନିର୍ଦ୍ଦେଶ ମାଗିଛି।

ଆସନ୍ତା ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ଅନୁପ ପାଣ୍ଡେ ଅବସର ନେଇଥିଲେ। ଅରୁଣ ଗୋୟଲଙ୍କ ଇସ୍ତଫା ପରେ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି।

ସୁପ୍ରିମକୋର୍ଟରେ ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ, ଏହି ଆବେଦନ ପରେ ୨୦୨୩ ମସିହାରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କ ଦ୍ୱାରା ଖାରଜ କରାଯାଇଥିଲା। କୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି ଯେ, ଏକ ସମ୍ବିଧାନ ପୀଠ ଏହି ପ୍ରସଙ୍ଗର ଯାଞ୍ଚ କରିଥିଲେ, କିନ୍ତୁ ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ମନା କରି ଦେଇଥିଲେ।

Related posts