ମୋ ସହ ରାଘବ ଚଢା ଏବଂ ସୌରଭ ଭାରଦ୍ଵାଜ ମଧ୍ୟ ଜେଲ ଯିବେ: ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବଡ ଦାବି

Published: Apr 2, 2024, 10:40 am IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବର୍ତ୍ତମାନ ତିହାର ଜେଲକୁ ପଠାଯାଇଛି। ଏହି ସମୟରେ ଆଜି ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ ସକାଳ ୧୦ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ AAP ନେତା ଅନେକ ବିସ୍ଫୋରକ ଖୁଲାସା କରିଥିଲେ। ବିଜେପି ତାଙ୍କୁ ଏକ ଅଫର ଦେଇଛି ବୋଲି ସେ ଦାବି କରିଛନ୍ତି।

ଆ’ତିଶି କହିଛନ୍ତି ଯେ, ମୋର ଅତି ଘନିଷ୍ଠ ବ୍ୟକ୍ତିଙ୍କ ମାଧ୍ୟମରେ ବିଜେପିରେ ଯୋଗଦେବା ପାଇଁ ମୋ ପାଖକୁ ଖବର ଆସିଛି। ମୋତେ କୁହାଯାଇଛି ଯେ, ବିଜେପିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ବଞ୍ଚାଅ କିମ୍ବା ଯଦି ମୁଁ ବିଜେପିରେ ଯୋଗ ନଦେବି, ତେବେ ଆସନ୍ତା ୧ ମାସ ମଧ୍ୟରେ ମୋତେ ଇଡି ଗିରଫ କରିବ।

ଦିଲ୍ଲୀ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଥମେ ସେମାନେ ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଗିରଫ କରି ଜେଲରେ ରଖିଥିଲେ। ସତ୍ୟନ୍ଦ୍ର ଜୈନ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ବିଜେପି ଆସନ୍ତା ଦୁଇ ମାସ ମଧ୍ୟରେ ଆମ୍ ଆଦମୀ ଦଳର ଆଉ ଚାରିଜଣ ନେତାଙ୍କୁ ଗିରଫ କରିବାକୁ ଚାହୁଁଛି। ସେମାନେ ମୋତେ, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ ଏବଂ ରାଘବ ଚଢାଙ୍କୁ ଗିରଫ କରିବେ। ସେମାନେ ଭାବୁଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଆମ୍ ଆଦମୀ ପାର୍ଟି ଭାଙ୍ଗି ବିଚ୍ଛିନ୍ନ ହୋଇଯିବ।

ଆତିଶୀ ଆହୁରି କହିଛନ୍ତି ଯେ, ରାମଲିଲା ମଇଦାନରେ ରବିବାରର ରାଲି ପରେ ବର୍ତ୍ତମାନ ବିଜେପି ଅନୁଭବ କରୁଛି ଯେ ଆମ୍ ଆଦମୀ ଦଳର ବରିଷ୍ଠ ନେତାଙ୍କୁ ଗିରଫ କରିବା ଯଥେଷ୍ଟ ନୁହେଁ, ଆଗାମୀ ଦିନରେ ପରବର୍ତ୍ତୀ ବଡ ଚାରିଜଣ ନେତାଙ୍କୁ ଜେଲରେ ରଖାଯିବ।

ମୋତେ କୁହାଯାଇଛି ଯେ, ଆଗାମୀ ଦିନରେ ମୋ ଘରେ ଏବଂ ମୋର ସମ୍ପର୍କୀୟ ଏବଂ ଘନିଷ୍ଠ ଲୋକଙ୍କ ଘରେ ଚଢାଉ କରାଯିବ। ଆମେ ଅରବିନ୍ଦ କେଜ୍ରିୱାଲଙ୍କ ସୈନିକ ଏବଂ ବିଜେପିର ଧମକକୁ ଭୟ କରୁନାହୁଁ।

Related posts