ଏଥର ହୋଲିରେ “ରଙ୍ଗ ମହୋତ୍ସବ”: ଜୀ ସାର୍ଥକରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ

Published: Mar 23, 2024, 10:34 am IST

ଭୁବନେଶ୍ଵର: ସବୁଥର ପରି ଜୀ ସାର୍ଥକର ଏଥର ହୋଲି ମଧ୍ୟ ହେବ ସ୍ମରଣୀୟ, କାରଣ ଆପଣଙ୍କୁ ବୋଳିବ ସମ୍ପର୍କର ଭିନ୍ନ ଏକ ରଙ୍ଗ। ପୁଣି ଉଡିବ ସମ୍ପର୍କର ସାତ ରଙ୍ଗର ଅବିର। କେବଳ ରଙ୍ଗ ନୁହେଁ ମନୋରଞ୍ଜନକୁ ନେଇ ରଙ୍ଗୀନ ହେବ ଏଥରର ହୋଲି।

ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ ଯେଉଁଥିରେ ‘ସୁନା ଝିଅ’, ‘ଶ୍ରୀ’ ଓ ‘ତୁ ଖରା ମୁଁ ଛାଇ’ ପରି ଲୋକପ୍ରିୟ ମେଗା ଧାରାବାହିକର ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଇଛି ଶ୍ରୀଚନ୍ଦନପୁରରେ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବରେ। ଅପ୍ରତ୍ୟାଶିତ ଭାବରେ ପ୍ରିୟା, ମାନିନୀ ଓ ଶ୍ରୀ ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡି ହୋଇଯାଇଛନ୍ତି। ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନଃ ଉଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି। କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ, ପର୍ବ ଦିନ ଅର୍ଥାତ ଦୋଳ ଉତ୍ସବ ଦିନ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି । ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି ଓ ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶୀକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି ହେଲେ କିପରି ଧରିଛନ୍ତି ତାହା ହୋଇଛି ଅତ୍ୟନ୍ତ ରୋଚକ । ସମସ୍ତ ବିଶୃଙ୍ଖଳା ମଧ୍ୟରେ, ଗାଁ ହୋଲିର ପରିବେଶ ପୁରା ରଙ୍ଗୀନ ହୋଇଛି ଓ ପୁରା ଗାଁ ପାଳନ କରିଛି “ରଙ୍ଗ ମହୋତ୍ସବ”।

ଏହି କାର୍ଯକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି । ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ ସାର୍ଥକର ବଡ ବଡ ସେଲିବ୍ରିଟି ଅଭିନୟ କରିବା ସହ “ରଙ୍ଗ ମହୋତ୍ସବ” ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ । ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ସାଢେ ୬.୩୦ମି. ରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହୋଲି “ରଙ୍ଗ ମହୋତ୍ସବ” । କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ। ସେ ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

Related posts