ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ସାରା ବିଶ୍ଵ ଯୋଗଦିବସ ପାଳନ କରୁଛି। ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ହୃଦୟ ପାଇଁ ଯୋଗ’ । ଝାଡଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ପ୍ରାୟ ୪୦ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଯୋଗ ହେଉଛି ଜୀବନର ଅଭିନ୍ନ ଅଙ୍ଗ। ସାରା ବିଶ୍ଵ ଆମ ଯୋଗକୁ ଆପଣାଇଛି। ଯୋଗ ସମ୍ପର୍କିତ ଅଧିକ ଗବେଷଣା ହେବା ଜରୁରୀ। ଯୋଗ ହେଉଛି ଅନୁଶାସନ, ସମର୍ପଣ। ରଙ୍ଗ, ଜାତି, ସମ୍ପ୍ରଦାୟ, ମତ, ଧନୀ- ଗରିବ, ନିକଟ – ଦୂର ସବୁଠୁ ଉର୍ଦ୍ଧ୍ବରେ। ବିଶ୍ୱର ୧୭୦ଟି ଦେଶରେ ଜୁନ ୨୧ରେ ଯୋଗ ଦିବସ ପାଳନ ହେଉଛି । ଯୋଗ ସମସ୍ତଙ୍କର ପାଇଁ ଉଦ୍ଦିଷ୍ଟ । ଏହାକୁ ଯେ କେହି ବି କରିପାରିବ । କାରଣ ଯୋଗ କରିବା ପାଇଁ ଆଗ୍ରହର ଆବଶ୍ୟକତା ଅଛି, ଏଥି ପାଇଁ କୌଣସି ରାଶି ଦେବାକୁ ପଡୁ ନାହିଁ । ଯୋଗକୁ ସର୍ବୋପରି ଧନୀ ଓ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ କରିପାରିବେ । ଯୋଗକୁ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯୋଗ ସମସ୍ତଙ୍କର ଏବଂ ସମସ୍ତେ ଯୋଗ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ଏହି ଯୋଗ କାର୍ଯ୍ୟକ୍ରମରେ ରାଜ୍ୟପାଳ ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଉପସ୍ଥିତ ଥିଲେ ।